ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା କାଳୀପୂଜା ଓ ଦୀପାବଳି ଅବସରରେ ଭଦ୍ରକ ସହର ତଥା ଜିଲ୍ଲାର ଗ୍ରାମାଂଚଳରେ ଅସ୍ଥାୟୀ ଆତସବାଜି ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ ଓ ବିକ୍ରି ସ୍ଥାନ ନିର୍ଦ୍ଧାରଣ ନିମନ୍ତେ ଶୁକ୍ରବାର ସଦ୍ଭାବନା ସଭାଗୃହରେ ଏକ ପ୍ରାକ୍ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗ୍ରୀନ୍ କ୍ରାକର୍ସ ବିକ୍ରି, ଅଗ୍ନିନିରାପତା ଓ ନିର୍ଦ୍ଧାରିତ ସ୍ଥାନରେ ସୁରକ୍ଷିତ ବାଣ ବିକ୍ରି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଗୁଇନ୍ଦା ସଂସ୍ଥା) ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର (ବିଚାର) କାର୍ତିକ ନାଥ ମଣ୍ଡଳଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶ୍ରୀ ମଣ୍ଡଳ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଆଲୋଚନା ପରେ ଜିଲ୍ଲାରେ ଥିବା ସମସ୍ତ ଅସ୍ଥାୟୀ ଆତସବାଜି ଦୋକାନରେ କେବଳ ଗ୍ରୀନ୍ କ୍ରାକର୍ସ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ କରିବା ସହ ପର୍ବପର୍ବାଣୀକୁ ଅଧିକ ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ଦୋକାନୀମାନେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗ୍ରୀନ୍ କ୍ରାକର୍ସ ବିକ୍ରି କରିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବେ। ନିଷ୍ପତି ଅନୁଯାୟୀ, ଅସ୍ଥାୟୀ ଆତସବାଜି ଦୋକାନଗୁଡ଼ିକ ୨ ନଭେମ୍ବର ୨୦୨୬ ଠାରୁ ୭ ନଭେମ୍ବର ୨୦୨୬ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହି ବାଣ ବିକ୍ରି କରିପାରିବେ। ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନୁମତିପତ୍ର ନେବା ବାଧ୍ୟତାମୂଳକ ରହିଛି। ବାଣ ଦୋକାନ ପାଇଁ ସୁରକ୍ଷିତ ସ୍ଥାନ ଚିହ୍ନଟ ନିମନ୍ତେ ସମ୍ପୃକ୍ତ ତହସିଲଦାର, ଅଗ୍ନିଶମ ଅଧିକାରୀ ଓ ଥାନାଧିକାରୀଙ୍କୁ ନେଇ ମିଳିତ ଭାବେ ସ୍ଥାନ ନିର୍ଦ୍ଧାରଣ କରାଯିବ। ଗ୍ରାମାଂଚଳରେ ଏହି ଅଧିକାରୀମାନେ ମିଳିତ ଭାବେ ଯାଂଚ କରି ଇଚ୍ଛୁକ ଦୋକାନୀମାନଙ୍କୁ ଆବଶ୍ୟକ ଅନାପତି ପ୍ରମାଣପତ୍ର ପ୍ରଦାନ କରିବା ସହ ସରକାରୀ ଦେୟ ଆଦାୟ କରିବେ। ପୌରାଂଚଳ ଓ ବିଜ୍ଞାପିତ ଅଂଚଳରେ ଏହି ପ୍ରକ୍ରିୟାରେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ସାମିଲ ହେବେ। ଭଦ୍ରକ ପୌରାଂଚଳରେ ଅସ୍ଥାୟୀ ବାଣ ଦୋକାନ ପାଇଁ ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ଆର୍ରଏମ୍ସି ପଡ଼ିଆ ଓ ସାଳନ୍ଦୀ ନଦୀ ପଠା। ପ୍ରଶାସନ ପକ୍ଷରୁ ସମସ୍ତ ଅସ୍ଥାୟୀ ବାଣ ଦୋକାନୀଙ୍କୁ ସରକାରୀ ନିୟମାବଳୀ, ଅଗ୍ନିନିରାପତା ନିୟମ ଓ ଅନୁମତି ସର୍ତାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ ଯେକୌଣସି ସମୟରେ ଦୋକାନ ସିଲ୍ କରାଯିବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ।
Home ଜିଲ୍ଲା ପରିକ୍ରମା କାଳୀପୂଜା ଓ ଦୀପାବଳିରେ କେବଳ ଗ୍ରୀନ୍ କ୍ରାକର୍ସ ବିକ୍ରି ଉପରେ ଗୁରୁତ୍ୱ ,ଭଦ୍ରକ ସହରରେ ବାଣ...








