ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତର ପୁଣ୍ୟତୋୟା ବୈତରଣୀ ନଦୀର ଉତରବାହିନୀ ଘାଟ କୂଳ ଚଳିତ ବର୍ଷ ରାହାସ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଉଠିଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଏଠାରେ ରାଧା-କୃଷ୍ଣଙ୍କ ଯୁଗଳ ମୂର୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ଚାଲିଥିବା ବେଳେ, ପବିତ୍ର କାର୍ତିକ ପୂର୍ଣ୍ଣିମାରେ ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀ ନଦୀରେ ସ୍ନାନ କରି ପୂଣ୍ୟ ଅର୍ଜନ କରିଛନ୍ତି।ସ୍ଥାନୀୟ ଅଂଚଳବାସୀଙ୍କ ମତାନୁଯାୟୀ, ଏହି ଘାଟ ଏକ ଅତ୍ୟନ୍ତ ପବିତ୍ର ଓ ପୌରାଣିକ ପୀଠ। ବୈତରଣୀ ନଦୀ କୂଳରେ ଥିବା ପୁରାଣ ବର୍ଣ୍ଣିତ ସିଦ୍ଧେଶ୍ୱର ଘାଟ ନିକଟରେ ପଦ୍ମ ଋଷି ତପସ୍ୟା କରିଥିଲେ ବୋଲି ବିଶ୍ୱାସ ରହିଛି। ଏହି ପବିତ୍ର ପରମ୍ପରାକୁ ବଜାୟ ରଖି ୧୯୭୨ ମସିହାରୁ ସ୍ୱର୍ଗତ ନାରାୟଣ ଚନ୍ଦ ଓ ବିଷ୍ଣୁ ଚରଣ ବାରିକଙ୍କ ପ୍ରଚେଷ୍ଟାରେ ଏଠାରେ ରାଧା-କୃଷ୍ଣ ମୂର୍ତି ନିର୍ମାଣ କରି ପୂଜା ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଉତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇ ଆସୁଛି।ସବୁଠାରୁ ବଡ କଥା ଉକ୍ତ ସ୍ଥାନ ରେ ପ୍ରଭୁ ବଳଭଦ୍ର,ଜଗନ୍ନାଥ, ଓ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି ସେଠାରେ ମଧ୍ୟ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏହି ପବିତ୍ର ସ୍ଥାନର ବିକାଶକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଦୁଃଖ ଓ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ବର୍ଷ ତଳେ ଉକ୍ତ ସ୍ଥାନର ଧାର୍ମିକ ଓ ପୌରାଣିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘାଟ ଓ ପାରିପାର୍ଶ୍ୱିକ ଅଂଚଳର ଉନ୍ନତିକରଣ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଅନୁଦାନ ଅର୍ଥକୁ ଅନ୍ୟତ୍ର ନେଇଯାଇଥିବା ଅଭିଯୋଗ ହେଉଛି। ଏହି ପୌରାଣିକ ପୀଠର ମୂଳ ଉନ୍ନତି ଅର୍ଥ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଯୋଗୁଁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ପ୍ରକୃତ ଉନ୍ନତି କାର୍ଯ୍ୟ ପାଇଁ ଆବଂଟିତ ଅର୍ଥକୁ ପୁନଃ ଏହି ଘାଟ ଓ ପୀଠର ବିକାଶରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ଉତରବାହିନୀ ଘାଟରେ ରାହାସ ପୂର୍ଣ୍ଣିମା ଉତ୍ସବ,ପୌରାଣିକ ପୀଠର ଉନ୍ନତି ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତରକୁ...





