Home Top News ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଅପଚେଷ୍ଟା: ବିଜେପି

ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଅପଚେଷ୍ଟା: ବିଜେପି

66

ଭୁବନେଶ୍ୱର: ବିଧାନସଭାରେ ଶିକ୍ଷୟିତ୍ରୀ ମମିତା ମହେର ପ୍ରସଙ୍ଗରେ ଚଲାଯାଇଥିବା ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତି ମିମତାଙ୍କ ପରିବାରକୁ ନ୍ୟାୟ ନୁହେଁ ବରଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା ପାଇଁ ହୋଇଥିବା ଅପଚେଷ୍ଟା ଓଡ଼ିଶାବାସୀଙ୍କୁ ଗଭୀର ଆଘାତ ପହଁଚାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭାରେ ବିବୃତି ଲଜ୍ଜ୍ୟାଜନକ ଓ ଅତ୍ୟନ୍ତ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିକୁ ବିଜେପି ବିଧାୟକ ଦଳ ପକ୍ଷରୁ ପ୍ରତ୍ୟାଖାନ କରାଯାଉଛି ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏବଂ ବିଧାୟକ ଜୟ ନାରାୟଣ ମିଶ୍ର। ଉଭୟ ନେତା କହିଛନ୍ତି ଯେ, ମମିତା ମେହେର ହତ୍ୟା ଅକ୍ଟୋବର ୮ ତାରିଖରେ ହୋଇଥିବା ବେଳେ ଦୀର୍ଘ ପାଖାପାଖି ୨ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଓଡ଼ିଶାବାସୀଙ୍କୁ ଦୁଃଖିତ ଓ ବିଚଳିତ କରିଛି। ଆଜିର ବିଧାନସଭା ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀଙ୍କର ମମିତା ପ୍ରତି ଦରଦ ନାହିଁ ଏବଂ ନିଜ ମନ୍ତ୍ରୀମଣ୍ଡଳର ସହଯୋଗୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବାର ମୁଳ ଉଦ୍ଦେଶ୍ୟ ରହିଛି।

ମମିତା ମେହେର ବିଭତ୍ସ ହତ୍ୟାକାଣ୍ଡକୁ ଅଘଟଣ କହି ମୁଖ୍ୟମନ୍ତ୍ରୀ ତାଙ୍କ ଦଳର କର୍ମୀ ଓ ମନ୍ତ୍ରୀଙ୍କ ଦ୍ୱାରା ସୁପରିକଳ୍ପିତ ହତ୍ୟାକାଣ୍ଡକୁ ହାଲୁକା ଭାବେ ଦର୍ଶାଇବା ପାଇଁ ଅପଚେଷ୍ଟା କରିଛନ୍ତି। ଦୀର୍ଘ ଦୁଇ ମାସ ପରେ ଆଜି ମମିତା ମେହେରଙ୍କ ପରିବାରର ଦୁଃଖ କଥା ମନେପଡ଼ିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଛଳନା ଅଟେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ କରିଥିଲେ ମଧ୍ୟ ମମିତାର ପରିବାରକୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟର ପ୍ରତିଶ୍ରୁତି ନ ଦେଇପାରିବା ପ୍ରମାଣିତ କରୁଛି ଯେ ତାଙ୍କର ଆନ୍ତରିକତା ନାହିଁ। ଯଦି ମମିତା ଭଳି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିବା “ରାଜନୀତିକରଣ” ତା’ ହେଲେ ମୁଖ୍ୟମନ୍ତ୍ରୀଙ୍କର ଅଞ୍ଜନା ଗଣଦୁଷ୍କର୍ମରେ ଜାନକୀ ସରକାର ବିରୁଦ୍ଧରେ ଅଗ୍ରଣୀ ଭୂମିକା ରାଜନୀତିକରଣ ଥିଲା କି? ୧୯୯୯ ଜାନୁଆରୀ ୩ ତାରିଖରେ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ କେସରେ ମୁଖ୍ୟମନ୍ତ୍ରୀ ଏଫଆଇଆର ଦେବା ପାଇଁ କଟକ ଯାଇଥିଲେ କି ନାହିଁ? ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ କି ନାହିଁ? କଟକରୁ ଫେରିବା ପରେ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କି ନାହିଁ। ତାହା କ’ଣ ରାଜନୀତି ନଥିଲା? ମମିତାର ପରିବାର ସେତେବେଳେ ଶାନ୍ତିରେ ରହିବେ ଯେତେବେଳେ ଅସଲି ଅପରାଧି ଓ ଷଡ଼ଯନ୍ତ୍ରକାରୀ ମାନେ ଦଣ୍ଡିତ ହେବେ। ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସିଏ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ନିଜେ ବାହାରି ଆସୁଛନ୍ତି। ବାରମ୍ବାର ହାଇକୋର୍ଟ ଏବଂ ନ୍ୟାୟାଳୟର କଥା କହି ଦିବ୍ୟଶଙ୍କରଙ୍କ ସୁରକ୍ଷା ପାଇଁ ନ୍ୟାୟାଳୟକୁ ଢାଲ କରିବାର ଅପଚେଷ୍ଟା କରିନଥାନ୍ତେ। ଏବେ ଯାଏଁ ନ୍ୟାୟାଳୟ ଏମିତି କୌଣସି ନିର୍ଦ୍ଦେଶନାମା ଜାରୀ କରିନାହାନ୍ତି, ଯେଉଁଠାରେ ସେ ତଦନ୍ତର ମନିଟରିଂ କରିବା ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜକୁ ନିଯୁକ୍ତି ଦେଇଥାଆନ୍ତେ।

ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। କିନ୍ତୁ ଯେଉଁଭଳି ଭାବରେ ପ୍ରଥମ ଦିନରୁ ପୋଲିସ ତଦନ୍ତକୁ ବାଟବଣା କରିଛି, ତଥ୍ୟପ୍ରମାଣ ନଷ୍ଟ କରିଛି, ଏଫଆଇଆର ରୁଜୁ କରିବା ପାଇଁ ପୀଡ଼ିତା ପରିବାରକୁ ଚାରି ଚାରୋଟି ଥାନା ବୁଲାଇଛି, ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ତିନୋଟି ଥାନାକୁ (ସିନ୍ଧେକେଲା, ତୁରେଇକେଲା, ଟିଟିଲାଗଡ଼) ବିନା କୋର୍ଟ ଫରୱାର୍ଡରେ ସ୍ଥାନାନ୍ତରିତ କରିନଥାନ୍ତେ। ସେହିପରି ସନ୍ଦେହଜନକ ପରିସ୍ଥିତିରେ ମମିତାର ବ୍ୟାଗ, ସୁନା, ଚେନ, ରୂପା, ପାଉଁଝି ଯାହାକି ସିଜ୍ ହେବା ଉଚିତ୍ କିନ୍ତୁ ପରିବାର ବର୍ଗକୁ ହସ୍ତାନ୍ତର କରାଗଲା। ସିଡ଼ି କୁଆଡେ ଗଲା, ଏବଂ ଫୋନ ଆନାଲିସିସ ନହେବା ଏ ସବୁ ସ୍ପଷ୍ଟ କରୁଛି ଯେ ତଦନ୍ତ ଦିଗହରା କରିବାକୁ ରାଜ୍ୟ ସରକାର ଅପଚେଷ୍ଟା କରିଛନ୍ତି। ଶୁଣାଣୀର ପ୍ରକ୍ରିୟା ଫାଷ୍ଟ ଟ୍ରାକ୍ ସେତେବେଳେ ହୋଇପାରିବ ଯେତେବେଳେ ତଦନ୍ତ ନିରପେକ୍ଷ ବିନା ଚାପରେ ଏବଂ ସମୟସାରଣୀ ଭିତରେ ସମ୍ପନ୍ନ ହେବ। କିନ୍ତୁ ଯେତେବେଳେ ଦିବ୍ୟଶଙ୍କର ମିଶ୍ର ଯାହାଙ୍କର ମମିତା ମେହେର ହତ୍ୟାକାଣ୍ଡ ଭୂମିକାର ନିର୍ଦ୍ଦିଷ୍ଟ ଅଭିଯୋଗ ଅଣାଯାଇଛି। ଗୃହରାଷ୍ଟ୍ର ମନ୍ତ୍ରୀ ଭାବରେ ତାଙ୍କର ପଦବୀରେ ଥିଲେ, ସେତେବେଳ ଯାଏ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ଯାହାଙ୍କ ନାମରେ ଅଭିଯୋଗ ଆସିଛି ସେ ନିଜେ ତଦନ୍ତ ବିଭାଗର ମୁଖିଆ ହୋଇ ରହିଲେ ନିରପେକ୍ଷ ବିନା ଚାପରେ ତଦନ୍ତ ଅସମ୍ଭବ ଏହା ସମସ୍ତେ ଜାଣନ୍ତି। ଗୃହ ରାଷ୍ଟ୍ର ମନ୍ତ୍ରୀ ବହିଷ୍କାରରୁ ତଦନ୍ତ ଆରମ୍ଭ ହେବା ଉଚିତ୍। ମୁଖ୍ୟମନ୍ତ୍ରୀ ତଦନ୍ତକୁ କୌଣସି ସମୟ ସୀମା ମଧ୍ୟରେ ସରିବାର କଥା ନ କହି କେବଳ ଫାଷ୍ଟଷ୍ଟ୍ରାକ୍ କଥା କହିବା ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ସଦୃଶ। ଆମ ଦ୍ୱାରା ପଚରାଯାଇ ଥିବା କୌଣସି ଉତ୍ତର ମୁଖ୍ୟମନ୍ତ୍ରୀ ରଖିନପାରିବା ଓ ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ନକହିବା, ପୋଲିସର ପକ୍ଷପାତିତା ତାଙ୍କ ସରକାରଙ୍କ ମହିଳାଙ୍କ ପ୍ରତି ପ୍ରତିବଦ୍ଧତା ଓ ନ୍ୟାୟ ପ୍ରକ୍ରିୟା ଉପରେ ଥିବା ବିଶ୍ୱାସକୁ ଅବିଶ୍ୱାସରେ ପରିଣତ କରିଛି। ଏ ସବୁ କଥା କହି ଅସଲ ଅପରାଧୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ନିଜର ଦାଗୀ ମନ୍ତ୍ରୀଙ୍କୁ ବହିଷ୍କାର ନକରି ତାଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ତଦନ୍ତକାରୀ ପୋଲିସ ବିଭାଗକୁ ସ୍ପଷ୍ଟ ଯାଏଁ ନିର୍ଦ୍ଦେଶ ଦେଇଛନ୍ତି ଯେ ମନ୍ତ୍ରୀଙ୍କୁ ବାଦ୍ ଦେଇ ତଦନ୍ତ କର। ଆମ୍ଭେ ମୁଖ୍ୟମନ୍ତ୍ରୀଙ୍କ ଏ ବିବୃତିକୁ ଭତ୍ସନା କରୁଛୁ।

ମମିତା ହତ୍ୟାକାଣ୍ଡରେ ବିବୃତି ଦେବା ଆଳରେ ମୁଖ୍ୟମନ୍ତ୍ରୀ ବାତ୍ୟା, କୋଭିଡ୍ ମହାମାରୀ, ଚାଷୀ ପ୍ରସଙ୍ଗ, ଗ୍ରାମୀଣ ଆବାସ ଯୋଜନା, ଏଲପିଜି ଦରବୃଦ୍ଧି କଥା କହି ଏ ବିଭତ୍ସ ହତ୍ୟାକାଣ୍ଡରୁ ନଜର ହଟାଇବାକୁ ଅପଚେଷ୍ଟା କରି ରାଜନୀତି କରୁଛନ୍ତି ଓ ମମିତାର ଆତ୍ମାକୁ ଆଘାତ ପହଁଚାଇଛନ୍ତି। ଅତିତରେ ଘଟିଥିବା କୌଣସି ମହିଳା ବିରୋଧୀ ଅପରାଧ ଯଥା କୁନ୍ଦୁଲି, ଇତିଶ୍ରୀ, ବେବିନା, ମାଧବୀଲତା, ସ୍ମିତାରାଣୀ, ପରୀ, କୌଣସି ପ୍ରସଙ୍ଗରେ ପୀଡ଼ିତାର ପରିବାର ନ୍ୟାୟ ପାଇପାରି ନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କର ଏହି ଛଳନାପୂର୍ଣ୍ଣ ବିବୃତି ମିମତାଙ୍କ ପରିବାରକୁ ନ୍ୟାୟ ନୁହେଁ ବରଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା ପାଇଁ ଏକ ଅପଚେଷ୍ଟା ଓଡ଼ିଶାବାସୀଙ୍କୁ ଗଭୀର ଆଘାତ ପହଁଚାଇଛି ବୋଲି ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁବାଷ ପାଣିଗ୍ରାହୀ, ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଭାସ୍କର ମଢେଇ, ନିତ୍ୟାନନ୍ଦ ଗଂଡ, ଡ.ବୁଧନ ମୁର୍ମୁ, ନବଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.