Home Top News ବିଜେପି ମହିଳା ମୋର୍ଚ୍ଚାରେ ବିଦ୍ରୋହ; ଭାଇରାଲ୍ ଅଭିଯୋଗ: ବିଦ୍ରୋହୀଙ୍କ ସପକ୍ଷରେ ମନ୍ତ୍ରୀଙ୍କ ପାଖଲୋକ!

ବିଜେପି ମହିଳା ମୋର୍ଚ୍ଚାରେ ବିଦ୍ରୋହ; ଭାଇରାଲ୍ ଅଭିଯୋଗ: ବିଦ୍ରୋହୀଙ୍କ ସପକ୍ଷରେ ମନ୍ତ୍ରୀଙ୍କ ପାଖଲୋକ!

79

ଭୁବନେଶ୍ୱର: ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାରେ ଅନ୍ତଃକନ୍ଦଳ ଭିତରେ ଏବେ ବିଦ୍ରୋହର ସ୍ୱର ଦେଖାଦେଇଛି। ଏହି ବିଦ୍ରୋହ ନିଜ ନେତୃତ୍ୱଙ୍କ ପ୍ରତି ଦେଖାଦେଇଛି। ଜଣେ ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ରାଜ୍ୟ ସଭାନେତ୍ରୀଙ୍କୁ ଆକ୍ଷେପ କରି ଇସ୍ତଫା ଧମକ ଚିଠି (ଟେକ୍ସ୍ଟ ମେସେଜ୍) ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ମହିଳା ମୋର୍ଚ୍ଚା ଭିତରେ ଥିବା କନ୍ଦଳ ଜଣାପଡ଼ିଛି। ସଂପୃକ୍ତ ସୋସିଆଲ୍ ମିଡିଆ ସଂଯୋଜିକା ଜଣଙ୍କ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ଅନେକ ଗୁଡ଼ିଏ ଦିଗରେ ଆକ୍ଷେପ କରି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଅଭିିିଯୋଗ ଲେଖିଛନ୍ତି। କିନ୍ତୁ ସେହି ଲେଖାର କପି (ଟେକ୍ସ୍ଟ ମେସେଜ୍) ବାହାରକୁ ଲିକ୍ ହୋଇଯାଇଛି କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ଲିକ୍ କରାଯାଇଛି। ଅଭିଯୋଗରେ ସଂଯୋଜିକା ଅନେକ ଗୁଡ଼ିଏ ଅଭିଯୋଗ କରି ଲେଖିଛନ୍ତି, ସେ ରାଜ୍ୟ ସୋସିଆଲ ମିଡିଆ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ। କିନ୍ତୁ, ପ୍ରଥମରୁ ତାଙ୍କୁ ଅଣଦେଖା କରି ଦାୟିତ୍ବ ନିର୍ବାହ କରିବାରେ ବାଧା ସୃଷ୍ଟି କରିବା ଯୋଗୁଁ ସେ ପଦବୀରୁ ଇସ୍ତଫା ଦେବା ପାଇଁ ବାଧ୍ୟ ହେଉଛନ୍ତି। ଏହି ନିଷ୍ପତ୍ତିର କାରଣ ସ୍ୱରୂପ ସେ କେତେ ଗୁଡ଼ିଏ ଅଭିଯୋଗ କରିଛନ୍ତି। ଭାଇରାଲ୍ ଲେଖାଟିରେ ଲେଖାଯାଇଛି, ବାରମ୍ବାର ଅନୁରୋଧ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜିକା ଭାବରେ ତାଙ୍କ ପରିଚୟ ରାଜ୍ୟ ନେତୃବୃନ୍ଦ ଓ କାର୍ଯ୍ୟକାର୍ତ୍ତାଙ୍କ ସମ୍ମୁଖରେ କରାଗଲା ନାହିଁ। ସେ ଯେତେବେଳେ ୩୬ଟି ଯାକ ଜିଲ୍ଲାର ସୋସିଆଲ ମିଡ଼ିଆ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କଲେ, ସେତେବେଳେ ଅନେକ ଅନୁରୋଧ ପରେ ମଧ୍ୟ ରାଜ୍ୟ ସଭାନେତ୍ରୀ ତାଙ୍କୁ ସବୁ ଜିଲ୍ଲା ସଭାନେତ୍ରୀ ମାନଙ୍କର ସୂଚୀ ଦେଲେ ନାହିଁ। ସେ ଯେବେ ନିଜ ପ୍ରଚେଷ୍ଟାରେ ଡାଟା ସଂଗ୍ରହ କରିବା ପାଇଁ ଚାହିଁଲେ କିଛି ରାଜ୍ୟ ନେତ୍ରୀ ତାଙ୍କ ପଥରୋଧ କରିବା ପାଇଁ ଜିଲ୍ଲା ନେତ୍ରୀମାନଙ୍କୁ ତାଙ୍କୁ ସହଯୋଗ ନକରିବା ପାଇଁ ନିର୍ଦ୍ଦେଶ ଓ ଚେତାବନୀ ଦେଲେ। ସମୂର୍ଣ୍ଣ ରାଜ୍ୟର ସୋସିଆଲ ମିଡିଆ ସଂଯୋଜିକା ପଦରେ ଥାଇ ମଧ୍ୟ ୧୮ଟି ଅନୁନ୍ନତ ଜିଲ୍ଲାର ଦାୟିତ୍ୱ ତାଙ୍କୁ ପ୍ରଦାନ କରାଗଲା। ଯାହାକି ତାଙ୍କ ପଦ ପାଇଁ କୁଆଡ଼େ ଅପମାନଜନକ ଥିଲା। ଯେଉଁ ସବୁ କାର୍ଯ୍ୟକ୍ରମର ଫୋଟୋ ମହିଳା ମୋର୍ଚ୍ଚା ପେଜରେ ଅପଲୋଡ଼ ହେଉଥିଲା, ସେଥିରେ ଜାଣି ଶୁଣି କ୍ରମାଗତ ଭାବରେ ତାଙ୍କ ଫୋଟୋକୁ ବାଦ ଦିଆଯାଉଥିଲା। ଏସବୁ ଅନ୍ୟାୟ ବିରୁଦ୍ଧରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ, ସେ କୌଣସି ବିହିତ ପଦକ୍ଷେପ ଗ୍ରହଣ କଲେ ନାହିଁ। ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାନେତ୍ରୀଙ୍କ ଉପସ୍ଥିତି ଓ ସହମତି କ୍ରମେ ତାଙ୍କ? ସହ-ସଂଯୋଜିକାକୁ ମୁଖ୍ୟ ସଂଯୋଜିକା ଭାବରେ ପରିଚୟ ପ୍ରଦାନ କରାଗଲା। ଯାହାକି ତାଙ୍କୁ ମାନସିକ ଭାବରେ ବହୁତ ଆଘାତ ଦେଇଛି ଏବଂ ସେ ଭୀଷଣ ଅପମାନିତ ଅନୁଭବ କରୁଛନ୍ତି। ଏହି ସବୁ କାରଣ ଦୃଷ୍ଟିରୁ, ବହୁତ ଆତ୍ମମନ୍ଥନ ପରେ, ସେ ରାଜ୍ୟ ସୋସିଆଲ ମିଡ଼ିଆ ପଦରୁ ଇସ୍ତଫା ପ୍ରଦାନ କରୁଛନ୍ତି ବୋଲି ଲେଖା ଅଛି। ତେବେ, ପଦରୁ ଇସ୍ତଫା ଦେଲା ପରେ ମଧ୍ୟ ପୂର୍ବ ପରି ପାର୍ଟି ପାଇଁ ସୋସିଆଲ ମିଡିଆରେ କାମ ଜାରି ରଖିବେ ବୋଲି ସେ ଲେଖିଛନ୍ତି।

ଖବର ନେବାରେ ଜଣାପଡ଼ିଛି ସଂପୃକ୍ତ ମହିଳା ଜଣଙ୍କ ଏହା ପୂର୍ବରୁ ଏକ ଜିଲ୍ଲାର ନଗର ସ୍ତରରେ କିଛି ଗୋଟେ ଦାୟିତ୍ୱରେ ଥିଲେ। ସେଠାରେ ତାଙ୍କ କାମ ଆଦୌ ସନ୍ତୋଷଜନକ ନଥିଲା, ଅପରପକ୍ଷେ ତାଙ୍କର ଅଭିଯୋଗ ଗୁଡ଼ାଏ ଥିଲା। ଯେଉଁଥିପାଇଁ ସଂପୃକ୍ତ ଜିଲ୍ଲାର ନେତାନେତ୍ରୀ ମାନେ ତାଙ୍କୁ ସେଠାରେ ସେତେଟା ଗୁରୁତ୍ୱ ଦେଉନଥିଲେ। ଏହାପରେ ସେ ତାଙ୍କ ପଡ଼ୋଶୀ ଜିଲ୍ଲା କାର୍ଯ୍ୟକ୍ରମରେ ଯାଇ ସାମିଲ୍ ହେଲେ। ସେଠାରେ ମଧ୍ୟ ତାଙ୍କ ଆଚରଣ ଯୋଗୁଁ ତାଙ୍କୁ ଅଣଦେଖା କରାଗଲା। ଏହାପରେ ସେ କୃଷକ ମୋର୍ଚ୍ଚା, ପୁଣି ମହିଳା ମୋର୍ଚ୍ଚା, କେତେବେଳେ ଅପରାଜିତା ଷଡ଼ଙ୍ଗୀଙ୍କର ତ’ ସେଠୁ ଆସି ପୁଣି କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କର ସୋସିଆଲ୍ ମିଡିଆରେ ପ୍ରଚାର କଲେ। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକା ଥାଇ ସେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଚାର ପ୍ରସାର କରାଇବା ପରିବର୍ତ୍ତେ କେବଳ ନିଜ ପ୍ରଚାର ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନାବଶ୍ୟକ ତଥା ଅତିତଞ୍ଜିତ ପ୍ରଚାରପ୍ରସାର କରାଇବାରେ ଲାଗିଲେ। ଦଳୀୟ ଶୃଙ୍ଖଳା ନମାନି, ନିଜ ଉପରେ ଥିବା ଦାୟିତ୍ୱ ନିର୍ବାହ ନକରି, କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର କରି ଜଣେ ଦଳରେ ତିଷ୍ଠି ପାରେ ବୋଲି ସେ ପ୍ରମାଣ କରାଇବାକୁ ଯାଉଛନ୍ତି। ଯାହା ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ଏକ ଖରାପ ଧାରଣା ସୃଷ୍ଟି କରାଉଛି। ମାର୍ଚ୍ଚ ୮ ତାରିଖ ମହିଳା ଦିବସ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ସଭାନେତ୍ରୀଙ୍କ ପରେ ସେ ହିଁ ଯେମିତି ସବୁ ପରିଚାଳନା କରୁଥିବା ପରି ତାଙ୍କ ଆଚରଣରୁ ଜଣାପଡ଼ୁଥିଲା। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ଆକାଉଣ୍ଟ ତାଙ୍କୁ ଚଲାଇବାକୁ ଦେବା କଥା ସେ ଲେଖିଛନ୍ତି। କିନ୍ତୁ, ଏଇ କିଛିଦିନ ତଳେ ସେ ୟୁପିରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏକ ତୃଟିକୁ ନବୀନ ସରକାରଙ୍କ ତୃଟି ବୋଲି ଦର୍ଶାଇ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଯାହାକୁ ନେଇ ସେ ପ୍ରବଳ ଟ୍ରୋଲ ହୋଇଥିଲେ। ଏମିତିରେ ୧୮ଟି ଜିଲ୍ଲା ଦାୟୀତ୍ୱ ନେଇ, ସେଥିରେ ଅନୁନ୍ନତ ଜିଲ୍ଲା ଦାୟିତ୍ୱ ମିଳିଥିବା କହି ଏହା ତାଙ୍କ ପଦ ପାଇଁ କୁଆଡ଼େ ଅପମାନଜନକ ଥିଲା କଥାଟା ଜଣେ ସଙ୍ଗଠିକା କହିବା ଆଦୌ ଗ୍ରହଣୀୟ ନୁହେଁ। ତେବେ, ଏପରି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିଲେ ମଧ୍ୟ ନିଜକୁ ମନ୍ତ୍ରୀଙ୍କ ପାଖଲୋକ ବୋଲାଉଥିବା କିଛି ଲୋକଙ୍କର ତାଙ୍କ ପଛରେ ସମର୍ଥନ ରହିଥିବା କାରଣରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ହୁଏତ ତାଙ୍କ ନିକଟରେ ମୁଣ୍ଡ ନୁଆଁଇ ପାରନ୍ତି ବୋଲି ଆଲୋଚନା ହେଉଛି। ଯାହା କି ଆଗାମୀ ଦିନରେ ଦଳ ଭିତରେ ବିଶୃଙ୍ଖଳାକୁ ପ୍ରୋତ୍ସାହନ ଦେବା ସଦୃଶ୍ୟ ହେବ ବୋଲି ଜଣାପଡ଼ୁଛି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.