ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଖଡ଼ିପଦା-ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଯାତାୟତ କରିବା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ଖଡ଼ିପଦା ସ୍କୁଲ ନିକଟ ପାଚେରୀକୁ ଲାଗି ରାସ୍ତା ଉପରେ ଏକ ବିଦ୍ୟୁତ ଟ୍ରାନସଫର୍ମର ଦୀର୍ଘ ଦିନ ହେବ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଟ୍ରାନସଫର୍ମରଟି ଖୋଲା ମେଲା ଭାବେ ପଡ଼ି ରହିଥିବାରୁ ଏହା ଯେକୌଣସି ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟାଇବା ଆଶଙ୍କା ସୃଷ୍ଟି କରିଛି।ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ସ୍କୁଲ ଓ କଲେଜ ଛାତ୍ରୀ ଛାତ୍ର ଯାତାୟତ କରିଥାନ୍ତି। ଏହା ସହିତ ବାଇକ୍, ଚାରିଚକିଆ ହାଲୁକା ଯାନ ଏବଂ ଭାରୀଯାନ ଯଥା ବସ୍ ମଧ୍ୟ ଏହି ସଂକୀର୍ଣ୍ଣ ରାସ୍ତା ଦେଇ ଯାଇଥାଏ। ରାସ୍ତା କଡ଼ରେ ଥିବା ଏହି ଅସୁରକ୍ଷିତ ଟ୍ରାନସଫର୍ମର ପରିସର ପାଚେରୀ ନଥିବାରୁ ଲୋକେ ଓ ଯାନବାହାନ ସଙ୍କୁଚିତ ରାସ୍ତା କୁ ପାସ୍ କରି ନପାରି ଟ୍ରାନସଫର୍ମର ଆଡ଼କୁ ଜାକି ହୋଇ ଯାଆନ୍ତି।ଯାନବାହନ ଚଳାଚଳରେ ଅସୁବିଧା ସହ ଛୋଟବଡ଼ ଦୁର୍ଘଟଣା ମାନ ଘଟିବାରେ ଲାଗିଛି। ବିଶେଷ କରି ଛୋଟ ପିଲାମାନେ ଏହି ବାଟ ଦେଇ ଗଲାବେଳେ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଟ୍ରାନସଫର୍ମରଟି ବିପଦପୂର୍ଣ୍ଣ ଭାବେ ରହିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ। ଦୀର୍ଘ ଦିନ ଧରି ଏପରି ଅବସ୍ଥା ଲାଗି ରହିଥିଲେ ହେଁ ମରାମତି କିମ୍ବା ସୁରକ୍ଷା ପାଚେରୀ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିଭାଗର ଏହି ଉଦାସୀନତା ପ୍ରତି ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି, ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ସେଥିପାଇଁ ବିଦ୍ୟୁତ ବିଭାଗ ଦାୟୀ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ଏହି ଟ୍ରାନସଫର୍ମରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କିମ୍ବା ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କ ରେ ଧାମନଗର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶାଶ୍ୱତ କୁମାର୍ ନନ୍ଦୀ କୁହନ୍ତି ରାସ୍ତା ଉପରେ ଟ୍ରାନସଫର୍ମର ଟି ଥିବାରୁ ପାଚେରୀ ହୋଇ ପାରୁନାହିଁ।ଏଷ୍ଟିମେଟ ଯାଇଛି ଖୁବ୍ ଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କହିଥିଲେ।
Home ଜିଲ୍ଲା ପରିକ୍ରମା ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନସଫର୍ମର, ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି ଖୋଲା ମେଲା ବିଦ୍ୟୁତ








