Home ଜିଲ୍ଲା ପରିକ୍ରମା କାର୍ତିକ ମାସର ପୂଣ୍ୟ ଛାଡଖାଇରେ ମଳିନ

କାର୍ତିକ ମାସର ପୂଣ୍ୟ ଛାଡଖାଇରେ ମଳିନ

2

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାର୍ତିକ ପୂର୍ଣ୍ଣିମା ପରଦିନ ଛାଡଖାଇ ପାଳନ କରାଯାଇଥାଏ। ଧାର୍ମିକ ମାସ କାର୍ତିକରେ ଆମିଷ ଛାଡିଥିବା ପରିବାର ବର୍ଗ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ଏହି ଛାଡଖାଇକୁ। ଚଳିତବର୍ଷ ଛାଡଖାଇ ଦିନଟି ବୁଧବାର ପଡିଥିବାରୁ ଆମିଷ ବାସ୍ନା ଅପେକ୍ଷାରେ ଥିବା ପରିବାର ବର୍ଗଙ୍କ ମନ ବେଶ୍ ଖୁସି। ଆମିଷ ବଜାରରେ ଆଜିର ମନ୍ଦିର ପରିବେଶ ଭଳି ଆସନ୍ତାକାଲି ମାଛହାଟରେ ଭିଡ ଜମିବ। ସେହିପରି ହୋଟେଲ ଓ ଢାବା ଗୁଡିକରେ ବୁଧବାର ଛାଡଖାଇ ପାଇଁ ଆଜିଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରଙ୍ଗବେରଙ୍ଗ ବିଦ୍ୟୁତ୍ ଆଲୋକରେ ହୋଟେଲଗୁଡିକ ସାଜସଜ୍ଜା କରାଯାଇଛି। ଭଦ୍ରକର ନାମୀଦାମୀ ହୋଟେଲ ଆଂଚଲର ମାଲିକ ସୁଜିତ୍ ନାୟକ କୁହନ୍ତି କାର୍ତିକ ମାସ ଯାକ ନନଭେଜ୍ ଆଇଟମ୍‌ର ଏତେ ଚାହିଦା ନଥିଲା। ତେଣୁ ବେପାର ମାନ୍ଦା ଥିଲା। ଏଥର ଭଲବାରରେ ଛାଡଖାଇ ପଡୁଥିବାରୁ ବେପାର ଭଲ ହେବାର ଆଶା ରଖିଛୁ। ଏଥିପାଇଁ ନନଭେଜର ନୂଆ ନୂଆ ଆଇଟମ୍ କରିବା ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତନ୍ଦୁରୀ, ମଟନ ମୋଗଲାଇ, ମଟନ ରିଗାନ ଜୁସ୍‌, ମଟନ ମାହେଶ୍ୱରୀ, ମଟନ କବାବ, ଚିକେନ ଆଫଗାନୀ, ମୁର୍ଗା ମସଲା, ମାଛ ବେସର, ଫିସ୍ ଫ୍ରାଏ, ଚିଙ୍ଗୁଡିର ବିଭିନ୍ନ ଆଇଟମ୍ ଇତ୍ୟାଦି ଛାଡଖାଇ ପାଇଁ ନୂଆ ଆଇଟମ୍ ପ୍ରସ୍ତୁତ କରିଛୁ। ପଂଚୁକ ବ୍ରତ ପାଳନ କରୁଥିବା ଭକ୍ତମାନଙ୍କ ପାଇଁ ମାଛ, ମାଂସ, କୁକୁଡା ବ୍ୟବସାୟୀମାନେ ମଧ୍ୟ ଛାଡଖାଇ ସକାଶେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭଦ୍ରକ ମୋଟେଲ ଛକର ପ୍ରମୁଖ ମାଂସ ବିକ୍ରେତା ସେକ୍ ବାବୁ, କଲେଜ ରୋଡର ମିର ଅବଦୁଲ ଓ ଆଖଣ୍ଡଳମଣି ଛକର ସୁଧୀର ବେହେରା କୁହନ୍ତି ଜିଲାର ବନ୍ୟାରେ ଗାଁ ଗହଳିର ଛେଳି ବହୁ ସଂଖ୍ୟାରେ ରୋଗାଗ୍ରସ୍ତ ହୋଇଥିବାରୁ ଛେଳି ମିଳୁନାହିଁ। ଛାଡଖାଇ ବେପାର ପାଇଁ ତାଙ୍କ ସାନଭାଇଙ୍କୁ ଛେଳି ସଂଗ୍ରହ ପାଇଁ ବୁଧବାର ଠାରୁ ଉଦଳା, କେଉଁଝର, ବାରିପଦା, ମୟୂରଭଂଜ କୁ ପଠାଇଛନ୍ତି। ସେହିପରି ଆରଏମ୍‌ସି ମାର୍କେ୍‌ଟର ପ୍ରମୁଖ ମାଛ ବ୍ୟବସାୟୀ ବନି ଖାଁ କୁହନ୍ତି ଆସନ୍ତାକାଲିର ଛାଡଖାଇ ପାଇଁ ଧାମରା, ଚୁଡାମଣି, ହଦଗଡ, ପାରାଦ୍ୱୀପ, କଲିକତା ଓ ଆନ୍ଧ୍ରରୁ ଇଲିସି, ଚିଙ୍ଗୁଡି, ରୋହି, ଭାକୁଡ, ଭେକ୍ଟି, ପାମ୍ପଲେଟ୍ ପ୍ରଭୃତି ବିଭିନ୍ନ ପ୍ରକାର ମାଛ ଆଣିବା ପାଇଁ ୪/୫ଦିନ ଆଗରୁ ବ୍ୟବସ୍ଥା କରିଥାନ୍ତି। ବର୍ଷକର ବଜେଟ୍ ବ୍ୟବସ୍ଥା ଭଳି ମାଛମାଂସ ବ୍ୟବସାୟୀମାନେ ଏହି ଛାଡଖାଇକୁ ଅନାଇ ରହିଥାନ୍ତି। ମାସକ ଯାକ ମନ୍ଦିରର ଆଧ୍ୟାତ୍ମିକ ପରିବେଶରେ ଲୋକଙ୍କ ଭିତରେ ଧାର୍ମିକ ଚେତନା ଯେତିକି ବଢୁଛି, ତାମସିକ ଗୁଣ ସେହି ପରିମାଣରେ କମୁନାହିଁ। ମାସକ ଯାକର ସମସ୍ତ ପୂଣ୍ୟ ଯେମିତି କାର୍ତିକ ପୂର୍ଣ୍ଣମୀରେ ଲୋକେ ଡଙ୍ଗାରେ ନଦୀ, ପୋଖରୀ ଓ ସମୁଦ୍ରରେ ଭସାଇ ଦେଇଥାନ୍ତି, ସେହିଭଳି ଆମିଷ ପାଇଁ ଛାଡଖାଇ ଦିନ ସବୁ ଧର୍ମ କଥା ଲୋକେ ଭୁଲିଯାନ୍ତି ବୋଲି କହନ୍ତି ପଣ୍ଡିତ ଭାଗୀରଥି ନନ୍ଦଶର୍ମା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.