Home ଜିଲ୍ଲା ପରିକ୍ରମା ଆଜି ନବବଧୂ ସହ ଚନ୍ଦ୍ରମଣି ବାହାହୋଇ ଘରକୁ ଫେରିଥାନ୍ତା, ବାହାବେଦୀ ପରିବର୍ତ୍ତେ ମଶାଣିରେ ଜଳିଲା ବରର...

ଆଜି ନବବଧୂ ସହ ଚନ୍ଦ୍ରମଣି ବାହାହୋଇ ଘରକୁ ଫେରିଥାନ୍ତା, ବାହାବେଦୀ ପରିବର୍ତ୍ତେ ମଶାଣିରେ ଜଳିଲା ବରର ଜୁଇ

54

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁତ୍ରର ବିବାହ ପାଇଁ ଲଗ୍ନ ସରି ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । ସମସ୍ତ ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା । ହେଲେ କରୋନା ରୂପୀ ରାକ୍ଷସ ଛଡାଇନେଲା ମା’ ଠାରୁ ପୁଅକୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅସୁରାଳି ଅଂଚଳର ନାଥସାହିରେ । ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିର ଗତ ୧୧ ତାରିଖରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । କିନ୍ତୁ ୩ ଦିନ ପୂର୍ବରୁ ଲଗ୍ନ ହେବା ପରେ ତା’ ପରଦିନ ଠାରୁ ହଠାତ୍ ତାକୁ ଜ୍ୱର ହେଲା । କରୋନା ଟେଷ୍ଟ କରିବାରୁ ଚନ୍ଦ୍ରମଣିର ପଜିଟିଭ୍ ବାହାରିଲା । ଯେଉଁଥିପାଇଁ ଉଭୟ ପରିବାର ବିଚାର ବିମର୍ଷ କରି ଆସନ୍ତା ୨୮ ତାରିଖକୁ ବିବାହ ଦିନ ଘୁଞ୍ଚାଇ ଦେଇଥିଲେ । ଇତିମଧ୍ୟରେ ଧୀରେ ଧୀରେ କରୋନାରୁ ସୁସ୍ଥ ହେବାକୁ ଲାଗିଥିଲା ଚନ୍ଦ୍ରମଣି । ସେପଟେ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିଲା । ଘର ଆଗରେ ଟେଣ୍ଟ ପାଇଁ ବାଉଁଶ ବି ପଡିସାରିଥିଲା । ଘର ଆଗରେ ବରକନ୍ୟାଙ୍କ ନାମ ଓ ଶୁଭକଳସ, କଦଳୀ ଗଛର ଚିତ୍ର ଅଙ୍କା ବି ସରିଥିଲା । ହେଲେ ହଠାତ୍ ଅସୁସ୍ଥ ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଚନ୍ଦ୍ରମଣି । ପୁଅର ଦେହ ଖରାପ ଦେଖି ପରିବାର ଲୋକେ ମେଡିକାଲ ନେବାପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ୍ ଚନ୍ଦ୍ରମଣିଙ୍କ ପ୍ରାଣବାୟୁ ଉଡିଗଲା । ଶରୀରରେ ଅକ୍ସିଜେନ୍ ସ୍ତର ହଠାତ୍ କମ୍ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କରୋନାରେ ମୃତ୍ୟୁ ଘଟିବାରୁ ସାହିଭାଇ କେହି ପାଖ ମାଡିଲେଣି । ଶେଷରେ ସ୍ଥାନୀୟ ସରପଞ୍ଚ, ବ୍ଲକ୍ ପ୍ରଶାସନ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସତ୍କାର ଭଳି ଏକ ଦୁଃଖଦ ଘଟଣା ଘଟିଛି ଏହି ଅଂଚଳରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.