Home ଓଡ଼ିଶା ଜିଲ୍ଲା ପ୍ରଶାସନର ସଦର ଉପ-ନିର୍ବାଚନ ପ୍ରସ୍ତୁତି ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

ଜିଲ୍ଲା ପ୍ରଶାସନର ସଦର ଉପ-ନିର୍ବାଚନ ପ୍ରସ୍ତୁତି ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

53

ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସହ ଏବେ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ଆଦର୍ଶ ଆଚରଣ ବିଧି ପାଳନ ସଂକ୍ରାନ୍ତରେ ଜିଲ୍ଲାପାଳ କେ-ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଆଦର୍ଶ ଆଚରଣ ବିଧି କେବଳ ୩୮ନଂ ଆସନ ଅର୍ଥାତ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପାଇଁ ନୁହେଁ ବରଂ ସମଗ୍ର ଜିଲ୍ଲା ପାଇଁ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ସୂଚିତ କରିଛନ୍ତି। ସେହିପରି ରାଜନୈତିକ ଦଳମାନେ ସେମାନଙ୍କର ପୋଲିଂ ଏଜେଂଟ ଏବଂ କାଉଂଟିଂ ଏଜେଂଟମାନଙ୍କୁ ନିର୍ବାଚନ ଆଚରଣ ବିଧି ଏବଂ ଅନ୍ୟାନ୍ୟ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସଂଶୟ/ଚିନ୍ତା ସୂଚୀ ବାବଦରେ ବୁଝାଇଥିଲେ। ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ କୌଣସି ପାର୍ଟି କିମ୍ବା ପ୍ରାର୍ଥୀ ସରକାରୀ ସମ୍ପତିର ବିକୃତିକରଣ କିମ୍ବା ନଷ୍ଟ କରିପାରିବେ ନାହିଁ। କୌଣସି ଘରୋଇ ବା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ପ୍ରାଚୀରପତ୍ର/ବ୍ୟାନର ଇତ୍ୟାଦି ଲଗାଇବା ପୂର୍ବରୁ ସମ୍ପୃକ୍ତ ଘର ମାଲିକଙ୍କ ଅନୁମତି ନେବାକୁ ପଡିବ। ଅନୁମତି ପତ୍ରର ଏକ ନକଲ ରିଟର୍ଣ୍ଣିଂ ଅଫିସରଙ୍କ ଗୋଚରାର୍ଥେ ତାଙ୍କ ନିକଟରେ ଦାଖଲ କରିବା ପାଇଁ ଜିଲ୍ଲାପାଳ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏ ସମ୍ପର୍କିତ ଆଚରଣ ବିଧି ଉଲ୍ଲଙ୍ଘନ ସ୍ଥଳେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିନିଧିମାନଙ୍କୁ କୁହାଯାଇଥିଲା। ଗୋଟିଏ ଥରରେ ୫ରୁ ଉର୍ଦ୍ଧ୍ୱ ଗାଡି “ରୋଡ ସୋ” ବା ନିର୍ବାଚନ ପ୍ରଚାରରେ ବାହାରିପାରିବେ ନାହିଁ। ସିଙ୍ଗଲ ଓି୍ୱଣ୍ଡୋ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ବିଭିନ୍ନ ଅନୁମତି ପତ୍ର ପ୍ରଦାନ କରାଯିବ। ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳ, ଯେଉଁମାନେ ସେମାନଙ୍କର ରାଜନୈତିକ ବିଜ୍ଞାପନର ପ୍ରଚାର ଓ ପ୍ରସାର ଚାହାଁନ୍ତି ସେମାନେ ଜିଲ୍ଲାସ୍ତରରେ ଥିବା ମିଡିଆ ସାର୍ଟିଫିକେସନ ଏଣ୍ଡ ମନିଟରିଂ କମିଟି-”ଏମ-ସି-ଏମ-ସି-” (ଗଣମାଧ୍ୟମ ପ୍ରମାଣୀକରଣ ଓ ତଦାରଖ କମିଟି) ସହିତ ଯୋଗାଯୋଗ କରି ଆଗୁଆ ଆବଶ୍ୟକୀୟ ପ୍ରମାଣପତ୍ର ହାସଲ କରିବେ। ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଆସନ୍ତା ଅକ୍ଟୋବର ୯ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ଅକ୍ଟୋବର ୧୬ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ୧୭ ତାରିଖ ଦିନ ପ୍ରାର୍ଥୀପତ୍ରର ଯାଂଚ କରାଯିବା କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଥିବା ବେଳେ ନଭେମ୍ବର ୩ତାରିଖ ଦିନ ମତଦାନ ହେବ ଏବଂ ନଭେମ୍ବର ୧୦ତାରିଖ ଦିନ ଭୋଟ ଗଣତି ହେବ। ରାଜନୈତିକ ଦଳର ପ୍ରତିନିଧିମାନଙ୍କ ବ୍ୟତୀତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆଦର୍ଶ ଆଚରଣ ବିଧି ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟଧାରାରେ ନିରପେକ୍ଷତା ଅବଲମ୍ବନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ ନିୟମାବଳୀ ଅନୁଯାୟୀ ମତଦାନ କେନ୍ଦ୍ରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ସେଠାରେ ସାନିଟାଇଜର, ସାବୁନ ଇତ୍ୟାଦି ରଖାଯିବ। ମତଦାତାମାନେ ମତଦାନ କରିବାକୁ ଗଲା ବେଳେ ମାସ୍କ ପିନ୍ଧି ଯିବେ ଏବଂ ଭୋଟ ଦେବା ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ର ଯାଂଚ କରାଯିବ। ସେହିପରି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟଦାନ କକ୍ଷରେ ଅତି ଅଳ୍ପ ସମୟ ପାଇଁ ସେମାନଙ୍କୁ ମାସ୍କ କାଢିବାକୁ ଏବଂ ଚିହ୍ନଟ ପରେ ତୁରନ୍ତ ପିନ୍ଧିବାକୁ କୁହାଯିବ। ଦିବ୍ୟାଙ୍ଗ, ୮୦ ବର୍ଷରୁ ଉର୍ଦ୍ଧ୍ୱ ଓ କୋଭିଡ ପଜିଟିଭ ବ୍ୟକ୍ତି ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିପାରିବେ। ଏଥି ପାଇଁ ସେମାନେ ରିଟର୍ଣ୍ଣିଂ ଅଫିସରମାନଙ୍କ ନିକଟରେ ଆବେଦନ କରିପାରିବେ। ନିର୍ବାଚନୀ ଖର୍ଚ୍ଚ ଉପରେ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ କିପରି ଅଙ୍କୁଶ ଲଗାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ଏଥି ସହିତ ବିଭିନ୍ନ ଟିମ ତାଙ୍କର କାର୍ଯ୍ୟକ୍ରମର ପ୍ରତିଦିନ ରିପୋର୍ଟ ପ୍ରଦାନ, ସମସ୍ତ କାର୍ଯ୍ୟକ୍ରମରେ ତୀକ୍ଷଣ ନଜର ରଖିବା, ଅନ୍ୟ ଟିମ୍ ଗୁଡିକ ସହ ସମନ୍ୱୟ ରକ୍ଷା କରିବା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଟିକିନିଖି ଭିଡିଓ ରେକର୍ଡିଂ କରିବା, ସମ୍ମିଳିତ ଲୋକଙ୍କ ସଂଖ୍ୟା, ବ୍ୟବହୃତ ଯାନ, ସାଜସଜ୍ଜା, ଡାକବାଜି ଯନ୍ତ୍ର ବ୍ୟବହାର ଇତ୍ୟାଦିର ବିବରଣୀ ରେକର୍ଡ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.