Home Top News ଲେଖାଙ୍କୁ ଲାଇସେନ୍ସ: ନବୀନଙ୍କୁ କହିଲେ ଜଲ୍ହାଦ! କେନ୍ଦ୍ର ସରକାରରେ ବସି ଗଡ଼କରୀ କ’ଣ ତାଙ୍କ ଅଫିସରଙ୍କୁ...

ଲେଖାଙ୍କୁ ଲାଇସେନ୍ସ: ନବୀନଙ୍କୁ କହିଲେ ଜଲ୍ହାଦ! କେନ୍ଦ୍ର ସରକାରରେ ବସି ଗଡ଼କରୀ କ’ଣ ତାଙ୍କ ଅଫିସରଙ୍କୁ ଟାୟାର ଗଣିବାକୁ; ଆଉ ଧର୍ମେନ୍ଦ୍ର ତେଲ ପକାଇବାକୁ ପଠାଉଛନ୍ତି?

92

ଭୁବନେଶ୍ୱର: ନିକଟରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଏହି ସମୟରେ ସେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ଯୋଗଦେବା ସହ ଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଭିନ୍ନ କଥାରେ ଆକ୍ଷେପ କରିଥିଲେ। ଏହାପରେ ଏହାର ଜବାବ୍ ଦେଇଥିଲେ ବିଜେଡି ନେତା, ସାଂସଦ ଡଃ ସସ୍ମିତ ପାତ୍ର। ଦୁଇ ଦୁଇଟି ଉପ- ନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବା ପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି। ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବନାହିଁ ବୋଲି କହିଥିଲେ ସସ୍ମିତ ପାତ୍ର। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥାନ୍ତେ ତେବେ ଭଲ ହୋଇଥାଆନ୍ତା। ବିଜେପି ଧାମନଗର ବିଧାୟକ ବିଷ୍ଣୁ ସେଠୀ ସାଧାରଣ ସଭାରେ ଜଣେ ମହିଳା ସମାଜସେବୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ଓ ସେଥିପାଇଁ ପୁଲିସ୍‌ରେ ଅଭିଯୋଗ ହୋଇଥିବା ନେଇ ବୋଧେ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି। ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତିର ତଦନ୍ତ ସିବିଆଇ ଦ୍ୱାରା କରିବା ଲାଗି ବିଜେପି ଲଗାତାର ଆନ୍ଦୋଳନ ଚଲାଇଥିଲା। ହେଲେ ପରବର୍ତ୍ତୀ ସମୟରେ ପାଙ୍ଗି ବିଜେପିରେ ଯୋଗଦେଲେ ଏବଂ ବିଜେପି ତାଙ୍କୁ ସ୍ୱାଗତ କରିବା ସହିତ ଟିକଟ ଦେଇ ନିର୍ବାଚନ ଲଢ଼ାଇଲା। ଓଡ଼ିଶା ବିଜେପି ବୋଧହୁଏ ତାଙ୍କ ରାଜ୍ୟ ପ୍ରଭାରୀଙ୍କୁ ଏ’ ସଂକ୍ରାନ୍ତରେ ଅବଗତ କରିନାହାନ୍ତି ବୋଲି ସସ୍ମିତ ପାତ୍ର କହିଥିଲେ। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ଏଠାକୁ ଆସିଛନ୍ତି। ବିଶେଷ କରି ବାଲେଶ୍ୱର ପରାଜୟ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି। ତେବେ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ଯେଭଳି ମିଛ କହୁଛନ୍ତି ଓଡ଼ିଶାବାସୀ ତାହାକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ସସ୍ମିତ ପାତ୍ର। ଏହାପରେ ସସ୍ମିତ ପାତ୍ରଙ୍କୁ ଜବାବ୍ ଦେଇଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ କହିଥିଲେ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବିଧାନସଭା ଉତ୍ତର ଆଧାରରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହା ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଶାସକ ବିଜେଡିର ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛନ୍ତି। ତେବେ ଶାସକ ବିଜେଡିର ନେତାମାନେ ହେଉଛନ୍ତି ଅଭ୍ୟାସଗତ ମିଛୁଆ। ସେମାନେ ଗଣମାଧ୍ୟମ ସାମ୍ନାରେ ହେଉ ଅବା ବିଧାନସଭାରେ ସବୁଠି ମିଛ ତଥ୍ୟ ରଖି ରାଜ୍ୟବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି। ବିଜେଡି ପ୍ରବକ୍ତା ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ନରଖି ବ୍ୟକ୍ତିଗତ ଭାବେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରି ତାଙ୍କୁ ମିଛୁଆ ଆକ୍ଷେପ କରିବା ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କହିଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସରକାରୀ ତଥ୍ୟ ଅନୁଯାୟୀ ବିରୋଧୀ ଅଭିଯୋଗ କଲେ ବିଜେଡି ମୁଖପାତ୍ର ମାନେ ବ୍ୟକ୍ତିଗତ ସ୍ତରକୁ ଆସି ନିଜ ଦୁର୍ବଳତାକୁ ଲୁଚାଇ ବିରୋଧୀଙ୍କୁ ମିଛୁଆ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ଲେଖାଶ୍ରୀ ସାମନ୍ତସିଂହାର।

କହି ହେଉଥାଏ ପରକୁ, ବୁଦ୍ଧି ନ’ଦିଶଇ ନିଜକୁ –
ତେବେ, ଏଠି କଥା ହେଉଛି କିଏ ବ୍ୟକ୍ତିଗତ ସ୍ତରକୁ ଯାଉଛି? କିଏ କାହାକୁ ଅପଶବ୍ଦ କହୁଛି? ବ୍ୟକ୍ତିଗତ ଭାବେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରି ବିଜେପି ପ୍ରଭାରୀଙ୍କୁ ମିଛୁଆ ଆକ୍ଷେପ କରିବା ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କହି ଏକା ସାଙ୍ଗରେ ରାଜ୍ୟ ସରକାରଙ୍କୁ ଅଭ୍ୟାସଗତ ମିଛୁଆ ବୋଲି କହୁଛନ୍ତି ଲେଖାଶ୍ରୀ। ତେବେ ମିଛୁଆ କହିବା କ’ଣ ଏକ ଅପଶବ୍ଦ? ଯଦି ହଁ, ତେବେ ନବୀନ ସରକାରକୁ ମିଛୁଆ ସରକାର, ମିଛୁଆ ରାଧୁଆ ସରକାର ବୋଲି ତ’ କାହିଁ କେତେଥର କହି ସାରିଛନ୍ତି ଲେଖାଶ୍ରୀ। ବିଜେପି ରାଜ୍ୟ ପ୍ରଭାରୀ ଯଦି ଜଣେ ମହିଳା, ତେବେ ତାଙ୍କୁ ମିଛୁଆ କହିବା ଜଣେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରିବା ବୋଲି କୁହାଯିବ। କିନ୍ତୁ, ଜଣେ ମହିଳା ନେତ୍ରୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହିବା, ଏପରିକି ଜଲ୍ହାଦ ବୋଲି କହିବା କ’ଣ କଥା ମାର୍ଧୁଯ୍ୟ ? କେବଳ ଯେ ମିଛୁଆ କିମ୍ବା ଜଲ୍ହାଦ ବୋଲି ନୁହେଁ, ଲେଖାଶ୍ରୀ ଯେବେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି କୁହନ୍ତି ଗୁଡ଼ାଏ ଅପଶବ୍ଦ କୁହନ୍ତି, ସବୁ ସୀମା ଉଲଘଂନ କରିଦିଅନ୍ତି। ନବୀନ ସରକାରକୁ ମିଛୁଆ ରାଧୁଆ ସରକାର, ନିକମା ସରକାର, ଅପାରଗ, ଦୁର୍ନିତଗସ୍ତ ସରକାର, ଜଲ୍ହାଦ ଏପରିକି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ପରୋକ୍ଷରେ କଟାକ୍ଷ କରିବା ସହ ଅତୀତରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦାମ ରାଉତଙ୍କୁ ଶ୍ରୀଖଣ୍ଡୀ ଆଦି ଭଳି ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ଶିଖଣ୍ଡି ଏବଂ ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ର ଆଖ୍ୟାରେ କଡ଼ା ଆକ୍ଷେପ କରିଥିଲେ। ମହାଭାରତରେ ଶିଖଣ୍ଡି ଏକ କିନ୍ନର ଚରିତ୍ର। ଖାଣ୍ଟି ସରଳ ଭାଷାରେ ଶିଖଣ୍ଡି ଜଣେ ନଂପୁସୁକ। ତେଣୁ ଶିଖଣ୍ଡି ସହ କାହାରିକୁ ତୁଳନା କରିବା ଅର୍ଥ ତାଙ୍କୁ ନଂପୁସୁକ ଆଖ୍ୟା ଦେବା। ବିଜେପି ନେତ୍ରୀ ଲେଖାଶ୍ରୀ ତାଙ୍କ ବାପା ବୟସର ବରିଷ୍ଠ ନେତା ଦାମ ରାଉତଙ୍କୁ ଶିଖଣ୍ଡି କହି ନଂପୁସୁକ ଆଖ୍ୟା ଦେଇଥିଲେ। ଯାହାପରେ ଦାମ ରାଉତଙ୍କ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ଟିପ୍ପଣୀ ବିଜେପି ଶିବିରରେ ନିଆଁ ଲଗାଇ ଦେଇଥିଲା। ତତ୍କାଳୀନ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଦାମଙ୍କୁ ପାଗଳ ଆଖ୍ୟା ଦେଇ ତୁରନ୍ତ ମେଣ୍ଟାଲ୍ ହସ୍ପିଟାଲ୍ ପଠାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ, ନିଜ ଦଳର ନେତ୍ରୀ ଲେଖାଶ୍ରୀଙ୍କୁ କାହା ଉଦ୍ଦେଶ୍ୟରେ ଶ୍ରୀଖଣ୍ଡୀ ପରି ଅପମାନ ଜନକ ଶବ୍ଦ ବ୍ୟବହାର ନ’କରିବା ପାଇଁ ପରାମର୍ଶ ଦେବାକୁ ବୋଧେ ଉଚିତ୍ ମନେ କରିନଥିଲେ ପ୍ରଭାତୀ? ପାଟିରୁ କଥା ବାହାରିଲା ମାନେ କଣ୍ଟା ବାଡ଼ରେ ଲୁଗା ପକାଇ କଳି କଲା ପରି ଲେଖାଶ୍ରୀ ନିଜର ହିତାହିତ ଜ୍ଞାନ ହରାଇ ସବୁବେଳେ ଏହିପରି ଅଶାଳୀନ ଶବ୍ଦ ବ୍ୟବହାର କରି ନିଜକୁ ଜଣେ ଅଭ୍ୟାସଗତ ଅଶାଳୀନ ଶବ୍ଦ ବ୍ୟବହାରକାରୀ ନେତ୍ରୀର ପରିଚୟ କରାଇଛନ୍ତି।

ଆଲ ସଖି ଆପଣା ମହତ ଆପେ ରଖି –
ଏବେ, ସେହିପରି ପରୀ ତଦନ୍ତ ଘଟଣାରେ ଏସ୍ଆଇଟି ମୂଖ୍ୟ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଓଡ଼ିଶା ପରିବହନ ନିଗମରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅପମାନିତ କରିଛନ୍ତି ଲେଖାଶ୍ରୀ। ଲେଖାଶ୍ରୀ କହିଛନ୍ତି, ଯଦି ଅରୁଣ ବୋଥ୍ରା ଏଡ଼େ ଦକ୍ଷ ଅଫିସର ଥିଲେ, ତାହେଲେ ତାଙ୍କୁ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍ଆରଟିସି)ରେ ଟାୟାର ଗଣିବା ପାଇଁକି କାହିଁକି ରାଜ୍ୟ ସରକାର ପଠାଇଥିଲେ? ଯେତେବେଳେ ଓଡ଼ିଶାରେ ମହିଳାଙ୍କ ଉପରେ ଦୁଷ୍କର୍ମ ଦେଶରେ ସର୍ବପ୍ରଥମରେ ପହଞ୍ଚିଲାଣି ସେତେବେଳେ ଇଏ ଦକ୍ଷ ଅଫିସର ମହିଳାଙ୍କ ଦୁଷ୍କର୍ମକାରୀଙ୍କୁ ଖୋଜିବାର ଆବଶ୍ୟକତା ଥିଲା, ନାଁ ଓଏସ୍ଆରଟିସିରେ ବସିକରି ଟାୟାର ଗଣିବାର ଆବଶ୍ୟକତା ଥିଲା? ଅରୁଣ ବୋଥ୍ରାଙ୍କୁ ଆକ୍ଷେପ କରିବାକୁ ଯାଇ, ଟାୟାର ଗଣିବା କଥା କହି ପୂରା ଓଏସ୍ଆରଟିସିରେ କାର୍ଯ୍ୟରତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ବିଭାଗକୁ ଅପମାନିତ କରିଛନ୍ତି ଲେଖାଶ୍ରୀ। ବୋଧେ ପରିବହନ ବିଭାଗକୁ ଏକ ମୂଲ୍ୟହୀନ ଏବଂ ଅପାରଗ ବିଭାଗ ବୋଲି ଭାବୁଛନ୍ତି ଲେଖାଶ୍ରୀ। ଯେଉଁ ବିଭାଗର କେନ୍ଦ୍ରମନ୍ତ୍ରୀ ହେଲେ ନିତିନ ଗଡ଼କରୀ। ତେବେ ଲେଖାଶ୍ରୀଙ୍କ ହିସାବରେ କେନ୍ଦ୍ର ସରକାରରେ ବସି ନୀତିନ ଗଡ଼କରୀ କ’ଣ ତାଙ୍କ ଅଫିସରଙ୍କୁ ଟାୟାର ଗଣିବାକୁ; ଆଉ ଧର୍ମେନ୍ଦ୍ର ପ୍ରଧାନ ତେଲ ପକାଇବାକୁ ପଠାଉଛନ୍ତି?


ରାଜ୍ୟ ବିଜେପିରେ ଲେଖାଶ୍ରୀଙ୍କର ପାୱାର ଏବେ ବହୁତ ବଢ଼ିଯାଇଛି। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱୀକୃତିରେ ଏହା ହୋଇଛି ବୋଲି କୁହାଯାଉଛି। ଲେଖାଶ୍ରୀ ଏବେ ରାଜ୍ୟ ସାଧାରଣ ସମ୍ପାଦିକା ଥିଲେ ମଧ୍ୟ ସତେ ଯେପରି ସେ ଏକାଧାରରେ ରାଜ୍ୟ ସଭାପତି, ସାଧାରଣ ସମ୍ପାଦିକା, ପ୍ରତ୍ୟେକଟି ମୋର୍ଚ୍ଚାର ପ୍ରଭାରୀ ଏବଂ ରାଜ୍ୟ ପ୍ରବକ୍ତା ପରି କାମ କରୁଛନ୍ତି। ସବୁ କଥାରେ ହସ୍ତକ୍ଷେପ କରୁଛନ୍ତି ଆଉ ପ୍ରାୟ ଡେଲି ପ୍ରେସ୍ ମିଟ୍ କରୁଛନ୍ତି। ଯେଉଁ କଥା କୁହା ସରିଥିବ ତାକୁ ପୁଣି ସେ ଦୋହରାଇ ପ୍ରେସ୍ ରିଲିଜ୍ କରୁଛନ୍ତି। ସାଙ୍ଗଠନିକ କାମରେ ତାଙ୍କୁ କେବେ ସେମିତି ଦେଖାଯାଏ ନାହିଁ। କିନ୍ତୁ, କେଉଁଠି ଭାଷଣବାଜି କରିବାକୁ ହେଲେ କେବଳ ପ୍ରଚାର ପ୍ରସାର, ଟିଭି, ମିଡିଆ, ଖବରକାଗଜ ଏବଂ ବିଜେପି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ନିଜର ନାମ, ଫଟୋ ଆଉ ଭିଡିଓରେ ସେ ନିଜେ କିପରି ମଣ୍ଡିତ ହୋଇ ରହିବେ ସେ ସେହି ପ୍ରୟାସରେ ରହୁଛନ୍ତି। ଏମିତିରେ କିନ୍ତୁ ଦେଖିବାକୁ ଗଲେ ସୋସିଆଲ୍ ମିଡିଆରେ ସର୍ବାଧିକ ଟ୍ରୋଲ୍ ହେଉଥିବା ନେତାନେତ୍ରୀଙ୍କ ମଧ୍ୟରେ ଲେଖାଶ୍ରୀ ଆଗରେ ଅଛନ୍ତି। କେବଳ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ପୁରୀ କୋଲକତାରେ ବୋଲି ଲୋକେ ଭାବୁଛନ୍ତି ବୋଲି କହିବା ହେଉ ବା କାହାକୁ ଶ୍ରୀଖଣ୍ଡୀ, ମୁଖ୍ୟମନ୍ତ୍ରୀଙ୍କୁ ଜଲ୍ହାଦ କହି ବସ୍ତବରେ ଲେଖାଶ୍ରୀ ବିଜେପିର ଅନେକ କ୍ଷତି କରାଉଛନ୍ତି। ବୁଦ୍ଧିଜୀବୀ ମହଲରେ ଲେଖାଶ୍ରୀଙ୍କ ଏପରି ମନ୍ତବ୍ୟ ସବୁକୁ ନାପସନ୍ଦ କରାଯାଉଛି। କିନ୍ତୁ, ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜଲ୍ହାଦ ବୋଲି କହି ପାରୁଥିବା ଲେଖାଶ୍ରୀ ତାଙ୍କ ପ୍ରଭାରୀଙ୍କ ଉଦ୍ଦେଶ୍ୟରେ ମିଛୁଆ ବୋଲି ଶବ୍ଦ ହଜମ କରିପାରୁ ନାହାଁନ୍ତି। ବୋଧେ ଅନ୍ୟକୁ ଆକ୍ଷେପ କରି ଅପଶବ୍ଦ ବ୍ୟବହାର କରିବାର ଲାଇସେନ୍ସ କେବଳ ଲେଖାଶ୍ରୀ ହିଁ ପାଇଛନ୍ତି? ଆଉ ଓଡ଼ିଶା ବିଜେପି ତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରିଛି!
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.