Home ଜିଲ୍ଲା ପରିକ୍ରମା ଭାରତର ବିଶିଷ୍ଟ ଶ୍ରମିକ ନେତା ଏମ୍ କେ ପାନ୍ଧେ ଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଭାରତର ବିଶିଷ୍ଟ ଶ୍ରମିକ ନେତା ଏମ୍ କେ ପାନ୍ଧେ ଙ୍କ ଜନ୍ମ ଶତବାର୍ଷିକୀ ପାଳିତ

51

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ବିଶିଷ୍ଟ ଶ୍ରମିକ ନେତା, ମହାନ ସ୍ୱାଧୀନତା ସଂଗ୍ରାମୀ, ଏଆଇଟିୟୁସିର ପୂର୍ବତନ ସାଧାରଣ ସଂପାଦକ, ସିଆଇଟିୟୁର ପୂର୍ବତନ ସର୍ବଭାରତୀୟ ସଭାପତି ଓ ସାଧାରଣ ସଂପାଦକ, ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟି ର ଅନ୍ୟତମ ତୁଙ୍ଗ ନେତା ତଥା ସିପିଆଇ(ଏମ)ର ପୂର୍ବତନ ପଲିଟବ୍‌ଯୁରୋ ସଭ୍ୟ ଏମ୍ କେ ପାନ୍ଧେ ଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମାରୋହ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ସହର ଅନ୍ତର୍ଗତ ନେତାଜୀ ନଗର ସ୍ଥିତ ଜାନକୀ ନିଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମଧୁକର କାଶୀନାଥ ପାନ୍ଧେ ( ଏମ୍ କେ ପାନ୍ଧେ) ଙ୍କ ୭ ଦଶନ୍ଧିର ରାଜନୈତିକ ଜୀବନର ଇତିହାସ ଆଲୋଚନା ହୋଇଥିଲା । ୧୯୪୩ ମସିହା ସୋଲାପୁର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ସାଧାରଣ ସଂପାଦକ ନିର୍ବାଚିତ ହେବା ପରଠାରୁ ସେ ଜୀବନର ଶେଷ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଛାତ୍ର, ଯୁବକ ଓ ଶ୍ରମିକ ମାନଙ୍କ ପାଇଁ ଲଢେଇ କରିଥିଲେ । ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ବ୍ରିଟିଶ ବିରୁଦ୍ଧରେ ଲଢି ଅନେକ ବାର କାରାବରଣ କରିଥିଲେ । ପୁଞ୍ଜିପତି ଶ୍ରେଣୀ ବିରୁଦ୍ଧରେ ବିପ୍ଲବୀ ଟ୍ରେଡ଼ ୟୁନିୟନ ପରିଚାଳନା କରିବା କ୍ଷେତ୍ରରେ ଜୀବନରେ ସେ ୪ ବର୍ଷ ୬ ମାସ ନିର୍ଜନ ବାସ କରିଥିଲେ । ୧୯୭୮ ମସିହାରେ ଅନୁଷ୍ଠିତ ସିପିଆଇ(ଏମ)ର ୧୦ ମ ପାର୍ଟି କଂଗ୍ରେସରେ ସେ ସିପିଆଇ(ଏମ)ର କେନ୍ଦ୍ର କମିଟିକୁ ନିର୍ବାଚିତ ହୋଇଥିଲେ । ୧୯୯୮ ମସିହାରେ ଅନୁଷ୍ଠିତ ସିପିଆଇ(ଏମ) ର ୧୬ ତମ ପାର୍ଟି କଂଗ୍ରେସରେ ସେ ସିପିଆଇ(ଏମ)ର ପଲିଟବ୍‌ଯୁରୋକୁ ନିର୍ବାଚିତ ହୋଇଥିଲେ । ସେ ଥିଲେ ଜଣେ ମାର୍କ୍ସବାଦୀ- ଲେନିନ୍ ବାଦୀ ଓ ଆନ୍ତର୍ଜାତୀୟତାବାଦୀ । ୧୯୬୦ ମସିହାରେ ସେ ଏଆଇଟିୟୁସି ର ସର୍ବଭାରତୀୟ ସାଧାରଣ ସଂପାଦକ ଥିଲେ । ୧୯୯୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ସେ ଥିଲେ ସିଆଇଟିୟୁ ର ସର୍ବଭାରତୀୟ ସାଧାରଣ ସଂପାଦକ । ୧୯୯୯ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ସେ ସିଆଇଟିୟୁର ସର୍ବଭାରତୀୟ ସଭାପତି ଥିଲେ । ବିଶ୍ୱ ଶ୍ରମିକ ଏକତା ପାଇଁ ପୃଥିବୀର ବିଭିନ୍ନ ଦେଶରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋଆ ମୁକ୍ତି ସଂଗ୍ରାମରେ ସେ ଥିଲେ ଅନ୍ୟତମ ସେନାପତି । ସେ ଥିଲେ ଜଣେ ମେଧାବୀ ଛାତ୍ର । ପୁନେ ବିଶ୍ୱବିଦ୍ୟାଳୟ ରୁ ଅର୍ଥନୀତି ବିଭାଗର ସ୍ନାତକୋତର ରେ ସେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ । ସେ ଥିଲେ ଆମ ଦେଶର ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ । ୧୧, ଜୁଲାଇ ୧୯୨୫ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ୨୦, ଅଗଷ୍ଟ ୨୦୧୧ ରେ ୮୬ ବର୍ଷ ବୟସରେ ସେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ମାର୍କ୍ସବାଦୀ ଦର୍ଶନକୁ ପାଥେୟ କରି ଭାରତରେ ଜନଗଣତାନ୍ତ୍ରିକ ବିପ୍ଲବ ସଂଗଠିତ ପାଇଁ ସେ ଲଢେଇ କରୁଥିଲେ ।ନବ୍ୟଫାଶୀବାଦୀ ଆକ୍ରମଣ ଓ କର୍ପୋରେଟ ଶୋଷଣରୁ ଶ୍ରମିକ ଶ୍ରେଣୀକୁ ସୁରକ୍ଷା ଦେବା ପାଇଁ ଶ୍ରମିକ ଶ୍ରେଣୀର ସମ୍ମିଳିତ ଆନ୍ଦୋଳନ ଭଦ୍ରକ ଜିଲ୍ଲାରେ ସଂଗଠିତ କରାଇପାରିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ କ୍ରାନ୍ତିକାରୀ ଏମ୍ କେ ପାନ୍ଧେଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସିପିଆଇ(ଏମ) ନେତୃତ୍ୱ ଏହି ଜନ୍ମ ଶତବାର୍ଷିକୀ ପାଳନ ସମାରୋହରେ ପରିପ୍ରକାଶ କରିଥିଲେ । ଏହି ଜନ୍ମ ଶତବାର୍ଷିକୀ ସମାରୋହରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ସୁରଜିତା ନାୟକ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, ସିଆଇଟିୟୁ ଭଦ୍ରକ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଯୁବ ନେତା ବିନୋଦ ସାହୁ, ସେକ୍ ସନାଉଲ୍ଲା ପ୍ରମୁଖ ଏମ୍ କେ ପାନ୍ଧେଙ୍କ ନୀତି, ଲକ୍ଷ୍ୟ , ଆଦର୍ଶ, ରାଜନୈତିକ ଇତିହାସ ଓ ଭାରତବାସୀ ଙ୍କ କର୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.