Home ଜିଲ୍ଲା ପରିକ୍ରମା କାନ୍ତକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପ୍ରସଙ୍ଗ : ଜିଲାପାଳଙ୍କ ଟ୍ୱିଟ୍ ପରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି

କାନ୍ତକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପ୍ରସଙ୍ଗ : ଜିଲାପାଳଙ୍କ ଟ୍ୱିଟ୍ ପରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି

109

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନେଇ ଜିଲାପାଳଙ୍କ ଟ୍ୱିଟ୍ ଜିଲାର ସାହିତ୍ୟିକ, ବୁଦ୍ଧିଜୀବୀ ଓ କାନ୍ତପ୍ରେମୀଙ୍କ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଦୀର୍ଘ ୪ ମାସର ବ୍ୟବଧାନ ପରେ ଜିଲାପାଳଙ୍କ ଏହି ଟ୍ୱିଟ୍‌କୁ ନେଇ କାନ୍ତକବି ମଂଚ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଜିଲାପାଳଙ୍କ ଏହି ଟ୍ୱିଟ୍‌ରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କାନ୍ତକବିଙ୍କ ନାଁରେ ଏକ ସ୍ମାରକୀ ଉଦ୍ୟାନ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୪ ଏକର ଜମି ଚିହ୍ନଟ ହୋଇଥିବା ସଂପର୍କରେ ସୂଚନା ରହିଛି । ତେବେ ଏନେଇ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାନ୍ତକବି ମଂଚର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପରବର୍ତ୍ତୀ ଅବସ୍ଥାରେ କାନ୍ତକବିଙ୍କ ମୂର୍ତ୍ତି ଉଚ୍ଛେଦ ହୋଇଥିବା ବାଇପାସ୍ ଅଂଚଳରେ ଗତ ଜୁନ୍ ମାସ ୮ ତାରିଖରେ ପ୍ରତିମୂର୍ତ୍ତି ସ୍ଥାପନ ନେଇ କ୍ଷେତ୍ର ପରିଦର୍ଶନ ହୋଇଥିଲା । କ୍ଷେତ୍ର ପରିଦର୍ଶନ ବେଳେ ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକ ପ୍ରମୁଖଙ୍କ ସହ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ମାପଚୁପ ହୋଇଥିଲା । ସାଳନ୍ଦୀ ବାଇପାସ୍ ଛକକୁ ଲାଗି ପ୍ରାୟ ୫୩ ଡି. ଜମିରେ ପ୍ରତିମୂର୍ତ୍ତି, ପାର୍କ ଓ ନାଟମଣ୍ଡପ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଥିଲା । ପରେ କାନ୍ତକବି ମଂଚ କାର୍ଯ୍ୟକର୍ତ୍ତାଙ୍କ ଆଗରେ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେଇଥିଲେ । ଚିହ୍ନଟ ହୋଇଥିବା ଜମିକୁ ସ୍ୱତନ୍ତ୍ର ଭାବେ ଆବଦ୍ଧ କରି ରଖିବା ଓ ଆବଶ୍ୟକ ଜମି ତୁରନ୍ତ ଅଧିଗ୍ରହଣ ପ୍ରକ୍ରିୟା ସାରିବାକୁ ମଧ୍ୟ ବିଧାୟକ ପୌର କର୍ତ୍ତୃପକ୍ଷ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭଦ୍ରକ ହେଡ୍‌କ୍ୱାର୍ଟରରେ କାନ୍ତକବିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପାଠାଗାର ଏବଂ ଯୁବ ସାହିତ୍ୟିକ ଓ ସଂସ୍କୃତିର ପ୍ରଶିକ୍ଷଣ କେନ୍ଦ୍ର ନିଜ ପାଣ୍ଠିରୁ ପ୍ରତିଷ୍ଠା କରିବେ ବୋଲି ବିଧାୟକ ଘୋଷଣା କରିଥିଲେ । ସେହିଦିନ ଅପରାହ୍ନରେ ଉକ୍ତ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥାନକୁ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ଓ ଓଡ଼ିଆ ଭାଷା ସାହିତ୍ୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ ପ୍ରମୁଖ ପରିଦର୍ଶନ କରିଥିଲେ । ତେବେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରତିଷ୍ଠା ନେଇ କୌଣସି ମନ୍ତବ୍ୟ ଦେଇନଥିଲେ । ତେବେ ୪ ମାସ ତଳେ ବିଧାୟକ ଓ ପ୍ରଶାସନର ଘୋଷଣା ହଠାତ୍ ବଦଳି ଯାଇ ସହରାଞ୍ଚଳରେ ନଥିବା ୪ ଏକର ଜମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କାନ୍ତକବିଙ୍କ ମେମୋରିଆଲ ପାର୍କ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇôଥବା ପ୍ରସଙ୍ଗ ସହରବାସୀଙ୍କୁ ଭୁଆଁ ବୁଲାଇବା ଭଳି ଜଣାପଡିଛି । ତେବେ ଜିଲାପାଳଙ୍କ ଟ୍ୱିଟ୍‌ରେ କେଉଁ ସ୍ଥାନରେ ଓ କେଉଁ ଅଂଚଳରେ ନିର୍ମାଣ ହେବ, ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦିଆଯାଇନଥିବାରୁ କାନ୍ତକବି ପ୍ରେମୀଙ୍କ ମହଲରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଅନୁସନ୍ଧାନରୁ ଜଣାଯାଇଛି ରାଜନୈତିକ ଛକାପଞ୍ଝାରୁ ସ୍ଥାନ ନିରୂପଣ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସହରରେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.