ଓଡ଼ିଶା

“ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଭୂମିକା ଧର୍ମକୁ ଆଖି ଠାର ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା ଦୁର୍ଭାଗ୍ୟ ଜନକ – ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ସେଠୀ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ବିଭିନ୍ନ ପଂଚାୟତ ସମିତିର “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଭୂମିକା ଧର୍ମକୁ ଆଖି ଠାର ମାରିବା ସଦୃଶ ବୋଲି ଆଜି ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ସେଠୀ କହିଛନ୍ତି। ଭଦ୍ରକର ହୋଟେଲ ବ୍ଲୁ ଭାଇନ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ସରକାରଙ୍କ ନିୟମାନୁଯାୟୀ ପଂଚାୟତସ୍ତରୀୟ ଓ ତଦୃର୍ଦ୍ଧ ନିର୍ବାଚିତ ଜନ ପ୍ରତିନିଧିମାନଙ୍କର ମତାମତ ଗ୍ରହଣ କରି ଏହି କାର୍ଯ୍ୟକ୍ରମର ପ୍ରକଳ୍ପ ପ୍ରସ୍ତୁତ ହେବା ଉଚିତ୍। ମାତ୍ର ଓଡ଼ିଶାର କୌଣସି ପଂଚାୟତ ଏପରିକି ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତର ସ୍ଥିତାବସ୍ଥା ସଂପର୍କରେ ମୌଳିକ ଧାରଣା ନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ବିଭିନ୍ନ ପଂଚାୟତର ଯୋଜନାଗୁଡିକୁ ଭିଡିଓ କନ୍ଫେରେନ୍ସି ମାଧ୍ୟମରେ ଚୂଡାନ୍ତ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଦେଢ ଦୁଇ ମିନିଟ୍ର ବାର୍ତ୍ତାଳାପରେ କୌଣସି ବ୍ଲକ୍ର ପ୍ରକଳ୍ପଗୁଡିକର ପ୍ରସ୍ତାବ ମୁଖ୍ୟମନ୍ତ୍ରୀ କେଉଁ ଆଧାରରେ ସବୁଜ ସଂକେତ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ସେଠୀ ତାଙ୍କୁ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟରେ ହଜାର ହଜାର ଲୋକଙ୍କୁ ଗାଡି, ମୋଟର ଓ ଅର୍ଥ ଲାଳସା ଦେଇ ବିଜୁ ଜନତା ଦଳର ବିଧାୟକ ଓ କାର୍ପଟଦାରମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବାବେଳେ ଭଣ୍ଡାରିପୋଖରୀ, ଚାନ୍ଦବାଲି ଓ ତିହିଡିର ପଂଚାୟତ ସମିତିରେ ଅଣବିଜେଡି ନିର୍ବାଚିତ ପ୍ରତିନିଧିମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ତାହା ଅଣଦେଖା କରାଯାଇଛି। ଜିଲାର ଅନ୍ୟତମ ପ୍ରାକୃତିକ ବିପର୍ଯ୍ୟସ୍ତ ଅଂଚଳ ଧାମନଗରରେ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ରୂପରେଖ ନେଇନଥିଲେ ବି ଏପର୍ଯ୍ୟନ୍ତ ସଂଖ୍ୟାଧିକ ନିର୍ବାଚିତ ପ୍ରତିନିଧି ଏପରିକି ଧାମନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରକଳ୍ପ ଚୟନ ସଂପର୍କରେ ବିଶ୍ୱାସକୁ ନେବାତ ଦୂରର କଥା ସାମାନ୍ୟ ଆଲୋଚନା ମଧ୍ୟ କରାଯାଇନାହିଁ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସଂପ୍ରତି ଧାମନଗର ବ୍ଲକ୍ର ୮୦ ପ୍ରତିଶତ ନିର୍ବାଚିତ ପ୍ରତିନିଧି ଅଣ ବିଜୁଜନତା ଦଳ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାମାନଙ୍କୁ ସାମାନ୍ୟ ଆଲୋଚନାର ପରିସର ମଧ୍ୟକୁ ସ୍ଥାନୀୟ ବିଡିଓ ରାଜନୈତିକ ଚାପରେ ବଶବର୍ତ୍ତୀ ହୋଇ ନଡାକିବା ଅଗଣତାନ୍ତ୍ରିକ ପନ୍ଥା ବୋଲି ଶ୍ରୀ ସେଠୀ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିଶେଷକରି ବିଧାୟକମାନଙ୍କ ପ୍ରରୋଚନାରେ ସ୍ଥିରୀକୃତ ହୋଇଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ କାର୍ଯ୍ୟନ୍ୱୟନ କରିବାକୁ ବ୍ଲକ୍ର ବିଭାଗୀୟ କର୍ମଚାରୀମାନଙ୍କ ଦାୟିତ୍ୱରେ ନ୍ୟସ୍ତ କରି ବିଜେଡି କୋଟି କୋଟି ଟଙ୍କା ଦଳର କର୍ମୀମାନଙ୍କ ପକେଟ୍ ପୁରାଇବା ପାଇଁ ହଡପ କରିବାକୁ ମସୁଧା କରୁଛି। ଜନତା ଦରବାର ଗ୍ରାମସଭା କିମ୍ବା ପଲ୍ଲୀସଭା ମାଧ୍ୟମରେ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଶ୍ରୀ ସେଠୀ ଦାବି ଜଣାଇଛନ୍ତି। ଯଦି ଧାମନଗର, ତିହିଡି କିମ୍ବା ଜିଲ୍ଲାର କୌଣସି ବ୍ଲକ୍ରେ ଏଭଳି ଅଗଣତାନ୍ତ୍ରିକ, ସ୍ୱେଚ୍ଛାଚାରୀ ପଦକ୍ଷେପ ନିଆଯାଏ, ତେବେ ବିଜେପି ଓ ପରିବର୍ତ୍ତନ ସାମ୍ମୁଖ୍ୟ ପକ୍ଷରୁ ଅଧ୍ୟକ୍ଷଙ୍କ ଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇ ଦୁର୍ବାର ଆନ୍ଦୋଳନର ଆଶ୍ରୟ ନେବା ସହ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ବାଧ୍ୟହେବେ ବୋଲି ଶ୍ରୀ ସେଠୀ ଓ ତାଙ୍କ ସହ ଉପସ୍ଥିତ ଥିବା ବହୁ ସରପଞ୍ଚ, ସରପଞ୍ଚଙ୍କ ପ୍ରତିନିଧି ଓ ମଣ୍ଡଳ ସ୍ତରୀୟ ସଭାପତି, ସଂପାଦକମାନେ ଚେତାବନୀ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାର ଦୁଇଟି ପଂଚାୟତ ସମିତିର ଅଧ୍ୟକ୍ଷ ପଦ ମଧ୍ୟରୁ ଭଣ୍ଡାରିପୋଖରୀ ଓ ଧାମନଗରରେ ଅଣ ବିଜୁ ଜନତା ଦଳର ଅଧ୍ୟକ୍ଷ ଥିବାରୁ ସେମାନଙ୍କୁ ପ୍ରଶାସନ ତରଫରୁ ଉପେକ୍ଷା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀଙ୍କ ସହ ଭଦ୍ରକ ଜିଲ୍ଲାର ବିଜେପି ସାଧାରଣ ସଂପାଦକ ଅଶୋକ ପୁହାଣ, ଉପସଭାପତି ଚର୍ତୁଭୁଜ ନାୟକ, ୧୧ ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ମନୋରଂଜନ ମଲ୍ଲିକ, ଧାମନଗର ଗ୍ରାମୀଣ ମଣ୍ଡଳର ସଭାପତି ଦୀପ୍ତିରଂଜନ ଜେନା, ମୁକୁନ୍ଦଦେବ ମଣ୍ଡଳର ଅରବିନ୍ଦ ପତି, ରାଜ୍ୟ ଓବିସି ମୋର୍ଚ୍ଚାର ବୁଦ୍ଧଦେବ ଜେନା, ଦୋବଲ ସେବା ସମବାୟ ସମିତିର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପ୍ରତି, ପାଳସାହି ସେବା ସମବାୟ ସମିତିର ସଭାପତି ବିନୋଦ ବିହାରୀ ନାୟକ, ଧାମନଗର ବିଜେପିର ସାଧାରଣ ସଂପାଦକ ଶ୍ରୀକାନ୍ତ ନାୟକ, ପ୍ରଶାନ୍ତ ସାହୁଙ୍କ ସମେତ ବହୁ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top