Home Top News NMAର ବିଜ୍ଞପ୍ତିକୁ ନେଇ ପୁରୀରେ ଅସନ୍ତୋଷ : ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

NMAର ବିଜ୍ଞପ୍ତିକୁ ନେଇ ପୁରୀରେ ଅସନ୍ତୋଷ : ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି

47

ପୁରୀ ୭-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ଚୌହଦି ସୁରକ୍ଷା ସୌନ୍ଦର୍ଯ୍ୟକରଣ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷର ବିଜ୍ଞପ୍ତି ଏଥିରେ ବାଧକ ସାଜିବ। ଶ୍ରୀମନ୍ଦିର ଚୌହଦିର ୧୦୦ ମିଟର ଇଲାକାରେ କୌଣସି ନିର୍ମାଣକୁ ଏହି ବିଜ୍ଞପ୍ତିରେ ବାରଣ କରାଯାଇଛି। କେବଳ ସେତିକି ନୁହେଁ ଶହେ ମିଟର ଚୌହଦି ସୀମା ଠାରୁ ଆଉ ୨୦୦ ମିଟର ଇଲାକାରେ ନୂତନ ନିର୍ମାଣକୁ ନିୟନ୍ତ୍ରଣ କରିବାକୁ ବିଜ୍ଞପ୍ତିରେ ଉଲେଖ କରାଯାଇଛି। NMA ର ଏହି ବିଜ୍ଞପ୍ତିକୁ ନେଇ ପୁରୀରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ପୌରସଂସ୍ଥା, PKDA ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ଗତକାଲି ଆଲୋଚନା କରିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ଅନ୍ୟପଟେ NMAର ହଠାତ ଏ ତରବରିଆ ନିଷ୍ପତ୍ତି ବିରୁଦ୍ଧରେ ଆଜି ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଆଗାମୀ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକରେ ଏହି ପ୍ରସ୍ତାବକୁ ବିରୋଧ କରାଯିବ ବୋଲି ମତ ପ୍ରକାଶ ପାଇଛି।

ଜାତୀୟ ଐତିହ୍ୟ କର୍ତ୍ତୁପକ୍ଷଙ୍କ ନିଷ୍ପତ୍ତିକୁ ପୁରୀରେ ବିରୋଧ। ଶ୍ରୀମନ୍ଦିର ପାଇଁ ହେବ ସ୍ୱତନ୍ତ୍ର ବାଇ ଲ। ୩୦୦ ମିଟର ମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ଲାଗିବ କଟକଣା। ଏବେ ଘରେ କଣ୍ଟା ବାଡେଇବାକୁ ହେଲେ NMAର ଅନୁମତି ନେବାକୁ ପଡିବ। କେବଳ ସେତିକି ନୁହେଁ ବରଂ ଘର ନିର୍ମାଣ କାର୍ଯ୍ୟ ମଧ୍ୟ ସାତ ମିଟର ଉଚ୍ଚତା ମଧ୍ୟରେ କରିବାକୁ ବାଧ୍ୟତାମୂଳକ କରାଯାଇଛି। NMAର ଏଭଳି ତରବରିଆ ନିଷ୍ପତ୍ତିକୁ ନେଇ ଶ୍ରୀଜଗନ୍ନାଥଙ୍କ ସେବାୟତ ସମାଜ ସହ ବିଭିନ୍ନ ସ୍ତରରୁ ଦେଖାଯାଇଛି ପ୍ରତିବାଦର ସ୍ୱର। ପୂର୍ବରୁ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁର୍ପାଶ୍ୱରେ ଥିବା ୧୦୦ ମିଟର ମଧ୍ୟରେ ଥିବା କୌଣସି ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଥିବା ବେଳେ ଏବେ ତାହା ଉପରେ ଆଉ ଏକ ନିୟମ ଲଦି ଦିଆଯାଇଛି। ୧୦୦ ମିଟର ବାଦେ ଅବଶିଷ୍ଟ ୨୦୦ ମିଟର ଇଲାକାରେ ନୂତନ ନିର୍ମାଣକୁ ନିୟନ୍ତ୍ରଣ କରିବାକୁ NMAର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। NMAର ଏହି ନୂତନ ନିୟମ କାର୍ଯ୍ୟକାରୀ ହେଲେ ମେଘନାଦ ପାଚେରୀ ଚାରିପଟେ ୩୭ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯିବ। ସେହିପରି ମନ୍ଦିର ଚାରିପଟେ ୧୩୮.୩୮୫ ଏକର ସ୍ଥାନରେ ନିର୍ମାଣକୁ ନିୟନ୍ତ୍ରିତ କରାଯିବ। ନିଷିଦ୍ଧ ଅଞ୍ଚଳ ମଧ୍ୟରେ ସାତ ମିଟର ଉଚ୍ଚ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ତେଣୁ NMAର ଏ ନିଷ୍ପତ୍ତିକୁ ନେଇ ସବୁ ବର୍ଗ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ତୁରନ୍ତ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ସାଧାରଣରେ ଦାବି ହୋଇଛି।

ଏହି ବାଇ ଲ ଯଦି କାର୍ଯ୍ୟକାରୀ ହୁଏ ତେଵେ ମେଘନାଦ ପାଚେରୀ ଠାରୁ ୩୦୦ ମିଟର ମଧ୍ୟରେ ଥିବା ଅନେକ ସେବାୟତ ଏବଂ ସାହି ବାସିନ୍ଦାଙ୍କ ଘର ମରାମତି ପାଇଁ ମଧ୍ୟ ଅନୁମତି ନେବାକୁ ପଡିବ। NMA ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସାହି ବାସୀନ୍ଦା କିମ୍ବା କୌଣସି ସେବାୟତ ନିଯୋଗଙ୍କ ସହ ଆଲୋଚନା କରିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଭାବିତ ହେବାର ଆଶଙ୍କା ରହିଛି। କେବଳ ସେତିକି ନୁହେଁ ଏହି ନିୟମ କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ଐତିହ୍ୟ କରିଡର ମଧ୍ୟ ପ୍ରଭାବିତ ହେବ। ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାସହ ଜଡିତ ପୀଠ ଗୁଡିକ ପାଇଁ ଏହି ସ୍ୱତନ୍ତ୍ର ବାଇ ଲ କରାଯାଇଛି। ଏହାସହ ସେସବୁ ଅଞ୍ଚଳରେ ଏଲଇଡି କିମ୍ବା ଅନ୍ୟ ଉଚ୍ଚ ପ୍ରତିଫଳନ ଯୁକ୍ତ ସିନ୍ଥାଟିକ୍ ସାମଗ୍ରୀର ବ୍ୟବହାର ବଡଦାଣ୍ଡକୁ ସଜ୍ଜିତ କରିବା ପାଇଁ କରାଯାଇପାରିବ ନାହିଁ। ରଥଯାତ୍ରା ଭଳି ସ୍ୱତନ୍ତ୍ର ଉତ୍ସବରେ ଵ୍ୟାନର ଲଗାଇବା ପାଇଁ ତିନିଦିନରୁ ଅଧିକ ପାଇଁ ଅନୁମତି ଦିଅଯିବ ନାହିଁ। ଏହାସହ ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ ଓ ଭିକାରୀ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ସବୁ ବର୍ଗର ଲୋକଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.