ଓଡ଼ିଶା

ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଦାବି :“ରାଜ୍ୟସଭା”କୁ ବିଲୁପ୍ତ କରାଯାଉ: ଜର୍ମାନୀରେ ଅନୁସୃତ “ମିଶ୍ରିତ” ଆନୁପାତିକ ପ୍ରତିନିଧିତ୍ୱ ଦ୍ୱାରା ଲୋକସଭା ଓ ବିଧାନସଭା ଗଠିତ ହେଉ

-ପରୋକ୍ଷରେ ନିର୍ବାଚିତ “ରାଜ୍ୟସଭା”କୁ ବିଲୁପ୍ତ କରାଯାଉ: ଜର୍ମାନୀରେ ଅନୁସୃତ “ମିଶ୍ରିତ” ଆନୁପାତିକ ପ୍ରତିନିଧିତ୍ୱ ଦ୍ୱାରା ଲୋକସଭା ଓ ବିଧାନସଭା ଗଠିତ ହେଉ
-ସମସ୍ତ ମତଦାତା ଓ ସବୁ ରାଜନୈତିକ ଦଳକୁ “ରାଜନୈତିକ ନ୍ୟାୟ” ଦେବା ପାଇଁ “ଇଲେକ୍ଟୋରାଲ୍ ବଣ୍ଡ” ଅନାବଶ୍ୟକ : “ରାଜନୈତିକ ନ୍ୟାୟ”କୁ ପରିବ୍ୟାପ୍ତ କରିବା ପାଇଁ “ଆନୁପାତିକ ପ୍ରତିନିଧିତ୍ୱ” ହିଁ ଯଥେଷ୍ଟ – ଏଫ୍.ପି.ଆଇ.

ଭୁବନେଶ୍ୱର ୧୨/୦୧(ଓଡ଼ିଆ ପୁଅ): “ମୁକ୍ତଚିନ୍ତନବାଦୀ” ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର କାର୍ଯ୍ୟକାରିଣୀ ସମିତି ବୈଠକ ପାର୍ଟିର ସଭାପତି ଡ଼କ୍ଟର ବିଜୟାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଦିନ ଅପରାହ୍ନରେ ଦଳର ସଦର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭାର ଗଠନ ଓ କାର୍ଯ୍ୟାବଳୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସିଦ୍ଧାନ୍ତ ନିଆଗଲା ଯେ ରାଜ୍ୟସଭା ଆଉ ରାଜ୍ୟମାନଙ୍କର ସଭାହୋଇ ରହିନାହିଁ। ଏହା ମୁଖ୍ୟତଃ ଭିନ୍ନଭିନ୍ନ ରାଜନୈତିକ ଦଳର ହାଇକମାଣ୍ଡମାନଙ୍କର ତୋଷାମଦକାରୀଙ୍କ ସଭାରେ ପରିଣତ ହୋଇ ସାରିଛି। ରାଜନୈତିକ ଦଳ ଗୁଡ଼ିକୁ “ଅନନୋନ୍ ଡ଼ୋନର” ହିସାବରେ ପ୍ରଚୁର ଅର୍ଥ ଦାନ କରି କେତେକ ଶିଳ୍ପପତି ରାଜ୍ୟ ସଭାର ସଦସ୍ୟ ହେଉଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଲୋକସଭାରେ ଯାହା କିଛି ନିଷ୍ପତ୍ତି ନିଆଯାଉଛି ପରୋକ୍ଷ ନିର୍ବାଚନରେ ଗଠିତ ରାଜ୍ୟସଭା ତାହା ଉପରେ ଅଙ୍କୁଶ ଜାରି କରୁଛି। ଉଦାହରଣ ସ୍ୱରୂପ ଲୋକସଭାରେ ଗୃହିତ ଟ୍ରିପୁଲ୍ ତଲାକ୍ ନିଷେଧକାରୀ ବିଲ୍ “ଦି ମୁସ୍ଲିମ୍ ୱେମେନ୍ (ପ୍ରୋଟେକ୍ସନ୍ ଅଫ୍ ରାଇଟ୍ ଅନ୍ ମ୍ୟାରେଜ୍) ବିଲ୍, ୨୦୧୭”କୁ ରାଜ୍ୟସଭା ଅଟକାଇ ଦେଇଛି। ମୁସ୍ଲିମ୍ ମହିଳାମାନଙ୍କୁ ଟ୍ରିପୁଲ୍ ତଲାକ୍ ଭଳି ଏକ ଅମାନୁଷିକ ମଧ୍ୟଯୁଗୀୟ ପରମ୍ପରାରୁ ରକ୍ଷା କରିବା ଲକ୍ଷ୍ୟରେ ଯେଉଁ ବିଲ୍ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ସିନ୍ଧାନ୍ତ କ୍ରମେ ଆସିଥିଲା ତାହା ଲିଙ୍ଗ-ସମତାଧର୍ମୀ ଥିଲା। ମାତ୍ର ଏଭଳି ଏକ ବିଲ୍କୁ ରାଜ୍ୟସଭା ରେ ସେପରି ଗୁରୁତ୍ୱ ଦିଆଗଲା ନାହିଁ। ଫଳତଃ ମୁସ୍ଲିମ୍ ମହିଳାମାନେ ଯେଉଁ ସାମାଜିକ ନ୍ୟାୟ ପାଇବା ପାଇଁ ଆଶା ରଖିଥିଲେ ସେଥିପ୍ରତି କୁଠାରଘାତ କରିବା ପାଇଁ ରାଜ୍ୟସଭା ପଛାଇ ନାହିଁ। ତେଣୁ ରାଜ୍ୟସଭାକୁ ରାଜକୋଷରୁ ପ୍ରଚୁର ଅର୍ଥ ବରବାଦ କରି ଅଧିକକାଳ ଧରି ରଖିବାର କୌଣସି ଆବଶ୍ୟକତା ନାହିଁ।

ଅସଲ କଥା ହେଉଛି, ବିଧାନସଭାକୁ ଯେଉଁ ସଭ୍ୟମାନେ ନିର୍ବାଚିତ ହୋଇ ଆସୁଛନ୍ତି ସେମାନଙ୍କ ଭୋଟ ବଳରେ ରାଜ୍ୟସଭାର ସଦସ୍ୟମାନେ ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି। ମାତ୍ର ଆମ ଦେଶରେ “ଘୋଡ଼ା ଦୌଡ଼ ମାର୍କା” ନିର୍ବାଚନ ପଦ୍ଧତି ଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ରାଜନୈତିକ ଦଳ ଗୁଡ଼ିକୁ ନ୍ୟାୟସଂଗତ ବା ଯଥାର୍ଥ ପ୍ରତିନିଧିତ୍ୱ ମିଳୁନାହିଁ। ଉଦାହାରଣ ସ୍ୱରୂପ ୧୪୭ ସଭ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ମାତ୍ର ୪୩% ଭୋଟ ବଳରେ ନବୀନ୍ ପଟ୍ଟନାୟକଙ୍କ ବିଜେଡ଼ି (ବିଜୁ ଜନତା ଦଳ) ଗୃହର ୮୦% ଆସନ ଯାହାକି ସଂଖ୍ୟା ଦୁଷ୍ଟିରୁ ୧୧୭ ମାଡ଼ି ବସିଛି। ଏହି କାରଣରୁ ଶତକଡ଼ା ୪୩ ଭାଗ ଭୋଟ ପାଇଥିବା ଦଳ ରାଜ୍ୟ ସଭାରେ ଓଡ଼ିଶା ପାଇଁ ଉଦ୍ଧିଷ୍ଟ ଥିବା ୧୦ଟି ଆସନରୁ ୯ ଟି ଆସନକୁ କରଗତ କରିଛି। ଶତକଡ଼ା ହିସାବରେ ଏହା ହେଉଛି ୯୦ ଭାଗ। ସାରା ଦେଶରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସୁଥିବା ସଦସ୍ୟମାନଙ୍କର କ୍ଷେତ୍ରରେ ଏହିପରି ରାଜନୈତିକ ଅନ୍ୟାୟର ‘ପରିବର୍ଦ୍ଧିତ ଚେହେରା’ ରହିଛି। ତୃଟିପୂର୍ଣ୍ଣ ନିର୍ବାଚନ ପଦ୍ଧତି ହେତୁ ବିଧାନସଭାରେ ଆନୁପାତିକ ପ୍ରତିନିଧିତ୍ୱ ରହୁ ନାହିଁ। ୪୩% ମତଦାତାଙ୍କ ଭୋଟ ଗୃହରେ ୮୦% ପ୍ରତିନିଧିତ୍ୱ ପାଉଛି। ଫଳତଃ ଓଡ଼ିଶାରେ ବିଜେଡ଼ି କୁ ଯେଉଁ ସଫଳତା ମିଳୁଛି ତାହା କଂଗ୍ରେସ ଓ ବିଜେପିକୁ ଆଦୌ ମିଳୁ ନାହିଁ।। ଯେଉଁ ୪୩% ଭୋଟ ୮୦% ସିଟ୍କୁ ରୂପାନ୍ତରିତ ହେଉଛି ତାହା ରାଜ୍ୟସଭା ନିର୍ବାଚନ ବେଳକୁ ଅତିମାତ୍ରାରେ ପରିବର୍ଦ୍ଧିତ ହୋଇଯାଇ ୯୦%ରୁ ୧୦୦% ଛୁଇଁଯାଉଛି। ଏପରି କଦର୍ଯ୍ୟ ନିର୍ବାଚନ ପଦ୍ଧତି ଉପରେ ଛିଡ଼ା ହୋଇଥିବା ରାଜ୍ୟସଭାକୁ ତୁରନ୍ତ ବିଲୁପ୍ତ କରାଯିବା ଦରକାର।

ସୁପ୍ରତିନିଧିତ୍ୱ ପାଇଁ ସଂସଦୀୟ ଗଣତନ୍ତ୍ର ଓ ସଂଘୀୟ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କରିଥିବା ଦେଶ ଜର୍ମାନୀରେ ଯେଉଁ ମିଶ୍ରିତ ଆନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ରହିଛି ତାହା ଭାରତରେ ଅନୁସୃତ ହେବା ପାଇଁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ତାହାର କାର୍ଯ୍ୟାକାରିଣୀ ସମିତିରେ ଦାବି କରାଯାଇଛି। ଏହି କାର୍ଯ୍ୟକାରୀ ସମିତିରେ ରାଜ୍ୟସଭା, ଲୋକସଭା ଓ ବିଧାନସଭାର ଗଠନ ଓ କାର୍ଯ୍ୟାବଳୀର ଚିତ୍ର ପ୍ରସଂଗ କ୍ରମେ ପ୍ରଦାନ କରିଥିଲେ ଦଳର ସାଧାରଣ ସଂପାଦକ ବି. ରାମଚନ୍ଦ୍ର ସିଏସ୍ଟି ଭୋଲଟେୟାର୍।

ଦଳର ଉପସଭାପତି ହରିଶ୍ଚନ୍ଦ୍ର କର, ଯୁଗ୍ମ ସଂପାଦକ ଗନ୍ଧର୍ବ ନାୟକ, କାର୍ଯ୍ୟକାରିଣୀ ସଭ୍ୟା ଶ୍ରୀମତୀ ସ୍ୱପ୍ନା ବିଜୟିନୀ, ବିଜୟ କୁମାର ସ୍ୱାଇଁ, ବଦ୍ରି ନାରାୟଣ ଏବଂ ନିମନ୍ତ୍ରିତ ଅତିଥି ଭାବେ ସମାଜ ସଂସ୍କାରକ ମାନସ ଜେନା ଓ ଆମ୍ବେଦକରପନ୍ଥୀ ବୁଦ୍ଧିଜୀବୀ ମଧୁସୂଦନ ଯାଦବ ଦଳର କାର୍ଯ୍ୟକାରିଣୀ ସମିତି ଆଲୋଚନାରେ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top