Home ଅପରାଧ ମହିଳା ସୁରକ୍ଷା ନେଇ କେତେ ଚିନ୍ତା ଆଉ; ମନରେ କେତେ ବ୍ୟଥା ..

ମହିଳା ସୁରକ୍ଷା ନେଇ କେତେ ଚିନ୍ତା ଆଉ; ମନରେ କେତେ ବ୍ୟଥା ..

201

ଭୁବନେଶ୍ୱର: ନାରୀ ନିର୍ଯ୍ୟାତନା ବିରୋଧରେ ତଥା ମହିଳା ସୁରକ୍ଷା ନେଇ କେତେ ଆନ୍ଦୋଳନ, କେତେ ପ୍ରତିବାଦ ହେଉଛି। କିନ୍ତୁ, ନାରୀ ନିର୍ଯ୍ୟାତନା ହ୍ରାସ ପାଇବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। ନୂଆ ନୂଆ ଜଘନ୍ୟ ଘଟଣା, ପାଶବିକ କାଣ୍ଡମାନ ଘଟି ଚାଲିଛି। ଯେଉଁ ସ୍ଥାନରେ ଯାହାର ଶାସନ ନାହିଁ, ସେଠାକାର ବିରୋଧି ଦଳ କେବଳ ରାଜନୀତି କରିବା ପାଇଁ ସେହି ସ୍ଥାନର ପ୍ରସଙ୍ଗ ଉଠାଉଥିବାର ଦେଖାଯାଉଛି। କାଲି ଯିଏ ଗୋଟିଏ ଦଳରେ ଥାଇ ନାରୀ ନିର୍ଯାତନା ଘଟଣାରେ ଅନ୍ୟ ଦଳର ସରକାରଙ୍କୁ ଦୋଷାରୋପ କରୁଥିଲା ଆଜି ସେ ସେହି ଦଳରେ ଯୋଗ ଦେଇ ସେହି ସରକାରର ଦୋଷ ତୃଟିକୁ ଘୋଡ଼ାଉଛି। କଦବା କୋଚିତ୍ ଘଟଣାକୁ ଛାଡ଼ିଦେଲେ ଅଧିକାଂଶ ଘଟଣା ଗୁଡ଼ିକରେ ପିଡ଼ି଼ତା ନ୍ୟାୟ ପାଇପାରୁନି କି ଦୋଷୀ ଦଣ୍ଡ ପାଉନି। କେବଳ ପିଡ଼ି଼ତାର ନାମକୁ ନେଇ ରାଜନୀତି ହେଉଛି, ଚର୍ଚ୍ଚା ଆଲୋଚନା ହେଉଛି, ଯାତ୍ରା ହେଉଛି ବା ଚଳଚିତ୍ର ନିର୍ମାଣ ହୋଇ ବେପାର ହେଉଛି। ଆମ ଓଡ଼ିଶାରେ ଏପରି ଅନେକ ଉଦାହରଣ ରହିଛି।

ପୋଷ୍ଟ କରାଯାଉଛି ପୀଡ଼ିତାଙ୍କ ଫଟୋ, ଏପରି କି ନଗ୍ନ ଫଟୋ –
ଏବେ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କ ସହିତ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଆଦି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ। ବିଜେପି ପକ୍ଷରୁ କୁହାଯାଇଛି ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡ଼ିଛନ୍ତି ଏବଂ ମାଲକାନଗିରି ଘଟଣା ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ୩ ଦଫା ଦାବି ଜଣାଇଥିଲେ ବିଜେପିର ଏହି ପ୍ରତିନିଧି ଦଳ। ଦାବୀ ଗୁଡ଼ିକ ରାଜ୍ୟ ମାନବାଧିକାର କମିଶନ ମାନି ନେଇଥିବା ବିଜେପି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଏମାନେ ଦାବିପତ୍ର ହାତରେ ଧରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଏହାସହ ରାଜ୍ୟ ମାନବାଧିକାର କମିଶନଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ରଟି ସ୍ୱତନ୍ତ୍ର ଭାବରେ ମଧ୍ୟ ପୋଷ୍ଟ କରାଯାଇଛି।। ସେହି ଦାବୀ ପତ୍ରରେ ପିଡ଼ି଼ତା ଏବଂ ତାଙ୍କ ସ୍ୱାମୀଙ୍କ ନାମ ସ୍ପଷ୍ଟ ଉଲ୍ଳେଖ ରହିଛି। ଏହି ଖବର ମଧ୍ୟ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। କିଛି ଗଣମାଧ୍ୟମ ଦାୟିତ୍ୱ ସମ୍ପର୍ଣ୍ଣ ଭାବରେ ଖବର ପ୍ରକାଶ କରିଥିବା ବେଳେ କେତେଜଣ ପିଡ଼ି଼ତାଙ୍କ ନାମ ଉଲ୍ଲେଖ କରୁଛନ୍ତି। ପୂର୍ବରୁ ସୋସିଆଲ୍ ମିଡିଆରେ ଏହି ଘଟଣାକୁ ନେଇ ଅନେକ ପୋଷ୍ଟରେ ପୀଡ଼ିତାଙ୍କ ନାମ ଉଲ୍ଲେଖ ଏବଂ ଫଟୋ ପ୍ରକାଶିତ ହୋଇଥିବା ବେଳେ ଡାକ୍ତରଖାନାରେ ଥିବା ସମୟର ସଂପୃକ୍ତ ମହିଳାଙ୍କ ନଗ୍ନ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି।

ପିଡ଼ି଼ତାଙ୍କ ପାଇଁ ମନରେ ବ୍ୟଥା ନାଁ ଆତ୍ମପ୍ରଚାର ଚିନ୍ତା –
ପୂର୍ବରୁ କିଛି ଘଟଣାକୁ ଦେଖିଲେ ପିଡ଼ି଼ତାଙ୍କ ପାଇଁ ମନରେ ବ୍ୟଥା ନୁହେଁ, ଅନେକ ଏ’ ସବୁ ନିଜ ପ୍ରଚାର ପାଇଁ କରୁଥିବା ଜଣାପଡ଼େ। ବିଜେପି ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା ଚାଲିଥିବା ସମୟରେ ବାଲେଶ୍ୱର ଜିଲ୍ଲାରେ ଜୁଆ ଖେଳରେ ନିଜ ସ୍ତ୍ରୀଙ୍କୁ ବାଜି ଲଗାଇବା ଭଳି ଏକ ଘଟଣା ଘଟିଥିଲା। ଜୁଆ ଖେଳରେ ହାରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ରାତି ଅଧରେ ଘରୁ ଡାକିନେଇ ବିଲ ମଝିରେ ଜୁଆ ଜିତିଥିବା ବ୍ୟକ୍ତିଙ୍କ ପାଖରେ ଛାଡ଼ିଦେବାରୁ ସେଠାରେ ତାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଘଟିଥିବା ଏହି ଘଟଣା ସେତେବେଳେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ସମୟରେ ବିଜେପିର “ମହିଳା ସୁରକ୍ଷା ଯାତ୍ରା” ଚାଲିଥିବା ବେଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ କିଛି ନାରୀନେତ୍ରୀ ଯାଇ ସଂପୃକ୍ତ ପିଡ଼ୀତା ମହିଳାଙ୍କୁ ଭେଟିଥିଲେ ଏବଂ ପିଡ଼ୀତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ। ତେବେ ଲେଖାଶ୍ରୀ ଏପରି ଦାବି କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ବେଳେ ନିଜ ସହ ପିଡ଼ୀତାଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହା ବେନିୟମ, ପିଡ଼ୀତା ପାଇଁ ମନରେ ବ୍ୟଥା ନୁହଁ ବୋଧେ ନିଜ ପ୍ରଚାରରେ ମଗ୍ନ ରହି ଲେଖାଶ୍ରୀ ଏପରି କରିଥିଲେ। ଆଇନ ଅନୁଯାୟୀ କେହି ପିଡ଼ୀତାଙ୍କ ପରିଚୟ ସାଧାରଣରେ ପ୍ରକାଶ କରିପାରିବେ ନାହିଁ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୨୮(ଏ) ଅନୁଯାୟୀ ପିଡ଼ୀତାଙ୍କ ନାମ/ପରିଚୟ ପ୍ରକାଶ କରିବା ଏକ ଦଣ୍ଡନୀୟ ଅପରାଧ।

ପିଡ଼ି଼ତାଙ୍କ ପରିଚୟ ପ୍ରକାଶ ଏକ ଅପରାଧ-
ଭାରତୀୟ ଦଣ୍ଡ ସଂହିତାର ଧାରା ୨୨୮ (ଏ) ଅନୁଯାୟୀ, ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିବା ଏକ ଦଣ୍ଡନୀୟ ଅପରାଧ। ଯେଉଁ ମହିଳାଙ୍କ ସହିତ ଅପରାଧ ଘଟିଛି, ତାଙ୍କ ନାମ କିମ୍ବା ପରିଚୟ ସମ୍ବଦ୍ଧିୟ କୌଣସି ପ୍ରକାର ମୁଦ୍ରଣ କିମ୍ବା ପ୍ରକାଶନ ଦଣ୍ଡନୀୟ ଅଟେ, ଯାହା ଦ୍ୱାରା ମହିଳାଙ୍କ ପରିଚୟ ପ୍ରକାଶ ପାଇବ। ଦୁଷ୍କର୍ମ ଶିକାର ହୋଇଥିବା ମହିଳାଙ୍କ ସାମାଜିକ ନିର୍ଯ୍ୟାତନା କିମ୍ବା ସାମାଜିକ ବହିଷ୍କାରକୁ ରୋକିବା ଏହାର ଲକ୍ଷ୍ୟ। ଆଇପିସିର ଧାରା ୩୭୬, ୩୭୬ (ଏ), ୩୭୬ (ବି), ୩୭୬ (ସି),୩୭୬ (ଡି) ଏବଂ ୩୭୬ (ଜି) ଅନୁଯାୟୀ, ପୀଡିତାଙ୍କ ନାମ ମୁଦ୍ରଣ କିମ୍ବା ପ୍ରକାଶନ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ଆଇନ ଅନୁଯାୟୀ, ଦୁଷ୍କର୍ମ ପୀଡିତାଙ୍କ ବାସଭବନ, ପରିବାର, ବନ୍ଧୁ, ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ତଥ୍ୟ ପ୍ରକାଶ କରାଯାଇ ପାରିବନାହିଁ।

ମୃତକଙ୍କର ମଧ୍ୟ ସମ୍ମାନ ରହିଛି –
ପ୍ରାପ୍ତ ବୟସ୍କା ହୁଅନ୍ତୁ ଅବା ନାବାଳିକା ଦୁଷ୍କର୍ମ ପିଡ଼ି଼ତାଙ୍କ ନାମ ପ୍ରକାଶ କରିବା ଅନୁଚିତ। ଯେଉଁ କ୍ଷେତ୍ରରେ ଦୁଷ୍କର୍ମ ପିଡ଼ି଼ତା ଜୀବିତ ଅଛନ୍ତି, ପିଡ଼ି଼ତା ନାବାଳିକା କିମ୍ବା ପାଗଳ ହୋଇଥିଲେ ମଧ୍ୟ ତାଙ୍କର ପରିଚୟ ପ୍ରକାଶ କରାଯିବା ଉଚିତ ନୁହେଁ। କାରଣ ତାଙ୍କର ମଧ୍ୟ ଗୋପନୀୟତା ଅଧିକାର ରହିଛି ଏବଂ ପିଡ଼ି଼ତାଙ୍କୁ ଏପରି କଳଙ୍କ ସହିତ ସାରା ଜୀବନ ବଞ୍ଚିବାକୁ ପଡ଼ିଥାଏ। ସେହିପରି ଦୁଷ୍କର୍ମ ପିଡ଼ି଼ତା ମୃତକଙ୍କ ପରିଚୟ ମଧ୍ୟ ପ୍ରକାଶ କରିବା ଅନୁଚିତ। କାରଣ ଜଣେ ମୃତକଙ୍କର ମଧ୍ୟ ସମ୍ମାନ ରହିଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ପିତାମାତା କିମ୍ବା ପରିବାରେ କାହାର ସହମତିରେ ମଧ୍ୟ ପିଡ଼ି଼ତାଙ୍କ ପରିଚୟ ପ୍ରକାଶ କରାଯାଇ ପାରିବ ନାହିଁ। କାରଣ ଅର୍ଥ ଲୋଭରେ ହୁଏତ କେହି ଗରୀବ ଏଥିପାଇଁ ରାଜି ହୋଇଯାଇ ପାରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ପିଡ଼ି଼ତାଙ୍କ ନାମକୁ ନେଇ ଚାଲିଛି ରାଜନୀତି, ଫିଲ୍ମ ଆଉ ଯାତ୍ରା –
ଦେଶକୁ ହଲାଇ ଦେଇଥିବା ଦିଲ୍ଲୀର ବହୁ ଚର୍ଚ୍ଚିତ ‘ନିର୍ଭୟା’ ଘଟଣାରେ ପିଡ଼ି଼ତାଙ୍କ ନାମ ପ୍ରକାଶ କରାଯାଇ ନଥିଲା। ଛଦ୍ମନାମ ‘ନିର୍ଭୟା’ ଅନୁଯାୟୀ ପିଡ଼ି଼ତାଙ୍କ ପାଇଁ ଆନ୍ଦୋଳନ ହେଲା। ବିଳମ୍ବରେ ହେଲେ ମଧ୍ୟ ଅଭିଯୁକ୍ତ ମାନେ ଦଣ୍ଡ ପାଇଲେ। ଉଚ୍ଚ ନ୍ୟାୟାଳୟଙ୍କ କହିବା ଅନୁଯାୟୀ ପିଡ଼ି଼ତାଙ୍କ ନାମ ପ୍ରକାଶ ନକରି ତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ, ଆନ୍ଦୋଳନ ଆଦି କରିହେବ। ଅନେକ ଘଟଣାରେ ପିଡ଼ି଼ତାଙ୍କ ନାମ ପ୍ରକାଶ କରିବା ନେଇ ଅନେକ ବ୍ୟକ୍ତି, ସାମାଜିକ ସଂସ୍ଥା, ମୁଦ୍ରଣ ସଂସ୍ଥାଙ୍କ ନାମରେ ଅଭିଯୋଗ ଦାଖଲ ମଧ୍ୟ ହୋଇଛି। କିନ୍ତୁ, ଓଡ଼ିଶାରେ ବୋଧେ କୁନ୍ଦୁଲି ପିଡ଼ି଼ତାଙ୍କ ବ୍ୟତିତ ପ୍ରାୟ ଅନ୍ୟ ସମସ୍ତ ଘଟଣାରେ ପିଡ଼ି଼ତାଙ୍କ ନାମ, ଫଟୋ, ପରିଚୟ ପ୍ରକାଶ ହୋଇଛି। ପିଡ଼ି଼ତାଙ୍କ ନାମ ଏବଂ ଫଟୋ ସହ ପୋଷ୍ଟର ବ୍ୟାନର କରାଯାଇ ଆନ୍ଦୋଳନ କରାଯାଉଛି। ଯାତ୍ରା ଏବଂ ଫିଲ୍ମ ନିର୍ମାଣ କରାଯାଇ ବ୍ୟବସାୟ କରାଯାଉଛି। କିନ୍ତୁ, ଚିନ୍ତା କରନ୍ତୁ ତ’ ସେହି ଘଟଣା ଗୁଡ଼ିକ ମଧ୍ୟରୁ କେତେ ଜଣ ପିଡ଼ି଼ତା ନ୍ୟାୟ ପାଇଛନ୍ତି ଆଉ କେତେଜଣ ଅଭିଯୁକ୍ତ ଦଣ୍ଡ ପାଇଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.