ad
ଆମ ପର୍ବ ପର୍ବାଣୀ

ପବିତ୍ର “ଗୁରୁ ପୂର୍ଣ୍ଣିମା”ର ହାର୍ଦ୍ଦିକ ଅଭିନନ୍ଦନ

ଗୁରୁ ପୂର୍ଣ୍ଣିମା।ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ।ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ।ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି।ସେ ମଧ୍ୟ ବେଦାନ୍ତ ଦର୍ଶନ ଓ ଅଦ୍ୱୈତବାଦର ସଂସ୍ଥାପକ।ବେଦମାନଙ୍କର ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣନୁଯାୟୀ ଭିନ୍ନଭିନ୍ନ କଳ୍ପରେ ପ୍ରତ୍ୟେକ ଯୁଗରେ ଜନ୍ମ ଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ଋଷି ବେଦବ୍ୟାସ ଭାବେ ପରିଚିତ।ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ।

ମହର୍ଷି ବ୍ୟାସଦେବ ହସ୍ତିନାପୁରର ମହାରାଣୀ ସତ୍ୟବତୀ (ମତ୍ସ୍ୟଗନ୍ଧା) ଏବଂ ଋଷି ପରାଶଙ୍କର ପୁତ୍ର।ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣ ଦ୍ୱୀପରେ ସେ ଜନ୍ମଗ୍ରହଣ କରିଥିଲେ।ବେଦ ପରି ବୃହତ୍ ଗ୍ରନ୍ଥକୁ ସେ ଋକବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ଏହିପରି ଚାରୋଟି ଭାଗ (ବ୍ୟାସ) କରିଥିବାରୁ ତାଙ୍କୁ ବେଦବ୍ୟାସ ରୂପେ ନାମିତ କରାଯାଇଛି।ତାଙ୍କର ନିର୍ଦ୍ଦେଶକ୍ରମେ ଏବଂ ବାର୍ତ୍ତା ଅବଗତକୁ ନେଇ ସେ ମହାଭାରତ ରଚନା କରିଥିଲେ।ଜନ୍ମପରେ ସେ ତପସ୍ୟା ନିମନ୍ତେ ଦ୍ୱୈପାୟନ ଦୀପକୁ ଯାଇଥିଲେ।ଜନ୍ମରୁ କୃଷ୍ଣ ବା ରଙ୍ଗରେ କଳା ଥିବାରୁ ତାଙ୍କର ଏକ ଅନ୍ୟ ନାମ ମଧ୍ୟ ଥିଲା, କୃଷ୍ଣ ଦ୍ୱୈପାୟନ।ବେଦବ୍ୟାସ ଅରୁଣିଙ୍କ ପତି ତଥା ଶୁକଦେବଙ୍କ ପିତା ଥିଲେ।ସେ ମଧ୍ୟ କୌରବ ଓ ପାଣ୍ଡବମାନଙ୍କର ପିତାମହ ଥିଲେ।ବ୍ୟାସଦେବଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା।ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ଚିତ୍ରାଙ୍ଗଦ ଏବଂ ବିଚିତ୍ରବିର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ମାତା ସତ୍ୟବତୀଙ୍କ ଆଦେଶ ଅନୁସାରେ ସେ ଚିତ୍ରାଙ୍ଗଦ ଏବଂ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବା ପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁଯାୟୀ ସହବାସ କରିଥିଲେ।ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଏବଂ ପାଣ୍ଡୁଙ୍କର ଜନ୍ମ ହୋଇଥିଲା।ଏବଂ ବ୍ୟାସଦେବଙ୍କ ଔରସରୁ ଦାସୀ ଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ।ବେଦବ୍ୟାସ ତ୍ରିକାଳଦର୍ଶୀ ଥିଲେ।ହସ୍ତିନାପୁରର ଭବିଷ୍ୟ ତଥା ବିଭିନ୍ନ ସମସ୍ୟାର ସମାଧାନ ନେଇ ସେ ମାତା ସତ୍ୟବତୀଙ୍କୁ ସମୟକାଳୀନ ପରାମର୍ଶ ଦେଉଥିଲେ ଅଥବା ତାଙ୍କ ସହିତ ବିଚାର ବିମର୍ଷ କରୁଥିଲେ।ଗୁରୁ ପରମ୍ପରାରେ ଗୁରୁମାନେ ତାଙ୍କ ଶିଷ୍ୟମାନଙ୍କୁ ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରନ୍ତି।ଏଣୁ ଶାସ୍ତ୍ରରେ କୁହାଯାଇଛି –

“ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ।
ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ”।।

‘ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି।ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି।ଗୁରୁ ଅର୍ଥରେ ସେ ମହାମହିମ।ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି।

“ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ”।।

ବ୍ୟାସଦେବଙ୍କ ନିମନ୍ତେ ଏହି କଥାକୁ ଭିନ୍ନ ଭାଷାରେ କୁହାଯାଇଛି :-

“ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ।
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ।
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ।
ଆଭାଲ ଲୋଚଚନଃ ଶମ୍ଭୁ ଭଗବାନ ବାଦରାୟାଣଃ”।।

ମାତା, ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ, ପିତା ଦ୍ୱିତୀୟ ଗୁରୁ ଏବଂ ଶିକ୍ଷାଦାତା ତୃତୀୟ ଗୁରୁ। ଗୁରୁମାନେ ହିଁ ଆମ ଜୀବନର ମାର୍ଗଦର୍ଶକ, ସୁନିୟନ୍ତ୍ରକ।ଗୁରୁମାନଙ୍କ ଠାରୁ ଶିକ୍ଷା, ଦୀକ୍ଷା ତଥା ତାଙ୍କ ଆଦର୍ଶ ସବୁକିଛି ଶିଷ୍ୟମାନଙ୍କର ଜୀବନରେ ପ୍ରତିଫଳିତ ହୋଇଥାଏ।ବ୍ୟାସଦେବ ତାଙ୍କ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ ମଣିଷ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି।”ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ” ଅର୍ଥାତ୍ ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ ବୋଲି ବୁଝାଯାଏ।ଏଥିପାଇଁ ଭାରତରେ ସମସ୍ତ ପୌରାଣିକ କିମ୍ପଦନ୍ତୀ ଅଥବା ପ୍ରାମାଣିକ ତଥ୍ୟମାନ ବର୍ତ୍ତମାନ ସମଗ୍ର ବିଶ୍ୱପାଇଁ ଗବେଷଣାର ସାମଗ୍ରୀ ପାଲଟିଛି।ଆମ ଜୀବନର ପ୍ରତିଟି ବିଭାଗ ପାଇଁ ଏହା ବର୍ତ୍ତମାନ ମହାନ ବିଭବ ରୂପେ ସମୃଦ୍ଧି କରୁଛି ।

ପ୍ରାଚୀନ କାଳରେ ଗୁରୁ କୂଳରେ ଶିଷ୍ୟମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଶିକ୍ଷା ଦେବା ନିମନ୍ତେ ଗ୍ରହଣ କରାଯାଉଥିଲା ଏବଂ ଶିକ୍ଷାରେ ଉପଯୁକ୍ତ ଦକ୍ଷତା ହାସଲ ପରେ ଗୁରୁଦକ୍ଷିଣା ଦାନ ପୂର୍ବକ ଶିଷ୍ୟ ମାନଙ୍କୁ ବିଦାୟ ନେବାକୁ ହେଉଥିଲା।ଏହି ଦକ୍ଷିଣା ଶିଷ୍ୟମାନଙ୍କର ଏକ ସମର୍ପଣର ଭାବ।ଗୁରୁପୂର୍ଣ୍ଣିମା ପାଳନ ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ରହିଛି।ବୌଦ୍ଧ ଧର୍ମରେ ଦଳାଇଲାମାଙ୍କୁ ଗୁରୁ ଭାବରେ ପୂଜନ କରାଯାଏ।ସେହିପରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଗୁରୁ ପୂର୍ଣ୍ଣିମାକୁ ଏକ ପବିତ୍ର ଦିବସ ରୂପେ ପାଳନ କରେ।ଗୁରୁ ପୂର୍ଣ୍ଣିମା ଦିନ ସଂଘର ସ୍ୱୟଂ ସେବକମାନେ ଗୈରିକ ଧ୍ୱଜାକୁ ଗୁରୁ ରୂପେ ପୂଜନ କରିଥାଆନ୍ତି ଏବଂ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ କରିଥାଆନ୍ତି।ସେହିପରି ଗୁରୁ ପୂର୍ଣ୍ଣିମା ଦିନ ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କର ମଧ୍ୟ ପୂଜନ କରାଯାଇଥାଏ।ହିନ୍ଦୁ ଜାଗୃତି ସମିତି, ସନାତନ ସଂସ୍ଥା ପକ୍ଷରୁ ମଧ୍ୟ ଏହିଦିନ ଗୁରୁ ପୂଜନ ହୋଇଥାଏ।ସାଇବାବାଙ୍କ ଭକ୍ତ ମାନେ ମଧ୍ୟ ଏହିଦିନ ସାଇବାବାଙ୍କୁ ଗୁରୁ ଭାବରେ ପୂଜନ କରି ଥାଆନ୍ତି।//-ଦେବଦତ୍ତ ରଥ

ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ; ଯାତ୍ରା ମାର୍ଗରେ ରହିବନି ମଦ ଦୋକାନ କି କଂସେଇ ଖାନା

ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top