Home ଜିଲ୍ଲା ପରିକ୍ରମା ନିର୍ମାଣ ଅବଧି ସରିବାକୁ ବସିଲାଣି, ଜମି ଖୋଜା ଚାଲିଛି,ଦୋବଲ ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ ନେଇ...

ନିର୍ମାଣ ଅବଧି ସରିବାକୁ ବସିଲାଣି, ଜମି ଖୋଜା ଚାଲିଛି,ଦୋବଲ ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ ନେଇ ଅନିଶ୍ଚିତତା

7

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସେବା ସମବାୟ ବ୍ୟାଙ୍କ ଅଧିନସ୍ତ ଦୋବଲ ସେବା ସମବାୟ ସମିତି ରେ ନୂତନ କାର୍ଯ୍ୟାଳୟ ନିର୍ମାଣ କୁ ନେଇ ଅନିଶ୍ଚିତତା ଦେଖାଦେଇଚି। ପ୍ରକାଶ ଥାଉକି ୧/୮/୨୦୨୫ ରୁ କାର୍ଯ୍ୟ ଆରମ୍ଭ ହୋଇ ୩୧/୦୧/୨୦୨୬ ରେ କାର୍ଯ୍ୟଳୟ ର କାର୍ଯ୍ୟ ଶେଷ ହେବାକଥା। ହେଲେ ଆଜି ଯାଏ କିନ୍ତୁ ଜମି ଚିହ୍ନଟ ହୋଇପାରିଲା ନାହିଁ। ସୁଚନା ଥାଉକି ଦୋବଲ ସେବା ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର ନିର୍ମାଣକୁ ନେଇ ଏଭଳି ପରିସ୍ଥିତି ଦେଖାଦେଇଛି। ଦୋବଲ, ମୁସ୍ତଫାପୁର, ଖଡ଼ିପଦା, ଆନନ୍ଦପୁର ଓ କରଦା ର କିଛି ଅଂଶ ବା ୧୬ ଟି ରାଜସ୍ୱ ଗ୍ରାମର ଚାଷୀଙ୍କୁ ନେଇ ଦୋବଲ ସେବା ସମବାୟ ସମିତି ୧୯୬୮ରେ ଗଠନ ହୋଇଥିଲା। ଏବେ ସମିତିରେ ପ୍ରାୟ ୨୦୦୦ ଚାଷୀ ସଦସ୍ୟ ଅଛନ୍ତି। ଆରମ୍ଭରୁ ଗୋଟିଏ ଛୋଟିଆ ଆଜବେଷ୍ଟସ ଛପର ଘରେ ଅଫିସ ଆରମ୍ଭ ହୋଇଥିଲା। ପରେ ତା ପାଖକୁ ଗୋଦାମ ଘରଟିଏ ନିର୍ମାଣ କରା ଯାଇଥିଲା। ଏହି ପୁରୁଣା ଘରଟି ନଷ୍ଟ ହୋଇଯାଇଥିଲା। ନୂଆ ଘର ଓ ଗୋଦାମ ଘର ନିର୍ମାଣ ଲାଗି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଉଦ୍ୟମରେ ଅର୍ଥ ମଞ୍ଜୁର ହୋଇଥିଲା। ପ୍ରାୟ ୨୪ ଲକ୍ଷ ଟଙ୍କାରେ ଅଫିସ ଗୃହ ଓ ୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଘର ନିର୍ମାଣ ଲାଗି ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ଫାଇନାଲ ହେବା ସହ ଠିକାଦାର ମଧ୍ୟ ଚୟନ ହୋଇସାରିଛି। ଅପରପକ୍ଷରେ ପୁରୁଣା ଘରୁ ଅଫିସକୁ ଏକ ଭଡ଼ା ଘରକୁ ସ୍ଥାନାନ୍ତର କରାଯାଇଛି। ସେହିଠାରେ ଅଫିସ କାମ ହେଉଛି।ଶ୍ରୀମତୀ ସରିତା ଦାସଙ୍କୁ ଠିକା ମିଳିଥିବାରୁ ସେ ଅଫିସ ଗୃହ ଓ ଗୋଦାମ ଘର ନିର୍ମାଣ ଲାଗି ପୁରୁଣା ଜାଗାରେ ଘର କରିବା ପାଇଁ ଯିବା ବେଳେ କିଛି ଲୋକ, ମୁସ୍ତଫାପୁର-ଧାମନଗର ରାସ୍ତାର ଘୋଡ଼ାଗଣ୍ଡ ନାଳ ପାଖ ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡ ନିକଟରେ ନିର୍ମାଣ ଲାଗି କହୁଛନ୍ତି ।ମାତ୍ର ସେଠାରେ ସମିତି ନାମରେ ପଟା ନଥବା ଶହ ଅନ୍ୟ ପଂଚାୟତ ହେଉଥିବାରୁ ଠିକାଦାର ରାଜି ହେଉ ନାହାନ୍ତି। ଏହା ଦୋବଲ ସେବା ସମବାୟ ସମିତି ଭାବେ ନାଁ ରହିଛି। ନିର୍ମାଣ ସ୍ଥଳଟି ମୁସ୍ତଫାପୁର ପଂଚାୟତ ଅଧିନରେ ଆସୁଛି। ସରକାରଙ୍କ ନୂଆ ନିୟମ ଅନୁସାରେ ପ୍ରତି ପଂଚାୟତରେ ଏକ ସମବାୟ ସମିତି ସ୍ଥାପନ କରାଯିବ। ଏପରି ହେଲେ, ବହୁ ବର୍ଷର ପୁରୁଣା ଦୋବଲ ସେବା ସମବାୟ ସମିତିର ନାଁ ବୁଡ଼ିଯିବ। ଏଣୁ ସେହି ପୁରୁଣା ଜାଗାରେ ହିଁ ସମିତି ଘର ଓ ଗୋଦାମ ଘର କରିବାକୁ ଚାଷୀମାନେ ଦାବି କରୁଛନ୍ତି। ପ୍ରସ୍ତାବିତ ୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଘର ନିର୍ମାଣ ଲାଗି ପୁରୁଣା ସ୍ଥାନରେ ଜାଗା ଅଛି। ମାତ୍ର ୨୦୦୦ ବର୍ଗଫୁଟ ଜମି ହେଲେ ଗୋଦାମ ଘର ହୋଇଯିବ। ସେହିପରି ଆଉ ୧୫୦୦ ବର୍ଗଫୁଟରେ ସୁନ୍ଦର ଅଫିସ ଘର ହୋଇଯିବ। ଏଣୁ ସେହି ପୁରୁଣା ଜାଗାରେ ନିର୍ମାଣ ଲାଗି ଦାବି ଜୋର ହେଉଛି। ଅପର ପକ୍ଷରେ କାର୍ଯ୍ୟାଦେଶ ଅନୁସାରେ ନିର୍ମାଣ ଅବଧି ବି ସରି ଆସୁଛି। ଏଣୁ ଅବଧି ଭିତରେ ନିର୍ମାଣ ନ ହେଲେ ଟଙ୍କା ଫେରିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେପଟେ ଏଭଳି ସ୍ଥିତି ନେଇ ସେବା ସମବାୟ ସମିତିର ସଂପାଦକ ରାମ ଚନ୍ଦ୍ର କର କିଛି କହିବାକୁ ମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.