Home ଜିଲ୍ଲା ପରିକ୍ରମା ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ, ସୂର୍ଯ୍ୟପୁରରୁ ପାୟାସାହି ପାର୍ଶ୍ୱ ସ୍ଥିତି ସଙ୍ଗୀନ, ବନ୍ୟା ଦେଇଛି ବିପଦ

ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ, ସୂର୍ଯ୍ୟପୁରରୁ ପାୟାସାହି ପାର୍ଶ୍ୱ ସ୍ଥିତି ସଙ୍ଗୀନ, ବନ୍ୟା ଦେଇଛି ବିପଦ

1

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର କେତେକ ସ୍ଥାନରେ ସଙ୍କଟାପନ୍ନ ସ୍ଥିତି ଦେଖିବାକୁ ମିଳିଛି।ଏହି ମୁଖ୍ୟ ସଡକର ସୂର୍ଯ୍ୟପୁର ଠାରୁ ପାୟାସାହି ପର୍ଯ୍ୟନ୍ତ ପ୍ରାୟ ଗୋଟିଏ କିଲୋମିଟର ସଡ଼କ ପାର୍ଶ୍ୱ ବନ୍ୟାରେ ଧୋଇଯାଇ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି।ଖାଇ ଯାଇଥିବା ଅଂଶକୁ ପଥର ଦେଇ ପଥଚାରୀଙ୍କୁ ସଡ଼କର ସୀମା ଚିହ୍ନାଇବାକୁ ଛାଡି ଦିଆଯାଇଛି। ବନ୍ୟା ଛାଡିବାର ଗୋଟିଏ ମାସ ପରେ ମଧ୍ୟ ରାସ୍ତା ମରାମତି ଦିଗରେ ଆଖିଦୃଶିଆ ପଦକ୍ଷେପ ନନିଆଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଭଦ୍ରକ-ଆରଡ଼ି ୩୫ ନମ୍ବର ରାଜ୍ୟ ରାଜପଥର ପାୟାସାହିଠାରୁ ସୂର୍ଯ୍ୟପୁର ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ୟାଜଳର ପ୍ରବଳ ସ୍ରୋତରେ ଧୋଇ ଯାଇଛି। ରାସ୍ତାର ପ୍ରାୟ ୩/୪ ଫୁଟ ଅଂଶ ଧୋଇ ଯିବା ପରେ ଖାଲ ହୋଇ ଯାତାୟାତ ବିପଜ୍ଜନକ ହୋଇପଡ଼ିଛି। ରାସ୍ତାର ଏହି ଦୁର୍ବଳ ଖଣ୍ଡିଆ ପାର୍ଶ୍ୱ ଦେଇ ଗାଡ଼ି ଚଳାଚଳ କରିବା ସମୟରେ ଭାରସାମ୍ୟ ହରାଇବାର ଆଶଙ୍କା ରହିଛି। ବିଶେଷକରି ରାତିରେ ଅନ୍ଧାର ମଧ୍ୟରେ ଏହି ସ୍ଥାନ ଦେଇ ଯିବାଆସିବା କରିବା ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାର ଏଭଳି ଗୁରୁତର ଅବସ୍ଥା ସତ୍ୱେ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ବିପଦପୂର୍ଣ୍ଣ ସ୍ଥାନରେ କେତେକ ପଥର ଖଣ୍ଡ ରଖାଯାଇଥିଲେ ମଧ୍ୟ ସେଥିରେ ଧଳାରଙ୍ଗ ଦିଆଯାଇନାହିଁ। ଆବଶ୍ୟକ ସ୍ଥାନରେ ପଥର ମଧ୍ୟ ନାହିଁ। ଫଳରେ ଦୂରରୁ ରାସ୍ତାର ବିପଦପୂର୍ଣ୍ଣ ସ୍ଥିତି ଜାଣିବା କଷ୍ଟକର ହେଉଛି। ଦୁର୍ଘଟଣା ରୋକିବା ପାଇଁ ଅସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଓ ସତର୍କ ସୂଚନା ଫଳକ ଲଗାଇବାରେ ବିଭାଗୀୟ ଅବହେଳାକୁ ନେଇ ଅସନ୍ତୋଷ ବଢ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଆରଡ଼ିସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠକୁ ଶହଶହ ଯାନବାହନ ଯାତାୟାତ କରୁଛି। ଦୁଇଚକିଆ ଯାନ ସହ ଟ୍ରାକ୍ଟର ଓ ମାଲବାହୀ ଗାଡ଼ି ଚଳାଚଳ କରୁଥିବାରୁ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଜିଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପାୟାସାହି ଗ୍ରାମବାସୀ ମାନେ ତୁରନ୍ତ ରାସ୍ତା ମରାମତି କରିବା ସହ ଉଭୟ ପାର୍ଶ୍ୱରେ ସତର୍କ ସୂଚନା ଫଳକ ଲଗାଇବାକୁ ଦାବି କରିଛନ୍ତି।ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାରି ବର୍ଷ ମଧ୍ୟରେ ଶେଷ ହୋଇ ପାରିନଥିଲା ବେଳେ ଏବେର ସ୍ଥିତି ବିପଦ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ନବଘନ ମାରାଣ୍ଡି ରାସ୍ତାଙ୍କ ପ୍ରତିକ୍ରିୟା ନିଆଯାଇଥିଲା।ସଡ଼କ ନଷ୍ଟ ହୋଇଥିବା ନେଇ ବିଭାଗ ଅବଗତ ଥିବା କହିବା ସହ ଖୁବ୍‌ଶୀଘ୍ର ସତର୍କ ସୂଚନା ଫଳକ ଲଗାଯିବ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.