Home ଜିଲ୍ଲା ପରିକ୍ରମା କୁମାର ପୂର୍ଣ୍ଣିମା: ଚଉଁରା ମୂଳରୁ ଚନ୍ଦ୍ର ପୂଜା ଯାଏଁ, ଆଶ୍ୱିନ ଶୁକ୍ଳ ଦଶମୀରୁ ଆରମ୍ଭ ହୁଏ...

କୁମାର ପୂର୍ଣ୍ଣିମା: ଚଉଁରା ମୂଳରୁ ଚନ୍ଦ୍ର ପୂଜା ଯାଏଁ, ଆଶ୍ୱିନ ଶୁକ୍ଳ ଦଶମୀରୁ ଆରମ୍ଭ ହୁଏ ପ୍ରସ୍ତୁତି, ପୂର୍ଣ୍ଣିମାରେ ଉଦ୍‌ଯାପନ

1

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ପରମ୍ପରା ଓ ଲୋକସଂସ୍କୃତିର ଅନ୍ୟତମ ପର୍ବ କୁମାର ପୂର୍ଣ୍ଣିମା। ଏହି ପର୍ବକୁ ନେଇ ଧାମନଗର ଅଂଚଳରେ କୁମାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। ପାରମ୍ପରିକ ରୀତି ଅନୁଯାୟୀ, କେତେକ ଅଂଚଳରେ ଆଶ୍ୱିନ ଶୁକ୍ଳ ଦଶମୀଠାରୁ କୁମାରୀମାନେ ପୂଜାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ତେବେ ପୂଜାର ବିଧି ଓ ଦିନ ସ୍ଥାନୀୟ ପରମ୍ପରା ଅନୁସାରେ ଭିନ୍ନ ହୋଇଥାଏ। କୁମାର ପୂର୍ଣ୍ଣିମା ଦିନ ସକାଳୁ କୁମାରୀମାନେ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧି ତୁଳସୀ ଚଉଁରା ମୂଳକୁ ସଫା କରିଥାନ୍ତି। ଚଉଁରା ଚାରିପାଖରେ ମୁରୁଜରେ ବିଭିନ୍ନ ଚିତା ଆଙ୍କି ଫୁଲରେ ସଜାଇଥାନ୍ତି। ଏହାପରେ ସୂର୍ଯ୍ୟୋଦୟ ସମୟରେ ଖଇ, ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ପଣ କରି ‘ଅଞ୍ଜୁଳି ଟେକା’ ପରମ୍ପରା ପାଳନ କରିଥାନ୍ତି। ଦିନସାରା ବ୍ରତ ରଖି ସନ୍ଧ୍ୟାରେ ଚନ୍ଦ୍ରୋଦୟକୁ ଅପେକ୍ଷା କରିଥାନ୍ତି। ଚନ୍ଦ୍ର ଉଦୟ ହେବା ପରେ ତୁଳସୀ ଚଉଁରା ନିକଟରେ ଦୀପ ଜାଳି ଚନ୍ଦ୍ରଦେବଙ୍କୁ ପୂଜା କରାଯାଏ। ଖଇ, ନଡ଼ିଆ, କଦଳୀ, ଛେନା, ଗୁଡ଼ ଓ ଅନ୍ୟାନ୍ୟ ଫଳମୂଳରେ ପ୍ରସ୍ତୁତ ‘ଚାନ୍ଦ ଚକଟା’ ଭୋଗ ଅର୍ପଣ କରାଯାଏ। ପୂଜା ପରେ କୁମାରୀମାନେ ପ୍ରସାଦ ସେବନ କରିବା ସହ ପାରମ୍ପରିକ ଗୀତ ଗାଇ ଓ ପୁଚି ଖେଳ ଖେଳି ଆନନ୍ଦ ଉଲ୍ଲାସରେ ପର୍ବ ପାଳନ କରିଥାନ୍ତି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର କାର୍ତିକେୟଙ୍କ ନାମରୁ ଏହି ପର୍ବର ନାମ କୁମାର ପୂର୍ଣ୍ଣିମା ହୋଇଛି। କୁମାରୀମାନେ ଉତମ ଜୀବନସାଥୀ ଓ ସୁଖମୟ ଭବିଷ୍ୟତ କାମନା କରି ଏହି ପୂଜା କରିଥାନ୍ତି। ତେବେ ଆଧୁନିକତାର ପ୍ରଭାବରେ ଗାଁ ଗହଳିରେ ପ୍ରଚଳିତ ପାରମ୍ପରିକ କୁମାରୀ ଖେଳ, ଲୋକଗୀତ ଓ ସାମୂହିକ ପୂଜା ପରମ୍ପରା କେତେକ ସ୍ଥାନରେ ମଳିନ ପଡ଼ିବାକୁ ବସିଛି। ଓଡ଼ିଆ ଲୋକସଂସ୍କୃତିର ଏହି ଅମୂଲ୍ୟ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ପହଂଚାଇବା ସହ ଏହାର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.