Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ବୈଠକରେ ସୀମିତ ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ପ୍ରସ୍ତୁତି, ୭ଦିନ ପରେ ପୀଠକୁ ଆସିବେ ବୋଲବମ ଭକ୍ତ,...

ଜିଲାସ୍ତରୀୟ ବୈଠକରେ ସୀମିତ ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ପ୍ରସ୍ତୁତି, ୭ଦିନ ପରେ ପୀଠକୁ ଆସିବେ ବୋଲବମ ଭକ୍ତ, ହାତେ ରାସ୍ତା ମରାମତି ନହୋଇଲା, ପୀଠ ଚାରିଆଡେ ପଡିରହିଛି କୁଢକୁଢ ଅଳିଆ

8

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉମାତ୍ର ୭ଦିନ ପରେ ଅର୍ଥାତ ଆସନ୍ତା ୧୪ରୁ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଅବସରରେ ମଣିବାବାଙ୍କୁ ଜଳାଭିଷେକ କରିବା ପାଇଁ ଲକ୍ଷାଧିକ ବୋଲବମ ଭକ୍ତ ଜଳଭାର ଧରି ଖାଲି ପାଦରେ ଚାଲିଚାଲି ଆସିବେ। ବୋଲବମ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଯାତାୟତ ଠାରୁ ଆରମ୍ଭ କରି ପୀଠରେ ପରିମଳ, ପାନୀୟଜଳ, ସ୍ୱାସ୍ଥ୍‌ଯ ଆଦି ଯୋଗାଇ ଦେବାକୁ ଗତମାସ ୨୬ରେ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ମରାମତି ସହ ପରିମଳ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ୨୪ଘଂଟିଆ ସ୍ୱାସ୍ଥ୍‌ଯସେବା ଯୋଗାଇ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଏକାକି ଭାବେ କଥା ହୋଇଥିଲେ। ଏପରିକି ଶ୍ରାବଣୀଯାତ୍ରା ୭ଦିନ ପୂର୍ବରୁ ମରାମତି ପାଇଁ ଆଲୋଚନା ହୋଇଥିଲା। ଭଦ୍ରକପ ଆଖଣ୍ଡଳମଣି ମୁଖ୍‌ଯରାସ୍ତା ଧୁଷୁରୀ ଠାରୁ ଓଳଗମଠ ଯାଏଁ ଦୀର୍ଘ ୧୫କିମି ରାସ୍ତା ଏବେବି ଖାଲଖମା ଅବସ୍ଥାରେ ପଡିରହିଥିଲେ ମଧ୍ୟ ହାତେ ରାସ୍ତାର ମରାମତି କରାଯାଇନାହିଁ। ସେହିପରି ଧାନଖଣିଆପ ଆରଡି ରାସ୍ତା, କୁଳେଇପଦାପ ଆରଡି ଭାୟା ନାନ୍ଦପୁର ରାସ୍ତା ସହ ସାହିରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇ ବର୍ଷାପାଣି ଜମି ରହୁଥିବାରୁ ଛୋଟବଡ ଦୂର୍ଘଟଣା ଘଟୁଛି। ଏହି ରାସ୍ତାର ମରାମତି ପାଇଁ ବୈଠକରେ ଗୁରୁତ୍ୱର ଭାବେ ଆଲୋଚନା କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଗାଣ୍ଡୁଏ ମାଟି ପଡି ପାରିଲାନାହିଁ। ତାହାସହ ପୀଠର ପାନ୍ଥନିବାସ ଠାରୁ ଶିବପ୍ଲାଜା ଯାଏଁ ଦୀର୍ଘ ୫କିମି ଭଲ ରାସ୍ତାକୁ ମେଘା କମ୍ପାନୀ ପାଇପ ବିଛାଣ ଆଳରେ ଖୋଳି ଦେଇଥିବାରୁ ନାନା ହରକତ ହେଉଛନ୍ତି ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକ। ଏପରିକି ପାଦଚଲା ଲୋକ ଯିବା ଆସିବାରେ ନାନା ଅସୁବିଧାର ସମୁଖିନ ହେଉଛନ୍ତି। ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରିଲାନାହିଁ। ମୁଖ୍ୟ ପ୍ରବେଶପଥ ଠାରୁ ଆରମ୍ଭ କରି ଡିଅସାହି ରାସ୍ତା, ମୁଖ୍ୟ ବଜାର, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱରେ କୁଢକୁଢ ଅଳିଆ ଆବର୍ଜନା ପଡିରହିଥିଲେ ମଧ୍ୟ ସଫା ହୋଇପାରିଲାନାହିଁ। ସେହିପରି ଶ୍ରାବଣୀଯାତ୍ରା ଆରମ୍ଭରୁ ଶେଷ ଯାଏଁ ପ୍ରତି ରବିବାର ଓ ସୋମବାର ୨୪ଘଂଟିଆ ପାନୀୟଜଳ ଯୋଗାଣ ସହ ଭଦ୍ରକ ଠାରୁ ଆରଡି ପର୍ଯ୍ୟନ୍ତ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ରବିବାର ଓ ସୋମବାର ୨୪ଘଂଟିଆ ଖୋଲା ରଖାଯିବ। ହେଲେ ପୀଠରେ ଭୂତଳ ପାଇପ ଅନେକ ସ୍ଥାନରେ ଫାଟି ପାଣି ଭାସୁଥିବା ବେଳେ ଅନେକ ସ୍ଥାନରେ ପାଇପ ଡ୍ରେନ ଭିତରେ ଯାଇଥିବାରୁ ପାଣି ପିଇବା ଉପଯୋଗୀ ହେଉନି। ସେହିପରି ଆରଡି ମେଡିକାଲ ଆଗରେ ଏକ ବଡଖାଲ ରହିଥିବାରୁ ବର୍ଷାପାଣି ଜମି ରହି ଦୁର୍ଗନ୍ଧମୟ ସୃଷ୍ଟି ହେଉଛି। ଶ୍ରାବଣୀଯାତ୍ରାର ସମସ୍ତ ପ୍ରସ୍ତତି ଯେପରି କାଗଜକଲମରେ ସୀମିତ ହୋଇ ରହିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.