Home ଜିଲ୍ଲା ପରିକ୍ରମା ଖରିଫ ଧାନ କିଣାରେ ଅନିୟମିତତା ଓ ଅବ୍ୟବସ୍ଥା ପାଇଁ ଚାଷୀ ହନ୍ତସନ୍ତ , ଭଣ୍ଡାରିପୋଖରୀ ବିଜେପିର...

ଖରିଫ ଧାନ କିଣାରେ ଅନିୟମିତତା ଓ ଅବ୍ୟବସ୍ଥା ପାଇଁ ଚାଷୀ ହନ୍ତସନ୍ତ , ଭଣ୍ଡାରିପୋଖରୀ ବିଜେପିର ଆନ୍ଦୋଳନ ଚେତାବନୀ

21

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ମଣ୍ଡିରେ ମନୁଷ୍ୟକୃତ ସମସ୍ୟା ତଥା ମିଲର, ଯୋଗାଣ ବିଭାଗ,ସମବାୟ ବିଭାଗ ଓ ଶାସକ ଦଳର ନେତାମାନଙ୍କର ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ଶିକାର ହେଉଛି । ଧାନକ୍ରୟ ନିମିତ୍ତ ଆଦେଶ ପାଇଥିବା ମହିଳା ମହାସଂଘ ଗୁଡିକ ଦଳୀୟ ଭିତ୍ତିରେ ଚୟନ ଓ ସ୍ଥାନୀୟ ଶାସକ ଦଳର ନେତାମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ଦୃଷ୍ଟିରୁ ଧାନକିଣାରେ ସ୍ୱଚ୍ଛତା ରହୁନାହିଁ ।ଏହିପରି ଅନେକ ସମସ୍ୟା ମଧ୍ୟରେ ଚାଷୀ ପେଷି ହେଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛି । ଯାହାକୁ ନେଇ ଆଜି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବିଜେପି ନେତା ବଦ୍ରିନାରାୟଣ ଧଳ ବିଭାଗୀୟ ଅଧିକାରୀଙ୍କୁ ଭେଟି ପୁନଃ ଦୃଷ୍ଟି ଆକର୍ଷଣ କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅନୁପସ୍ଥିତିରେ ଦୁଇ ଜିଲ୍ଲା ସହ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ସମୟରେ ସେ ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକରେ ଚାଷୀ ପଞ୍ଜିକରଣ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହେତୁ ପାଖାପାଖି ୨୦୦୦ ଚାଷୀ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରୁନଥିବା ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ପାଇଁ ଟୋକନ ପାଇ ମଧ୍ୟ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଚାଷୀ ଧାନ ବିକ୍ରି କରିପାରୁନାହିଁ ।ଏହାବାଦ ମଣ୍ଡି ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।କେଉଁଠି ଚଟାଣ ଓ ପାଲ ନାହିଁ ତ କେଉଁଠି ପାନୀୟ ଜଳ ଓ ବିଜୁଳିର ବ୍ୟବସ୍ଥା ହୋଇପାରିନାହିଁ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଧାନ ଅଖା, ସୁତୁଲୀ, ଶ୍ରମିକ ଖର୍ଚ୍ଚ,ଯାତାୟାତ ଖର୍ଚ୍ଚ କୁ ମଧ୍ୟ ଚାଷୀଙ୍କ ପାଖରେ ପଂହଚାଯାଉନାହିଁ ।ଏଫଏକ୍ୟୁ ଆଳରେ କଟନି ଛଟନିରେ ୫ କିଲୋଗ୍ରାମ ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଧାନ କଟାଯାଉଛି ।

କେନ୍ଦ୍ର ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଞ୍ଚିତ ହେଉଛନ୍ତି ।ଏହିଭଳି ଅନେକ ସମସ୍ୟା ମଧ୍ୟରେ ଚାଷୀ ଧୈର୍ଯ୍ୟହରା ହୋଇ ଚାଷ କାର୍ଯ୍ୟ ପ୍ରତି ଧିକାର ମନୋଭାବ ଆଣୁଥିଲେ ମଧ୍ୟ ସମସ୍ୟାର ସମାଧାନ ନିମିତ୍ତ ସରକାରୀ ଅଧିକାରୀ ମାନେ ସାମାନ୍ୟତମ ସ୍ପୃହା ପ୍ରକାଶ କରୁନାହାନ୍ତି ବୋଲି ଶ୍ରୀ ଧଳ ଆଲୋଚନା ସମୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ଏଠାରେ ସୂଚାଇ ଦିଆଯାଇପାରେ କି,ଭଣ୍ଡାରିପୋଖରୀ ବ୍ଲକରେ ୭୭୩୨ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମାତ୍ର ୫୧୭୫ ଚାଷୀ ଧାନ ବିକ୍ରି କରିଛନ୍ତି । ଅବଶିଷ୍ଟ ୨୫୫୭ ଚାଷୀ ଟୋକନ ଓ ଟାର୍ଗେଟ ଜନିତ ସମସ୍ୟା ପାଇଁ ଧାନ ବିକ୍ରି କରିପାରିନାହାନ୍ତି । ସେହିପରି ବନ୍ତ ବ୍ଲକରେ ୯୫୫୬ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୬୭୪୯ ଚାଷୀ ଧାନବିକ୍ରି କରି ଅବଶିଷ୍ଟ ୨୮୦୭ ଚାଷୀ ଟୋକନ ଓ ଟାର୍ଗେଟ ଜନିତ ସମସ୍ୟା ପାଇଁ ଧାନବିକ୍ରିରୁ ବାଦ ପଡିଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକରେ ୧୪ ଟି ଧାନକ୍ରୟ କେନ୍ଦ୍ରରେ ଆଜିସୁଦ୍ଧା ୨୬୫୫୭୯.୨୫କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ବନ୍ତ ବ୍ଲକର ୧୭ ଟି ମଣ୍ଡିରେ ୩୨୨୩୭୧.୨୯ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି । ଧାନକ୍ରୟ ଅଧିକାରୀ ମାନେ ଟାର୍ଗେଟ ନଥିବା ଦର୍ଶାଇ ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନକ୍ରୟ କରୁନାହାନ୍ତି ।ଇତିମଧ୍ୟରେ ଟୋକନର ବୈଧତା ସରିଯାଇଥିବାରୁ ଚାଷୀ ଧାନବିକ୍ରି କରିନପାରି ମୁଣ୍ଡରେ ହାତଦେଇ ବସିଛି । ତେଣୁ ରାଜ୍ୟ ସରକାର ଏହିସବୁ ଦାବି ଗୁଡିକ ପ୍ରତି କର୍ଣ୍ଣପାତ କରିବା ସହ ଚାଷୀ ପାଇଥିବା ଟୋକନର ସମୟସୀମା ବୃଦ୍ଧି ଓ ଚାଷୀଙ୍କ ବଳକା ଧାନ ଅନୁସାରେ ଟାର୍ଗେଟ ନିରୂପଣ କରିବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋନକୁ ତୀବ୍ର କରାଯିବ ବୋଲି ଶ୍ରୀ ଧଳ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.