ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଏକ ଭାଇରାଲ୍ ଅଡିଓ କ୍ଲିପ୍କୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଲେଜର ଲାବ୍ ଆସିଷ୍ଟାଂଟ (ଗ୍ୟାସ ମ୍ୟାନ) ଜୟପ୍ରକାଶ ନାୟକଙ୍କୁ ଛାତ୍ର ସଂସଦ ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଅଫିସ ଅର୍ଡର ନଂ. ୪୧୧/ତା ୧୩.୧୦.୨୦୨୬ ଅନୁଯାୟୀ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଲାବ୍ ଆସିଷ୍ଟାଂଟ ଶ୍ରୀ ନାୟକ ଏକ ଟେଲିଫୋନ୍ କଥାବାର୍ତା ମାଧ୍ୟମରେ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଏହି କଥାବାର୍ତାର ଏକ ଅଡିଓ ରେକର୍ଡିଂ ପେନ୍ ଡ୍ରାଇଭ୍ ଜରିଆରେ କର୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା।ଯାହାର ଯାଞ୍ଚ ପରେ ଏହାକୁ ଶୃଙ୍ଖଳାଗତ ନିୟମ ଓ ସେବା ସର୍ତାବଳୀର ଉଲ୍ଲଂଘନ ବୋଲି ବିବେଚନା କରାଯାଇଥିଲା। ଏହି ଘଟଣାକୁ ନେଇ ଗତକାଲି ତାରିଖରେ ଏବିଭିପି ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କ ଅଫିସ ଆଗରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଶିକ୍ଷା (ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତି ଏବଂ ସେବା ସର୍ତ) ନିୟମ, ୧୯୭୪ର ନିୟମ ୨୧(୨) ବଳରେ କଲେଜ ଅଧ୍ୟକ୍ଷ ଏବଂ ଗଭର୍ଣିଂ ବଡ଼ି ପକ୍ଷରୁ ଶ୍ରୀ ନାୟକଙ୍କୁ ତଦନ୍ତ ସରିବା ପର୍ଯ୍ଯନ୍ତ ସାମୟିକ ଭାବେ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ସେ ପ୍ରଯୁଜ୍ୟ ସେବା ସର୍ତ, ଭତା ଏବଂ ମୁଖ୍ୟାଳୟ ନିୟମାବଳୀ ଅଧୀନରେ ରହିବେ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି। ନିର୍ଦ୍ଦେଶ ସଂପର୍କରେ ଅଧ୍ୟକ୍ଷଙ୍କ ପକ୍ଷରୁ ସମ୍ପୃକ୍ତ ଲାବ୍ ଆସିଷ୍ଟାଣ୍ଟ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶା ଏବଂ ଉପଜିଲ୍ଲାପାଳ ତଥା ଗଭର୍ଣିଂ ବଡ଼ିର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି।ଏହି ଘଟଣାକୁ ନେଇ ଛାତ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।








