Home ଜିଲ୍ଲା ପରିକ୍ରମା ୨୦୨୫-୨୬ ଖରିଫ ଧାନସଂଗ୍ରହ ନେଇ ପ୍ରସ୍ତୁତି ବୈଠକ

୨୦୨୫-୨୬ ଖରିଫ ଧାନସଂଗ୍ରହ ନେଇ ପ୍ରସ୍ତୁତି ବୈଠକ

12

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଖରିଫ ୨୦୨୫-୨୬ ରେ ଜିଲାରେ ଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଧାନ ସଂଗ୍ରହ କ୍ଷେତ୍ରରେ ଅଂଶ ଗ୍ରହଣ କରୁଥିବା ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବିଶେଷକରି ଧାନ ସଂଗ୍ରହ କ୍ଷେତ୍ରରେ ମୁଖ୍ୟ ଭୂମିକା ଲିଭାଉଥିବା ଯୋଗାଣ ବିଭାଗ, ସମବାୟ ବିଭାଗ, ଆରଏମ୍‌ସିର କର୍ତୃପକ୍ଷ ଏଥିରେ ଯୋଗ ଦେଇଥିଲେ। ୨୦୨୫-୨୬ ଖରିଫ ଧାନ ସଂଗ୍ରହ ପାଇଁ ଏହି ଅଧିକାରୀମାନେ ବିଭାଗୀୟ ପ୍ରସ୍ତୁତି ସଂପର୍କରେ ବୈଠକରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଜିଲା ଯୋଗାଣ ଅଧିକାରୀ ଧାନ ସଂଗ୍ରହରେ ପ୍ରମୁଖ ଅଂଶ ଗ୍ରହଣ କରୁଥିବା ମିଲରମାନେ ଗତ ଖରିଫ ବର୍ଷ ଧାନ ନେଇ ଚାଉଳ ଦେବା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଜିଲାର ୮୦ ପ୍ରତିଶତ ଚାଉଳ ସଂଗ୍ରହ କରାଯିବା ସହ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଅବଶିଷ୍ଟ ଚାଉଳ ମିଲରମାନଙ୍କ ଠାରୁ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଥିଲେ। ଅନୁରୂପ ସମବାୟ ବିଭାଗ ଧାନ କ୍ରୟରେ ଅଂଶଗ୍ରହଣ କରିଆସୁଥିବା ପାକ୍ସ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକର ଗତବର୍ଷର ଧାନ ସଂଗ୍ରହ କ୍ଷେତ୍ରରେ ସେମାନଙ୍କର ସଫଳତା ସଂପର୍କରେ ସୂଚନା ଦେଇଥିଲେ। ଏହାବ୍ୟତୀତ ଚାଷୀ ପଂଜିକରଣ ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଧାନର ଓଜନ ଓ ଗୁଣାତ୍ମକ ମାନ ପରୀକ୍ଷା ପାଇଁ ଆବଶ୍ୟକ ପଡୁଥିବା ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ଗୁଡିକର କାର୍ଯ୍ୟଦକ୍ଷତା ଓ ପରିଚାଳନା ସଂପର୍କରେ ଆରଏମ୍‌ସି କର୍ତୃପକ୍ଷ ସୂଚନା ଦେଇଥିଲେ। ଆସନ୍ତା ୨୦୨୫-୨୬ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଜିଲାପାଳ ଶ୍ରୀ ରାଉତରାଏ ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ କରିଦେଇଛନ୍ତି। ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଡିଆରସିଏସ୍ ଦୁଖିଆ ଟୁଡୁ, ଏଆରସିଏସ୍ ପ୍ରାଚିତା ଜେନା, ଭଦ୍ରକ ଓ ଚାନ୍ଦବାଲି ଆରଏମ୍‌ସି ସେକ୍ରେଟାରୀ ନିରଞ୍ଜନ ମାଝୀ ଓ ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.