Home Top News ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି: ୫ରେ ସମସ୍ତ...

ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି: ୫ରେ ସମସ୍ତ ଥାନା, ୬ରେ ସମସ୍ତ ଏସପି ଅଫିସ୍ ଏବଂ ୮ରେ ଡିଜି ଅଫିସ୍ ଘେରାଓ

41

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି। ଆସନ୍ତା କାଲି ଅର୍ଥାତ୍ ୫ ତାରିଖରେ ସମସ୍ତ ଥାନା ଘେରାଓ, ୬ ତାରିଖରେ ସମସ୍ତ ଏସପି ଅଫିସ ଘେରାଓ ଏବଂ ୮ ତାରିଖରେ ଡିଜି ଅଫିସ ଘେରାଓ କରିବ ବିଜେପି। ଏ’ ନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସୂଚନା ଦେଇ କହିଛି, ଶାସକ ବିଜେଡିର ପ୍ରମୁଖ ନେତୃବୃନ୍ଦଙ୍କ ପ୍ରରୋଚନା ଏବଂ ଷଡ଼ଯନ୍ତ୍ରରେ ପ୍ରତିହିଂସା ପରାୟଣ ହୋଇ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅକ୍ରମଣ କରାଯାଇ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ। ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ରାଜନୀତିରେ ଏଭଳି ଘୃଣ୍ୟ କାର୍ଯ୍ୟ ଆଦୈା ଗ୍ରହଣୀୟ ନୁହେଁ। ବିରୋଧୀଙ୍କ କଣ୍ଠୋରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ଶାସକ ବିଜେଡି ପଛାଉ ନାହିଁ। ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟ ସରକାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଢଙ୍ଗରେ ପରିଚାଳନା କରିବାରେ ବିଫଳ ହେବା କାରଣରୁ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାର ବିଜେପି ବାରମ୍ବାର ଅଭିଯୋଗ କରି ଆସୁଛି। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ ବୋଲି କହି ମିଛରେ ବାଃ ବାଃ ନେବାର ଅପଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ହିଂସାକୁ ପ୍ରଶ୍ରୟ ଦେବା ସହ ରାଜନୈତିକ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ପ୍ରଶ୍ରୟ ଦେଉଛନ୍ତି। ଏଥି ସହ ବିରୋଧୀ ଦଳର ନେତାମାନଙ୍କୁ ହତ୍ୟା କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମୁଖ୍ୟମନ୍ତ୍ରୀ ନିଖୋଜ ଶିଶୁମାନଙ୍କୁ ନାଁ ସୁରକ୍ଷା ଦେଇପାରୁଛନ୍ତି ନାଁ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସୁରକ୍ଷା ଦେଇପାରୁଛନ୍ତି। ତେଣୁ ଏକ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇକୁ ଜାରି ରଖିବା ସହ ପ୍ରତିହିଂସା ପରାୟଣ ସାଜିଥିବା ଶାସକ ବିଜେଡିର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ଦମନମୂଳକ କାର୍ଯ୍ୟକୁ ବିରୋଧ କରିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଗତ ୨ ତାରିଖ ଦିନ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଯଦି ତୁରନ୍ତ ଗିରଫ ନକରାଯାଏ, ତାହେଲେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଭୟାଭୟ ରୂପ ନେବ ଏବଂ ଶାସକ ବିଜେଡିକୁ କାଠଗଡ଼ାରେ ଠିଆ କରାଇବା ପାଇଁ ଭାରତୀୟ ଜନତା ପାର୍ଟୀ ଲଢ଼େଇକୁ ଜାରୀ ରଖିବ। ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ପୃଥ୍ୱୀରାଜ ହରିଚନ୍ଦନ ଦାବୀ କରିଛନ୍ତି। ଏହି ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦ ଏବଂ ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନଙ୍କ ଇସ୍ତଫା ଦାବୀରେ ଆସନ୍ତା କାଲି ଅର୍ଥାତ୍ ୫ ତାରିଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ପୋଲିସ ଥାନା ସମ୍ମୁଖରେ ବିକ୍ଷୋଭ କରିବ। ଆସନ୍ତା ୬ ତାରିଖ ଦିନ ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପୋଲିସ ବିଭାଗର ନିଷ୍କ୍ରିୟତା କାରଣରୁ ଆସନ୍ତା ୮ ତାରିଖ ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ ସୁଚନା ଦେଇ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ଡ. ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.