Home କବିତା ଉଠ ଦ୍ରୌପଦୀ

ଉଠ ଦ୍ରୌପଦୀ

292

ଉଠ ଦ୍ରୌପଦୀ, ଉଠା ତୁ ଶସ୍ତ୍ର
ତୋ ନିଜ ରକ୍ଷା ପାଇଁ
ତତେ ଆଜି ଲଢ଼ିବାକୁ ଯେ ହେବ
କାରଣ ଚକ୍ରଧାରି ଆଜି ସୁପ୍ତ କାହିଁ ?

ତୁ ବି ଲହୁ ଲୁହାଣ କରିଦେ
ଏ’ ପାପିଷ୍ଠ ଦୁଃଶାସନ ମାନଙ୍କୁ
ଆଉ ଛଡ଼େଇ ନେ ଦୃଷ୍ଟି ଶକ୍ତି
ନୀରବୀ ଥିବା ସଭ୍ୟ ସଜ୍ଜନଙ୍କ ଠୁଁ।

ନିଜକୁ ନିଜେ ରକ୍ଷା କରିବାର
କବଚ ତୁ ବାନ୍ଧି ନେ
ତୋ କେଶକୁ ଓଟାରୁ ଥିବା
ଦୁଃଶାସନଙ୍କ ହସ୍ତ ତୁ ହିଁ କାଟି ନେ।

ଆଉ କେତେଦିନ ଏମିତି
ଥର ଥର ବିବସନା ହେଉଥିବୁ
ସଂହାର କର ଗୋଟି ଗୋଟି
ତୋ ଆଡ଼କୁ ଉଠୁଥିବା ହାତ ଆଉ ଆଖିକୁ।

ସେତେବେଳେ ସିନା
ଗୋଟେ ଦ୍ରୌପଦୀ ଥିଲା,
କିନ୍ତୁ ଆଜି ତ’ ସହସ୍ର ଦ୍ରୌପଦୀ

କେତେ ବସ୍ତ୍ର ଆଉ
ଦେବେ ଆଣି ଚକ୍ରଧାରୀ
ଯେବେ କି ସେ ଆଜି
ନିରବ ପ୍ରହରୀ।

ତତେ ଜାଗ୍ରତ ହେବାକୁ ହେବ
ତୋ ପାଇଁ ଆଉ ଏ’ ନୀରବ ଦ୍ରଷ୍ଟାଙ୍କ ପାଇଁ
ଉତ୍ପାଟନ କରିଦେ
ପ୍ରତି ଦୁଃଶାସନଙ୍କ ହାତ
ଯାହା ଉଠିଛି ତୋ ଲାଜକୁ
ହତ୍ୟା କରିବା ପାଇଁ।

ନୁହଁ ତୁ ଅବଳା,
ନୁହଁ ତୁ ଦୁର୍ବଳା
ତୁ ବି ଲଙ୍ଘି ପାରୁ ଗିରି
ଦେଖ ଗିରୀ ସୁତା କିଭଳି ନାସିଲା
ମହିଁସା ଆଉ ତା’ ଅସୁରପୁରୀ।

ଥରେ ମାତ୍ର ତୋ ଅନ୍ତରରେ
ଉଙ୍କି ମାରି ଦେଖ
ତୁ ବି ଶକ୍ତି ସ୍ୱରୂପା
ସେ ଶକ୍ତିକୁ ଜଗାଇ ଦେ ଥରେ
ଦେଖିବୁ ତୁ ସୃଷ୍ଟି ଆଉ
ସଂହାରିଣୀ ରୁପା

ଆଉ କେତେ ତୁ ଶୋ।ଇବୁ
ନୀତି ବଳତ୍କାର ଆଉ
ଅତ୍ୟାଚାର ଜୁଇ ପରେ
ତୋ ଆର୍ତ୍ତ ଚିତ୍କାର ଆଉ
କାନେ ପଡ଼େନା ଏଠି

ଶସ୍ତ୍ର ଉଠା ତୁ ଦ୍ରୌପଦୀ।

ଲୁହ ତତେ ଆହ୍ଵାନ କରେ।

– ରଶ୍ମିମୟୀ ପଟ୍ଟନାୟକ (ଜଟଣୀ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.