Home Top News ଝାଡଖଣ୍ଡ ଓ ଆନ୍ଧ୍ରରେ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଉପଯୁକ୍ତ ପଦକ୍ଷେପ...

ଝାଡଖଣ୍ଡ ଓ ଆନ୍ଧ୍ରରେ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

101

ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

– ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ
– ଉଭୟ ରାଜ୍ୟରେ ସଂଖ୍ୟାଲଘୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଓଡିଆ ପଢାରେ ବ୍ୟାଘାତ ନେଇ ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
– ଦୁଇଟି ରାଜ୍ୟରେ ଓଡିଆ ଭାଷାର ଥିବା ଇତିହାସର ଗୁରୁତ୍ୱକୁ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ
– ଜାତୀୟ ଶିକ୍ଷା ନୀତି-୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ତଥା ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପଢାଇବା ନେଇ ପରାମର୍ଶ
– ଭାଷା ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପରାମର୍ଶ ଦେଲେ
– ଆପୋସ ସମାଧାନ ପାଇଁ ସହଯୋଗ କରିବାକୁ ବ୍ୟକ୍ତିଗତ ସ୍ତରରେ ସମର୍ଥନ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୧ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଆ ଭାଷାର ସୁରକ୍ଷା ନେଇ ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ପୃଥକ ପୃଥକ ପତ୍ର ଲେଖିବା ସହ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖି ଜାତୀୟ ଶିକ୍ଷା ନୀତି୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ସହ ଝାଡଖଣ୍ଡରେ ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଝାଡଖଣ୍ଡ ରାଜ୍ୟ ଗଠନ ହେବା ପରେ ଏହା ସୁନିଶ୍ଚିତ କରାଯାଇଥିଲା ଯେ ଓଡ଼ିଆ ଭାଷାଭାଷୀ କହୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ। ବହୁ ସଂଗ୍ରାମ ପରେ ୨୦୧୧ ସେପ୍ଟେମ୍ବର ୧ରେ ଝାରଖଣ୍ଡ ସରକାର ଅନ୍ୟ ୫ଟି ଆଂଚଳିକ ଭାଷା ସହ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ଭାବେ ମାନ୍ୟତା ଦେଇଥିଲେ। ସେହିପରି ରାଂଚି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ରହିଛି ଏବଂ ସ୍ନାତକ, ସ୍ନାତକତୋର ପାଠ୍ୟକ୍ରମ ରହିଛି। ଏହାସହ ଝାଡଖଣ୍ଡ ଲୋକସେବା ଆୟୋଗ ଏବଂ ଷ୍ଟାଫ୍ ସିଲେକ୍ସନ କମିଶନରେ ଓଡ଼ିଆକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରାଯାଇଛି।

ଝାରଖଣ୍ଡର ସୀମାବର୍ତ୍ତୀ ଜିଲ୍ଲାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ ିକୁ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଅନେକ ଗୁଡ଼ିକ ବିବାଦ ଯୋଗୁଁ ଏହି ସବୁ ସ୍କୁଲ ବନ୍ଦ ହେବାରେ ଲାଗିଛି। ଓଡ଼ିଆ ମାଧ୍ୟମ ସ୍କୁଲରେ ଶିକ୍ଷକମାନେ ଅବସର ନେବା ପରେ ରାଜ୍ୟ ଶିକ୍ଷା ବିଭାଗ ଓଡ଼ିଆ ମାଧ୍ୟମ ସ୍କୁଲ ଗୁଡ଼ିକରେ ହିନ୍ଦି ଭାଷାଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଉଅଛି। ଏନସିଇଆରଟି ସର୍କୁଲାର୍‌ ଫ୍ରେମ୍ ୱାର୍କ ଆଧାରରେ ଓଡ଼ିଆ ପୁସ୍ତକ ପ୍ରକାଶନ କରିବା ପାଇଁ ଝାଡଖଣ୍ଡ ରାଜ୍ୟ ପ୍ରାଧିକରଣକୁ ଏନସିଇଆରଟି କପି ରାଇଟ୍ ଦେଇଛି କିନ୍ତୁ ଏହା ଉପରେ ପଦକ୍ଷେପ ନିଆଯାଇନାହିଁ।

ଓଡ଼ିଆ ଭାଷାଭାଷା ସମ୍ପ୍ରଦାୟ ବସବାସ କରୁଥିବା ଅଂଚଳ ଗୁଡ଼ିକରେ ଓଡ଼ିଆ ମାଧ୍ୟମିକ ସ୍କୁଲ ଗୁଡ଼ିକୁ ଝାଡଖଣ୍ଡ ରାଜ୍ୟ ଶିକ୍ଷା ବିଭାଗ ହିନ୍ଦି ମାଧ୍ୟମିକ ସ୍କୁଲକୁ ମିଶାଇ ଦେଉଛନ୍ତି ଏବଂ ଏହା ପଛରେ ଓଡ଼ିଆ ଭାଷା କହୁଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀ କମ୍ ଥିବା ଦର୍ଶାଇ ପଦକ୍ଷେପ ନେଉଥିବା କୁହାଯାଉଛି। ଏହା ସମ୍ବିଧାନରେ ଉଲ୍ଲେଖ ଥିବା ମେେଂଟନାନ୍ସ ଏଣ୍ଡ୍ ପ୍ରୋମୋସନ ଅଫ୍ ଲିଙ୍ଗ୍ୟିଷ୍ଟିକ୍ ଡ଼ାଇଭରସିଟି ଓ ରାଇଟ୍ସ ଅଫ୍ ଲିଙ୍ଗ୍ୟିଷ୍ଟିକ୍ ମାଇନୋରିଟି ବିରୋଧରେ ଯାଉଛି।

୨୦୦୬-୦୭ ମସିହାରୁ ଝାରଖଣ୍ଡରେ ଓଡ଼ିଆ ଭାଷା କହୁଥିବା ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ପୁସ୍ତକ ପ୍ରଦାନ କରାଯାଉ ନାହିଁ। କେବଳ ପ୍ରଥମ, ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଷା ବିଷୟ ପୁସ୍ତକ ପ୍ରଦାନ କରାଯାଉଛି। ଏହାବ୍ୟତିତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ପୁସ୍ତକକୁ ଝାଡ଼ଖଣ୍ଡ ଶିକ୍ଷା ପରିଷଦ ଦ୍ୱାରା ଗ୍ରହଣ କରାଯାଇନାହିଁ ଯାହା ପରିଣାମ ଓଡ଼ିଆ ଭାଷା କହୁଥିବା ଛାତ୍ରୀଛାତ୍ରୀମାନେ ହିନ୍ଦି ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି। ଓଡ଼ିଶା ଭାଷାରେ ଗବେଷଣା ଏବଂ ଶିକ୍ଷାରେ ଅଧ୍ୟୟନ କରୁଥିବା ଲିଙ୍ଗ୍ୟିଷ୍ଟିକ୍ ମାଇନୋରିଟି ସ୍କଲାରଙ୍କ ପାଇଁ ବୃତିକୁ ବନ୍ଦ କରି ଦିଆଯାଇଛି। ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି -୨୦୨୦ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ସୁନିଶ୍ଚିତ କରିବା ଉପରେ ଉଲ୍ଲେଖ ରହିଛି। ନୂତନ ଶିକ୍ଷା ନୀତି – ୨୦୨୦ରେ ଥିବା ମୂଲ୍ୟବୋଧ ଏବଂ ଝାଡଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଝାଡଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଭାଷା କହୁଥିବା ଜନସଂଖ୍ୟାକୁ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ କରିବା ଓ ସହଜ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକରେ ଓଡିଆ ଭାଷାଭିତିକ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ପୃଥକ ପତ୍ରରେ ଲେଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ ପରେ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତ୍ତୀ କେତେକ ବିଦ୍ୟାଳୟ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ବିଦ୍ୟାଳୟ ବ୍ୟବସ୍ଥାରେ ମିଶି ଯାଇଛନ୍ତି। ଫଳସ୍ୱରୂପ, ଦୁଇ ରାଜ୍ୟର ବିଦ୍ୟାଳୟରେ ଅନେକ ଓଡ଼ିଆ ଏବଂ ତେଲୁଗୁ ଭାଷାଭାଷୀ ପିଲା ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଛନ୍ତି, ସେମାନଙ୍କ ମାତୃଭାଷାକୁ ସହଯୋଗ ଦେବାର ଆବଶ୍ୟକତା ରହିଛି।

ଏହି ପରିସ୍ଥିତିର ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ବିଦ୍ୟାଳୟରେ ନିଜ ନିଜ ଭାଷା ତଥା ଓଡ଼ିଶାରେ ତେଲୁଗୁ ଏବଂ ଆନ୍ଧ୍ରପ୍ରଦେଶରେ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଓଡିଆରେ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ଚୁକ୍ତି କରିଥିଲେ। ତେବେ ଓଡ଼ିଆ ଶିଖିବାକୁ ଇଚ୍ଛା କରୁଥିବା ବିଶାଖାପାଟନମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହଯୋଗ ଦିଆଯାଉ ନାହିଁ। କିନ୍ତୁ ଓଡିଶାରେ ତେଲୁଗୁ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ସହଯୋଗ ଦିଆଯିବା ସହ ଶିକ୍ଷକ ନିଯୁକ୍ତ କରାଯାଉଛି। ଆନ୍ଧ୍ରପ୍ରଦେଶର ଓଡିଆ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସହଯୋଗ ହେଉଛି ସମୟର ଆବଶ୍ୟକତା। ଏହାବ୍ୟତିତ ଆନ୍ଧ୍ରପ୍ରଦେଶ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ମାଧ୍ୟମିକ ପୁସ୍ତକ ପ୍ରଦାନ କରାଯାଇନାହିଁ। ଏହା ଆନ୍ଧ୍ରାପ୍ରଦେଶରେ ଥିବା ଓଡ଼ିଆ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣରେ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ପ୍ରଥମତଃ ଆନ୍ଧ୍ର ସୀମାବର୍ତ୍ତୀ ଥିବା ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷାର ପ୍ରୋତ୍ସାହନ, ଦ୍ୱିତୀୟତଃ ସୀମାରେ ଥିବା ସ୍କୁଲ ଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଏବଂ ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ମାଧ୍ୟମିକ ଶିକ୍ଷା ଆପଣାଇଥିବା ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସମୟରେ ଓଡ଼ିଆ ପୁସ୍ତକ ପ୍ରଦାନ କରିବା ପାଇଁ ସେ ତିନୋଟି ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାର ଏବଂ ମନ୍ତ୍ରଣାଳୟ ବିବାଦକୁ ସମାଧାନ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ସେ ନିଜେ ବ୍ୟକ୍ତିଗତ ସ୍ତରରେ ବିବାଦ ଗୁଡ଼ିକର ଆପୋସ ସମାଧାନ ପାଇଁ ସାହାଯ୍ୟ କରିବା ପାଇଁ ପତ୍ରରେ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା, ଆନ୍ଧ୍ର ସୀମାରେ ଥିବା ଗାଁର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରନ୍ତୁ ଏବଂ ତ୍ୱରିତ ପଦକ୍ଷେପ ନେଇ ଉଭୟ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.