Home ଜିଲ୍ଲା ପରିକ୍ରମା ୫ ମାସ ବିତିଗଲା, ହାପି ମହାକୁଡ଼ ହତ୍ୟାମାମଲାରେ ମିଳିଲାନି ନ୍ୟାୟ,ପୋଲିସ ଉପରୁ ଆସ୍ଥା ହରାଉଛନ୍ତି ସାଧାରଣ...

୫ ମାସ ବିତିଗଲା, ହାପି ମହାକୁଡ଼ ହତ୍ୟାମାମଲାରେ ମିଳିଲାନି ନ୍ୟାୟ,ପୋଲିସ ଉପରୁ ଆସ୍ଥା ହରାଉଛନ୍ତି ସାଧାରଣ ଜନତା

3

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଏହି ଜିଲାର ଚାନ୍ଦବାଲି ବ୍ଲକ ଓଳଙ୍ଗପଂଚାୟତ ସଠିବାଙ୍କୁଡ଼ା ଗ୍ରାମର ଘଟଣା କୁନେଇ ଏବେବି ସନ୍ଦଦେହଘେରରେ ଆଇନ ଶୃଙ୍ଖଳା ଏବଂ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚର୍ଚ୍ଚିତ ହାପି ମହାକୁଡ଼ ହତ୍ୟାମାମଲାକୁ ୫ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମାଷ୍ଟରମାଇଣ୍ଡ କିମ୍ବା ମୁଖ୍ୟ ଅଭିଯୁକ୍ତମାନେ ଆଇନର କବ୍ଜାକୁ ଆସିପାରି ନାହାନ୍ତି। ଫଳରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସ ପ୍ରଶାସନ ଉପରୁ ସାଧାରଣ ଲୋକଙ୍କ ଆସ୍ଥା କ୍ରମଶଃ ତୁଟିବାରେ ଲାଗିଛି।ଆରଡ଼ି ଅଂଚଳରେ ଘଟିଥିବା ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରଥମରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମାତ୍ର ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ନିଷ୍କ୍ରିୟତା ଏବଂ କଥିତ ଲାଂଚ କାରବାର ଯୋଗୁଁ ତଦନ୍ତ ପ୍ରକ୍ରିୟା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ପୋଲିସର ଏଭଳି ସନ୍ଦେହଜନକ ଭୂମିକା ଯୋଗୁଁ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ଯଥେଷ୍ଟ ସୁଯୋଗ ପାଇଯାଇଛନ୍ତି।ଦୀର୍ଘ ମାସ ଧରି ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଥିବାରୁ ସାଧାରଣରେ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏସପିଙ୍କ ସ୍ୱତନ୍ତ୍ର ତଦନ୍ତ ଏବଂ ଦୋଷୀ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କରାଯିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଆସୁଛନ୍ତି। ପୂର୍ବରୁ ଏସପି ଶ୍ରୀ ରାଉତ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବରେ ମୂଳ ଅଭିଯୁକ୍ତମାନେ ଏବେବି ଧରାଛୁଆଁ ବାହାରେ ରହିବା ପୋଲିସର କାର୍ଯ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।ଜଣେ ନିରୀହ ବ୍ୟକ୍ତିଙ୍କ ଜୀବନ ଗଲା ପରେ ଯଦି ଦୀର୍ଘ ୫ ମାସ ଯାଏଁ ପୀଡ଼ିତ ପରିବାର ନ୍ୟାୟ ନ ପାଆନ୍ତି, ତେବେ ତାହା ଗଣତନ୍ତ୍ର ଓ ଆଇନ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ୱାନ। ତେଣୁ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ସମସ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରୁ ଏବଂ କୋର୍ଟ ଜରିଆରେ କଠୋର ଦଣ୍ଡବିଧାନ କରାଯାଉ, ଯାହାଫଳରେ ସାଧାରଣ ଜନତାଙ୍କର ପୋଲିସ ତଥା ଆଇନ ଉପରେ ପୁନର୍ବାର ବିଶ୍ୱାସ ଫେରିଆସିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.