ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗର ଅଆନୁକୂଲ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ସହ ବେଦପାଠ କରାଯାଇ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ଶ୍ରୀଜଗନ୍ନାଥ ସାଂସ୍କୃତିକ କଳାକାର ସଂଘ, ଭଦ୍ରକ ପକ୍ଷରୁ ଗୀତଗୋବିନ୍ଦ ଗାୟନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରୋତାଙ୍କୁ କବି ଜୟଦେବଙ୍କ ଜୀବନୀ ଓ ସାହିତ୍ୟ ସାଧନା ଉପରେ ମତବ୍ୟକ୍ତ କରିବାର ସୁଯୋଗ ମିଳିଥିଲା। ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଙ୍ଗ୍ରାମ ଆଚାର୍ଯ୍ୟ କବି ଜୟଦେବଙ୍କ ଆଧ୍ୟାତ୍ମିକ ଚେତନା ଓ ସାହିତ୍ୟିକ ଅବଦାନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଦିଲୀପ ରାଉତରାୟ ବାଲ୍ମୀକି, ପରଶୁରାମ, ମା’ ଗଙ୍ଗା ଏବଂ ପବିତ୍ର ଅକ୍ଷୟ ତୃତୀୟାର ମାହାତ୍ମ୍ୟ ସହ କବି ଜୟଦେବଙ୍କ ପ୍ରଭାବ ବିଷୟରେ ମତ ରଖିଥିଲେ। ସେ କହିଥିଲେ ଯେ, ଗୁରୁ ନାନକ ମଧ୍ୟ ଜୟଦେବଙ୍କ ସୃଷ୍ଟିଧାରାରେ ପ୍ରଭାବିତ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ମଧ୍ୟ ଉପସ୍ଥିତ ରହି କବି ଜୟଦେବଙ୍କର ଗୀତଗୋବିନ୍ଦ ଭାରତୀୟ ସଙ୍ଗୀତ, ନୃତ୍ୟ ଓ ଭକ୍ତି ସାହିତ୍ୟରେ ଏକ ଅମୂଲ୍ୟ ସମ୍ପଦ ଭାବେ ପରିଚିତ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ଶିର୍କା ଉପସ୍ଥିତ ଥିବାବେଳେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଉକ୍ ତଉତ୍ସବର ସଂଯୋଜନା କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।








