Home ଜିଲ୍ଲା ପରିକ୍ରମା ୧୫ଦିନ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ବନ୍ୟା, ଭଦ୍ରକ ଜିଲାର ୫ଟି ବ୍ଲକର...

୧୫ଦିନ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ବନ୍ୟା, ଭଦ୍ରକ ଜିଲାର ୫ଟି ବ୍ଲକର ୬୦ପଂଚାୟତ ୩ଶହରୁ ଉର୍ଦ୍ଧ ଗାଁ ପ୍ରଭାବିତ, ବିପନ୍ନଙ୍କ ଦୁଃଖକୁ ଦୁଇଗୁଣିତ କରିଛି ଲଗାଣବର୍ଷା ଓ ବନ୍ୟାପାଣି

4

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୧୫ଦିନ ହେଲା ପାଖକୁପାଖ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଆସିବାରୁ ଭଦ୍ରକ ଜିଲାର ୫ଟି ବ୍ଲକର ୬୦ଟି ପଂଚାୟତର ୩ଶହରୁ ଉର୍ଦ୍ଧ ଗାଁ ପ୍ରଭାବିତ କରିଛି। ଏବେବି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ତଳମୁଣ୍ଡରେ ସମୁଦ୍ର ଜୁଆରିଆ ଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଫଳରେ ୭ଦିନ ହେବ ଭଣ୍ଡାରିପୋଖରୀ ,ଧାମନଗର, ତିହିଡ଼ି, ଚାନ୍ଦବାଲି ବ୍ଲକରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏବେବି ହଦଗଡ଼ ଡ଼୍ୟାମରୁ ୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ସାଳନ୍ଦୀ ନଦୀର ଜଳସ୍ତରର ସୁଧାର ଆସିନାହିଁ । ଏପଟେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଛାଡିନଥିବା ବେଳେ ପୁଣି ତୃତୀୟ ଥର ପାଇଁ ଆଖୁଆପଦା ଠାରେ ବୈତରଣୀ ଓ ଭଦ୍ରକ ରାଜଘାଟଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ଓ ତାର ଶାଖାନଦୀର ବନ୍ୟାପାଣିରେ ଉଛୁଳା ଥିବାରୁ ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟା ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଶତାଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ତାହା ସହ ଭଣ୍ଡାରୀପୋଖରୀ ଓ ଧାମନଗର ଅଂଚଳର ଅନେକ ରାସ୍ତାରେ ୩/୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯାଇଛି। ସେହିପରି ଭଦ୍ରକ ରାଜଘାଟ ଠାରେ ବିପଦ ସଙ୍କେତ ୧୭ଫୁଟ ଥିବା ବେଳେ ବିପଦ ସଂକେତ ଠାରୁ ବହୁ ଉର୍ଦ୍ଧରେ ପ୍ରବାହିତ ହେଉଥିବାରୁ ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କୋଚିଳା, ନାଳିଆ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ବ୍ଲକର ୬୦ଟି ପଂଚାୟତର ୩ଶହରୁ ଉର୍ଦ୍ଧ ଗାଁ ପ୍ରଭାବିତ ହେବା ସହ ଶତାଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ତାହାସହ ନାଳିଆ ନଦୀର ବିଷ୍ଣୁପୁରବିନ୍ଧା ନିକଟରେ ୫୦ଫୁଟର ଘାଇ ହୋଇଥିବାରୁ ଭଦ୍ରକ ସହରାଂଚଳ ସହ ତିହିଡି ବ୍ଲକ ୧୦ ଗାଁ ପ୍ରଭାବିତ ହୋଇଛି। ଭଣ୍ଡାରୀପୋଖରୀ ବ୍ଲକର ରହଣିଆ, ମାଳଦା, ଷୋଳମପୁର, ନପଙ୍ଗ ଓ କୋରିଗାଁ ଆଦି ୧୦ଟି ପଞ୍ଚାୟତର ୩୦ ଗାଁ ୭ଦିନ ଧରି ବନ୍ୟା ଘେରରେ ରହିଛି। ଲଗାଣବର୍ଷା ଲାଗି ରହିଥିବାରୁ ବିପନ୍ନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ତାହା ସହ ଚାଷଜମି ଓ ତଳିଆ ଅଂଚଳରେ ଏବେବି ବନ୍ୟାପାଣି ଲହଡ଼ି ମାରୁଛି। ସେହିପରି ଧାମନଗର ବ୍ଲକର ସୋହଡା, ଦୋ୍ୱଲ, ଆନନ୍ଦପୁର, କର୍କଦା, ଅର୍ଜୁନପୁର, ନଦୀ ଗାଁ, ଧୁଷୁରୀ, ଷେଣ୍ଢପୁର, ହସନାବାଦ ଆଦି ୨୫ ପଂଚାୟତର ୭୦ ଗାଁ ୭ଦିନ ହେବ ବନ୍ୟାଜଳ ପ୍ରବେଶ କରିବା ଫଳରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଅର୍ଜୁନପୁର ଠାରେ ବୈତରଣୀ ନଦୀର ଏକ ଘଳିଆ ପଡ଼ିଥିବାରୁ ଲୋକ ଆତଙ୍କିତ ହୋଇ ନଦୀବନ୍ଧକୁ ଜଗି ରହିଛନ୍ତି। ତାହାସହ ଧୁଷୁରୀ-ଯାଜପୁର ରାସ୍ତାର ହସନାବାଦ ନିକଟରେ ୪/୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏପଟେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁକୁ ପାଣି ମାଡିବାରୁ ମୁଁଆ ଓ ଭୁଇଁପୁର ଘୋଷରା ରାସ୍ତାରେ ୪ଫୁଟ ଉଚ୍ଚରେ ବନ୍ୟାପାଣି ଚାଲୁଥିବାରୁ ୨୦ରୁ ଉର୍ଦ୍ଧ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି। ତାହାସହ ବୈତରଣୀ ନଦୀର ବନ୍ୟାପାଣି କୂଳ ଲଘିଂବାରୁ ବୋଡକ ଓ ଷାଠିବାଙ୍କୁଡା ନିକଟରେ ନଦୀବନ୍ଧ ନଥିବାରୁ ଦୀର୍ଘ ୭ଦିନ ହେବ ଆଖଣ୍ଡଳମଣି – କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ୩ଶହ ଫୁଟ ରାସ୍ତା ଧୋଇଯିବା ସହ ୪/୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯିବା ସହିତ ବନ୍ୟାପାଣି ମାଡିବାରୁ ଆରଡି ସମେତ ୨୪ଟି ଗାଁ ଜଳବନ୍ଦୀ ହୋଇଛି। ତାହା ସହ ଆରଡି ମୁଖ୍ୟ ବଜାର ଓ ରାସ୍ତାରେ କେଉଁଠି ୨ଫୁଟ ତ ଆଉ କେଉଁଠି ୩/୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଘର, ଦୋକାନ ଆଦି ୨ଦିନ ହେଲା ବୁଡି ରହିଛି। ସେହିପରି ମୁଁଆ ଗାଁ ନିକଟରେ ବୈତରଣୀ ନଦୀବନ୍ଧ ଅର୍ଦ୍ଧାଧିକ ଭାଗ ନଦୀକୁ ରହି ଯାଇଥିବାରୁ ଏବେ ବଳକା ବନ୍ଧରୁ ବଡ଼ବଡ଼ ଅତଡାଖଣ୍ଡ ଖସୁଛି। ସେପଟେ ତିହିଡ଼ି ବ୍ଲକର ବାରୁଅ, ତଳଗୋପବିନ୍ଧା, ବିଲଣା, ବୋଡକ, ଓରାଳି, କାଇଁପଡା, ଶ୍ୟାମସୁନ୍ଦରପୁର , ଦପା, ଆଦି ପଂଚାୟତର ସାଳନ୍ଦୀ, ରେବ କୋଚିଳା, ନାଳିଆ ନଦୀର ବନ୍ୟାଜଳ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ୩୦ରୁ ଉର୍ଦ୍ଧ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ୫ଟି ବ୍ଲକର ଶହଶହ ଗୃହପାଳିତ ପଶୁ ଭୋକ ଉପାସରେ ଗାଁ ଦାଣ୍ଡରେ ବନ୍ଧା ହୋଇ ରହିଛନ୍ତି। ଏପରିକି ଅନେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଶିକ୍ଷାନୁଷ୍ଠାନ ବନ୍ୟାପାଣି ଘେରରେ ରହିଥିବାରୁ ଆଜି ଜିଲାର ୬ଟି ବ୍ଲକର ୨୯୭ ବିଦ୍ୟାଳୟ ଛୁଟି ରହିଛି, ସେହିପରି ୪ଶହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି। କ୍ଷେତରେ ପ୍ରଥମ ବନ୍ୟା ଠାରୁ ଆଜି ଯାଏଁ ଦୀର୍ଘ୨୫ଦିନ ହେବ ବନ୍ୟାପାଣି ଲହଡ଼ି ମାରୁଥିବାରୁ ଚାଷୀ କୂଳ ହତାଶ ହୋଇପଡଛନ୍ତି। ଗତକାଲି ବିରୋଧିଦଳ ନେତା ତଥା ବିଜେଡ଼ି ସୁପ୍ରିମ ପରାମର୍ଶ କ୍ରମେ ଭଦ୍ରକ ଜିଲା ଦାୟୀତ୍ୱ ଭାର ନେଇଥିବା ଡ. ଅରୁଣ ସାହୁଙ୍କ ସହ ସ୍ଥାନୀୟ ବିଜେଡି ବିଧାୟକ ଓ ବରିଷ୍ଠ ନେତା ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ବନ୍ୟାଂଚଳକୁ ଯାଇ ବିପନ୍ନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.