Home ଜିଲ୍ଲା ପରିକ୍ରମା ଚାଷୀ ବିଷ ପିଇବା ଘଟଣା, ସମୟ ଅତିକ୍ରାନ୍ତ ଟୋକନରେ ଧାନ କିଣା ଦାବି, ଜିଲ୍ଳା ଯୋଗାଣ...

ଚାଷୀ ବିଷ ପିଇବା ଘଟଣା, ସମୟ ଅତିକ୍ରାନ୍ତ ଟୋକନରେ ଧାନ କିଣା ଦାବି, ଜିଲ୍ଳା ଯୋଗାଣ କାର୍ଯ୍ୟାଳୟ ଆଗରେ ବିଜେପିର ଗଣଧାରଣା

41

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମର ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ଧାନ ବିକ୍ରି କରି ନ ପାରି ବିଷ ପିଇବା ଘଟଣାକୁ ନେଇ ବିଜେପି ଆନ୍ଦୋଳନ ରାସ୍ତାକୁ ଓହ୍ଲାଇଛି । ଟୋକନ ସମୟ ଅତିକ୍ରାନ୍ତ ହୋଇଥିବା ସମସ୍ତ ଚାଷୀଙ୍କୁ ଧାନ କିଣିବାର ସୁଯୋଗ ଦେବା ଦାବି କରି ଆଜି ବିଜେପି ନେତାମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଆଗରେ ଗଣଧାରଣାରେ ବସିଥିଲେ । ବନ୍ଧଗାଁ ଗ୍ରାମର ରାମକୃଷ୍ଣ ପଣ୍ଡା ଧାନ ଟୋକନ ପାଇ ଟୋକନର ସମୟ ସୀମା ଅତିକ୍ରାନ୍ତ ହେବା ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଧାନ ବିକ୍ରି କରି ପାରିଲେ ନାହିଁ । ଧାନ କିଣୁଥିବା ସ୍ୱୟଂ ସହାୟିକା ମହାସଂଘ ପଣ୍ଡାଙ୍କ ଭଳି ବହୁ ଚାଷୀଙ୍କ ଠାରୁ ଧାନ ନିର୍ଦ୍ଧାରିତ ସମୟରେ କିଣି ନ ଥିଲା । ଯାହା ପାଇଁ ରାମକୃଷ୍ଣ ବିଷ ପିଇବାକୁ ବାଧ୍ୟ ହୋଇଥିଲେ । ତେବେ ଏହି ଘଟଣା ପରେ ବିଜେପି ନେତା ଡାକ୍ତର ପ୍ରଦିପ ନାୟକ, ବଦ୍ରିନାରାୟଣ ଧଳ, ଅଶୋକ ପରିଜା, ଦୁର୍ଗାପ୍ରସନ୍ନ ଦାସ, ଶ୍ରୀହର୍ଷ ସ୍ୱାଇଁ, ବିକାଶ ଶ୍ରେଷ୍ଠା, ତପସ୍ୱିନୀ ମହାପାତ୍ର, ହରପ୍ରିୟା ସାହୁ, ଶଙ୍କର୍ଷଣ ଜେନା, ସ୍ୱର୍ଣ୍ଣଲତା ମିଶ୍ର ପ୍ରମୁଖ ଜିଲ୍ଲା ଯୋଗାଣ ଅଫିସ ଆଗରେ ଧାରଣାରେ ବସିଥିଲେ । ଯୋଗାଣ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା କି ରାମକୃଷ୍ଣଙ୍କର ଗୋଟିଏ ଟୋକନ ଏବଂ ତାଙ୍କ ବାପାଙ୍କର ୨ଟି ଟୋକନ ସମୟ ଅତିକ୍ରାନ୍ତ ହୋଇଛି । ବାକି ସମସ୍ତ ଟୋକନରେ ଶ୍ରୀ ପଣ୍ଡା ଧାନ ବିକ୍ରି କରିଛନ୍ତି । ତେବେ ଟୋକନ ସମୟ ଅତିକ୍ରାନ୍ତ ହେବାର କାରଣ ଏବଂ ମହାସଂଘ କାହିଁକି ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନ କିଣିନାହିଁ ସେ ସମ୍ପର୍କରେ ତଦନ୍ତ ଜାରି ରହିଛି । ତେବେ ଶ୍ରୀ ପଣ୍ଡାଙ୍କର ସମସ୍ତ ଧାନକୁ ନିଶ୍ଚିତ କିଣାଯିବା ସହ ଜିଲ୍ଳାର ଯେତେ ଚାଷୀଙ୍କର ଟୋକନ ସମୟ ଅତିକ୍ରାନ୍ତ ହୋଇଛି, ସେ ସବୁର ତଦନ୍ତ କରାଯାଇ କିପରି ସେମାନେ ଧାନ ବିକ୍ରି କରି ପାରିବେ ସେଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ସାମଲ, ନାରାୟଣ ସେନାପତି, ଗୋପାଳ ସାହୁ, ଆଦିକନ୍ଦ ନାୟକ, ଶଶାଙ୍କ ଦାସ, ସୁବ୍ରତ ନାୟକ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.