ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜଳସେଚନ ଡିଭିଜନର ଏକଚାଟିଆ, ମନମୁଖୀ ଓ ଅଦୂରଦର୍ଶୀ ନିଷ୍ପତିକୁ ନେଇ ଏବେ ଧାମନଗର ଅଂଚଳରେ ଘୋର ଅସନ୍ତୋଷ ଏବଂ ବଡ଼ ବିବାଦ ଦେଖାଦେଇଛି। ଦଶରଥପୁର ବ୍ଲକର ତରପଡ଼ା ପଂଚାୟତ ଡୋଭାବିଲ ପାଟଣାଠାରେ ବୈତରଣୀ ନଦୀରୁ ବାହାରିଥିବା କାଣୀ ନଦୀର ଉତ୍ପତିସ୍ଥଳକୁ ପଥର ବନ୍ଧ ଦ୍ୱାରା ସ୍ଥାୟୀ ଭାବେ ବନ୍ଦ କରାଯାଉଛି। ଏହି ବେଆଇନ କାର୍ଯ୍ୟ ଯୋଗୁଁ ଆଗାମୀ ଦିନରେ ଧାମନଗରବାସୀଙ୍କ ପାଇଁ ବନ୍ୟା ବିପଦ ଅଧିକ ଭୟଙ୍କର ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।ଜଳସେଚନ ବିଭାଗର ଏଭଳି ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଶୁକ୍ରବାର ଧୁଷୁରୀ ଅଂଚଳର ବରିଷ୍ଠ ବିଜେପି ନେତା ଚତୁର୍ଭୁଜ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଭେଟି ଆଲୋଚନା କରିଛନ୍ତି। କାଣୀ ନଦୀ ମୁହାଣକୁ ତୁରନ୍ତ ଖୋଲାଯିବା ଲାଗି ସେମାନେ ଦୃଢ଼ ଦାବି ଜଣାଇଛନ୍ତି। ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ନିଜେ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିବେ ଏବଂ ତା’ପରେ ବିହୀତ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଗତ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବୈତରଣୀ ନଦୀର ବାରମ୍ବାର ବନ୍ୟା ଏବଂ କାଣୀ ନଦୀରେ ଘାଇ ହେବା କାରଣରୁ ଶହ ଶହ ଏକର ଚାଷଜମି ନଷ୍ଟ ହୋଇଥିଲା। ବନ୍ୟା ପାଣିକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଳସମ୍ପଦ ବିଭାଗ ଏବେ କୋଟି କୋଟି ଟଙ୍କା ପାଣିରେ ପକାଇବା ପରେ ସିଧାସଳଖ ନଦୀର ମୁହଁକୁ ପୋତି ଦେବାକୁ ବସିଛି। ପ୍ରାୟ ୪୦ ମିଟର ଚଉଡ଼ା ଏବଂ ୧୦ ମିଟର ଉଚ୍ଚର ଏହି ପଥର ବନ୍ଧ ଦ୍ୱାରା ନଦୀର ପ୍ରାକୃତିକ ସ୍ରୋତକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଉଛି।ବିଶେଷଜ୍ଞଙ୍କ ମତରେ, ବଡ଼ ବନ୍ୟାବେଳେ ବୈତରଣୀର ପ୍ରାୟ ୨୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩୦ ହଜାର କ୍ୟୁସେକ ପାଣି ଏହି କାଣୀ ନଦୀ ଦେଇ ନିଷ୍କାସିତ ହୋଇଥାଏ। ଏହାଫଳରେ ଧାମନଗର ବ୍ଲକର ହସନାବାଦ, ପଙ୍ଗଟା, ଅସ୍ତକ ଏବଂ ପାଳସାହି ଭଳି ଅଂଚଳ ବଡ଼ ବନ୍ୟାରୁ କିଛି ମାତ୍ରାରେ ରକ୍ଷା ପାଇଥାଏ। କିନ୍ତୁ ବର୍ତମାନ କାଣୀ ନଦୀ ମୁହଁ ବନ୍ଦ ହେଲେ ଏହି ବିପୁଳ ପରିମାଣର ବନ୍ୟାଜଳ ସିଧାସଳଖ ଧାମନଗର ଓ ଚାନ୍ଦବାଲି ବ୍ଲକ ଉପରେ ପଡ଼ିବ। ଧାମନଗରକୁ ସମ୍ପୂର୍ଣ୍ଣ ବନ୍ୟାମୁକ୍ତ କରିବା ପାଇଁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବାରମ୍ବାର ପ୍ରତିଶ୍ରୁତି ଦେଇଥିବାବେଳେ, ସରକାରୀ ବିଭାଗର ଏଭଳି ଏକପାଖିଆ ପଦକ୍ଷେପକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କୌଣସି ପ୍ରାକୃତିକ ନଦୀର ଉତ୍ପତିସ୍ଥଳକୁ ଏପରି ଭାବେ ବନ୍ଦ କରିବା ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିମ୍ବା ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତୃପକ୍ଷଙ୍କଠାରୁ କୌଣସି ଆନୁଷ୍ଠାନିକ ଅନୁମତି ନିଆଯାଇ ନାହିଁ। ଜଳ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଆଇନ, ୧୯୭୪ ଏବଂ ଜାତୀୟ ସବୁଜ ପ୍ରାଧିକରଣ ଆଇନ, ୨୦୧୦ ଅନୁସାରେ ନଦୀର ସ୍ୱାଭାବିକ ପ୍ରବାହ ନଷ୍ଟ କରିବା ଏକ ସାଙ୍ଘାତିକ ଅପରାଧ। ଜଳସ୍ରୋତକୁ ଅବରୋଧ କରି ସାଧାରଣ ଜନତାଙ୍କୁ ବନ୍ୟା ବିପଦରେ ପକାଉଥିବା ଏଭଳି ବେଆଇନ କାର୍ଯ୍ୟ ଉପରେ ଏନଜିଟି ସ୍ୱତଃପ୍ରବୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
Home ଜିଲ୍ଲା ପରିକ୍ରମା କାଣୀ ନଦୀ ମୁହାଣ ବନ୍ଦ ପ୍ରସଙ୍ଗ,ଧାମନଗର ବାସୀଙ୍କ ମୁଣ୍ଡରେ ଚିନ୍ତାର ବାଦଲ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା...








