Home ଜିଲ୍ଲା ପରିକ୍ରମା ଚାଷୀ ରାମକୃଷ୍ଣଙ୍କ ବିଷପାନ ପରେ ଯୋଗାଣ ବିଭାଗର ନିଦ ଭାଙ୍ଗିଲା, ଜିଲ୍ଲାପାଇଁ ଅଧିକ ୮ ଲକ୍ଷ...

ଚାଷୀ ରାମକୃଷ୍ଣଙ୍କ ବିଷପାନ ପରେ ଯୋଗାଣ ବିଭାଗର ନିଦ ଭାଙ୍ଗିଲା, ଜିଲ୍ଲାପାଇଁ ଅଧିକ ୮ ଲକ୍ଷ କ୍ୱିଂଟାଲ ଟାର୍ଗେଟ ପାଇଁ ଚିଠି

42

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶନିବାରଦିନ ମଣ୍ଡିରେ ଧାନ ବିକ୍ରି କରିନପାରି ଜଣେ ଚାଷୀ ବିଷପିଇବା ଘଟଣାକୁ ଆଖିରେ ରଖି ଜିଲ୍ଲା ଯୋଗାଣ ନିଗମ ପକ୍ଷରୁ ସରକାରଙ୍କୁ ଜିଲ୍ଲାପାଇଁ ଅଧିକ ୮ ଲକ୍ଷ କ୍ୱିଂଟାଲ ଟାର୍ଗେଟ ମାଗିଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ଯୋଗାଣ ନିଗମ ସରକାରଙ୍କୁ ଏହି ଆବଶ୍ୟକତା ସଂର୍ପକରେ ଚିଠି ଲେଖି ଜଣାଇଛନ୍ତି । ଜିଲ୍ଲା ଯୋଗାଣ ନିଗମ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଏହି ପତ୍ରରେ ଦର୍ଶାଇଛନ୍ତି ଯେ ଜିଲ୍ଲାପାଇଁ ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ୨୩ ଲକ୍ଷ ୨୩ ହଜାର ୫୨୯ କ୍ୱିଂଟାଲ ଧାନ ସଂଗ୍ରହ ସକାସେ ଟାର୍ଗେଟ ମଞ୍ଜୁର କରାଯାଇଥିଲେ ମଧ୍ୟ ଏହା ବାଦ ଜିଲ୍ଲାରେ ଆହୁରୀ ୨୨ ହଜାର ୫୫ ଜଣ ଚାଷୀଙ୍କୁ ମଞ୍ଜୁର କରାଯାଇଥିବା ୩୪ ହଜାର ୪ ଶହ ଟୋକନଧାରୀ ଚାଷୀ ଧାନ ବିକ୍ରି ଅପେକ୍ଷାରେ ରହିଛନ୍ତି । ଏହି ଟୋକନ ମୁତାବକ ଜିଲ୍ଲାରୁ ଆହୁରୀ ପ୍ରାୟ ୮ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ ବାକି ରହିଛି । ଜିଲ୍ଲାରେ ପଡି ରହିଥିବା ଏହି ଧାନତକ ଉଠାଇବାକୁ ହେଲେ ଜିଲ୍ଲାପାଇଁ ଅତିକମ୍ ରେ ଆହୁରୀ ୮ ଲକ୍ଷ କ୍ୱିଂଟାଲ ଧାନ ଟାର୍ଗେଟର ଆବଶ୍ୟକତା ରହିଛି । ଗତବର୍ଷ ଭଦ୍ରକ ଜିଲ୍ଲାରୁ ମାତ୍ର ୨୧ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତବର୍ଷ ଧାନ ସଂଗ୍ରହ ଆହୁରୀ ପ୍ରାୟ ଏକମାସ ରହିଥିବା ବେଳେ ବର୍ତମାନ ସୁଦ୍ଧା ଜିଲା୍ଲରୁ ୨୩ ଲକ୍ଷ ୨୩ ହଜାର କ୍ୱିଂଟାଲ ଧାନ ସଂଗ୍ରହ ସତ୍ୱେ ଜିଲ୍ଲାରେ ଆହୁରୀ ପ୍ରାୟ ୮ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ ବାକି ପଡିଛି । ତେଣେ ଜିଲ୍ଲାରେ ଧାନ ସଂଗ୍ରହ କୋଟା ସରିଯାଇଥିବା ବେଳେ କେତେକ ଅସାଧୁ ସୋସାଇଟି ସଂପାଦକ ଯୋଗାଣ ନିଗମ ଠାରୁ ଅଧିକ କୋଟା ଆଣିବାର ପ୍ରଲୋଭନ ଦେଖାଇ ଅସହାୟ ଚାଷୀଙ୍କ ଠାରୁ କ୍ୱିଂଟାଲପିଛା ସର୍ବନିମ୍ନ ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରିବା ଘଟଣା ଏବେ ଚାଷୀଙ୍କ ଦୁଃଖକୁ ବଳି ପଡିଛି ।

ଏ ସଂର୍ପକରେ ଅଭିଯୋଗ ମିଳିବା ପରେ ଏଥିନେଇ ଯୋଗାଣ ନିଗମ ପକ୍ଷରୁ ତନାଘନା କରି ଏକାଧିକ ସୋସାଇଟି ସଂପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ସକାସେ ସୁପାରିସ କରାଯାଇଥିବା କଥା ଜିଲ୍ଲା ଯୋଗାଣ ଅଧିକାରୀ ରଂଜନ ସେଠ କହିଛନ୍ତି । ସଂପାଦକମାନେ କୋଟାପାଇଁ ଅ‘ିସ ଖର୍ଚ ଦର୍ଶାଇ ଏହି ଅର୍ଥ ଆଦାୟ କରୁଥିବା କଥା ଯୋଗାଣ ଅଧିକାରୀ କହିଛନ୍ତି । ତେଣେ ସରକାର ଚାଷୀଙ୍କ ହିତ ସକାସେ ଜିଲ୍ଲାକୁ ଅଧିକରୁ ଅଧିକ କୋଟା ଯୋଗାଇ ଦେଉଥିଲେ ମଧ୍ୟ ଚାଷୀଙ୍କ ନାମରେ ବେପାରୀ ମାନେ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରିଦେଉଥିବା ବେଳେ ପ୍ରକୃତ ଚାଷୀ ଙ୍କ ଧାନ ସଂଗ୍ରହ ହୋଇ ନପାରି ମଣ୍ଡିରେ ପଡିରହୁଛି । ଫଳରେ ମଣ୍ଡିରେ ଧାନ ପଡି ପଡି ଚାଷୀର ଟୋକନ ଲାପ୍ସ କରିଯାଉଥିବା ବେଳେ ସରକାରଙ୍କୁ ଧାନ ବିକ୍ରି କରିନପାରି ଚାଷୀ ବିଷ ପିଇବାକୁ ବାଧ୍ୟ ହେଉଛି । ଏପରିସ୍ତଳେ ମଣ୍ଡିରେ ଚାଷୀ ଏବଂ ବେପାରୀ ଚିହ୍ନଟ କରିବା ସକାସେ ଯୋଗାଣ ନିଗମ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସବୁ ମଣ୍ଡିରେ ଧାନ ସଂଗ୍ରହ ତଦାରଖ କରିବାକୁ ନିର୍ଦ୍ଧେଶ ଦିଆଯାଇତିବା କଥା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ଅତିରିକ୍ତ ଧାନ ସଂଗ୍ରହ କୋଟା ମଞୁରୀ ଯେତିକି ବିଳମ୍ଭିତ ହେଉଛି ଜିଲ୍ଲାରେ ଚାଷୀ ଅସନ୍ତୋଷ ସେତିକି ବୃଦ୍ଧିପାଇବାରେ ଲାଗିଛି । ଯାହାର ପ୍ରତିଫଳନ ଶନିବାରଦିନ ଭଦ୍ରକ ବ୍ଲକ ବନ୍ଧଗାଁ ପଂଚାତରେ ଚାଷୀ ରାମକୃଷ୍ଣ ପଣ୍ଡାଙ୍କ ବିଷ ପିଇବା ଘଟଣା ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.