Home ଜିଲ୍ଲା ପରିକ୍ରମା ୧୦୫ ବର୍ଷର ବୃଦ୍ଧା ମା’ଙ୍କୁ ତିନି ପୁଅଙ୍କ ଅବହେଳା ଅଭିଯୋଗ,ଖାଇବା ଓ ରହିବାକୁ ନ ଦେବା...

୧୦୫ ବର୍ଷର ବୃଦ୍ଧା ମା’ଙ୍କୁ ତିନି ପୁଅଙ୍କ ଅବହେଳା ଅଭିଯୋଗ,ଖାଇବା ଓ ରହିବାକୁ ନ ଦେବା ଅଭିଯୋଗରେ ପୁରୁଣାବଜାର ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧା

5

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୟସର ଶେଷ ପାହାଚରେ ପହଂଚିଥିବା ଜଣେ ୧୦୫ ବର୍ଷୀୟ ବୃଦ୍ଧା ମା’ଙ୍କୁ ନିଜର ତିନି ପୁଅ ଖାଇବା ଓ ରହିବାକୁ ଦେଉନଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବୃଦ୍ଧା ଜଣକ ଭଦ୍ରକ ପୁରୁଣାବଜାର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଘଟଣାଟି ଭଦ୍ରକ ମୁନିସିପାଲିଟି ଅନ୍ତର୍ଗତ ମୁଲ୍ଲାସାହି ଅଂଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମୁଲ୍ଲାସାହି ଅଂଚଳର ଏହି ବୃଦ୍ଧାଙ୍କ ବୟସ ପ୍ରାୟ ୧୦୫ ବର୍ଷ। ବୃଦ୍ଧାବସ୍ଥା ଯୋଗୁଁ ସେ ନିଜେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ। ଏଭଳି ସମୟରେ ନିଜ ସନ୍ତାନମାନଙ୍କ ସହାୟତା ଓ ଆଶ୍ରୟ ହିଁ ତାଙ୍କର ଏକମାତ୍ର ଭରସା ବୋଲି ପରିବାର ପକ୍ଷରୁ କୁହାଯାଇଛି। ବୃଦ୍ଧାଙ୍କ କହିବା ଅନୁଯାୟୀ, ତାଙ୍କ ବଡ଼ ପୁଅ ଦୀର୍ଘ ଦିନ ଧରି ତାଙ୍କୁ ନିଜ ପାଖରେ ରଖି ଆସୁଥିଲେ। ବୃଦ୍ଧାଙ୍କ ଦେଖାଶୁଣା ଓ ଖାଦ୍ୟପାନୀୟର ବ୍ୟବସ୍ଥା ମଧ୍ୟ କରୁଥିଲେ। କିନ୍ତୁ ପୁଅଙ୍କ ବେପାର ବାଣିଜ୍ୟ ଠିକ୍ ଭାବେ ଚାଲୁନଥିବାରୁ ପରିବାରର ଆର୍ôଥକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ଅଭିଯୋଗ ରହିଛି। ଫଳରେ ବୃଦ୍ଧାଙ୍କ ଖାଇବା, ରହିବା ଓ ଦେଖାଶୁଣାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ, ବୃଦ୍ଧାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ତିନି ପୁଅ ଥିଲେ ମଧ୍ୟ ବର୍ତମାନ ତାଙ୍କୁ ଠିକ୍ ଭାବରେ ଖାଇବାକୁ ଓ ରହିବାକୁ ଦିଆଯାଉନାହିଁ। ଏହି ବୟସରେ ନିଜ ସନ୍ତାନଙ୍କ ଠାରୁ ଆଶ୍ରୟ ନପାଇ ସେ ଅସହାୟ ଅବସ୍ଥାରେ ପଡ଼ିଥିବା କହିଛନ୍ତି। ଶେଷରେ ନିରାଶ ହୋଇ ବୃଦ୍ଧା ନ୍ୟାୟ ଆଶାରେ ପୁରୁଣାବଜାର ଥାନାରେ ପହଂଚି ନିଜ ଅଭିଯୋଗ ଜଣାଇଥିବା ସୂଚନା ମିଳିଛି। ଏହି ଘଟଣା ବୃଦ୍ଧ ପିତାମାତାଙ୍କ ପ୍ରତି ସନ୍ତାନଙ୍କ ଦାୟିତ୍ୱ ଓ ପାରିବାରିକ ମୂଲ୍ୟବୋଧକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ବୃଦ୍ଧାଙ୍କ ଅଭିଯୋଗ ଆଧାରରେ ପୁରୁଣାବଜାର ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରିବା ଆବଶ୍ୟକତା ଦେଖାଦେଇଛି। ଜୀବନର ଏହି ଶେଷ ସମୟରେ ୧୦୫ ବର୍ଷୀୟ ବୃଦ୍ଧାଙ୍କୁ ସୁରକ୍ଷିତ ଆଶ୍ରୟ, ଖାଦ୍ୟ ଓ ଆବଶ୍ୟକ ଯତ୍ନ ମିଳିବା ନେଇ ସ୍ଥାନୀୟ ମହଲରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ନିଜ ଜନ୍ମଦାତ୍ରୀ ମା’ ଜୀବନର ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ ତାଙ୍କ ଦେଖାଶୁଣା ଓ ସୁରକ୍ଷା ନେବା ସନ୍ତାନଙ୍କ ମାନବୀୟ ଦାୟିତ୍ୱ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.