ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୯ ଘଟିକା ସମୟରେ ଚରମ୍ପା ଗ୍ରାମ ପଂଚାୟତ ଭବନ ଓ ସୁବିଧା କେନ୍ଦ୍ର ଠାରେ “ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକ ରବିନାରାୟଣ ସାହୁ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ରାଜସ୍ୱ ପରିଦର୍ଶକ ଜ୍ୟୋତିରଞ୍ଜନ ପଣ୍ଡା, ରାଜସ୍ୱ ନିରୀକ୍ଷକ ମନୋରମା ଧଳ, ଚରମ୍ପା ଗ୍ରାମ ପଂଚାୟତର ସରପଂଚ ଜଳେନ୍ଦ୍ର ଶୁକ୍ଳ, ପି.ଏସ୍. ସଦସ୍ୟ ତପନ ଦାସଙ୍କ ସମେତ ଚରମ୍ପା, ବରାଳପୋଖରୀ, ଶ୍ରୀରାମପୁର, ଥୋରଦା ଓ ଆଖପାଖ ଅଂଚଳର ବହୁ ସଂଖ୍ୟକ ଗ୍ରାମବାସୀ, କୃଷକ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରାଥମିକତା ଭିତିକ ପଟ୍ଟାର ଦୁଇ ଖାନାରେ ମୃତ ଆସାମୀଙ୍କ ନାମ ସଂଶୋଧନ ସମ୍ବନ୍ଧୀୟ କାର୍ଯ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ୪୫ ଗୋଟି ସଂଶୋଧିତ ରେକର୍ଡ ଅଫ୍ ରାଇଟ୍ସ ପଟ୍ଟା ସମ୍ପୃକ୍ତ ହିତାଧିକାରୀମାନଙ୍କୁ ବଂଟନ କରାଯାଇଥିଲା। ଏହା ସହିତ ୩୦ ଗୋଟି ନୂତନ ଆବେଦନପତ୍ର ଗ୍ରହଣ କରାଯାଇଥିଲା ଏବଂ ସେଗୁଡ଼ିକର ତଦନ୍ତ ଓ ଶୀଘ୍ର ନିଷ୍ପତି ପାଇଁ ରାଜସ୍ୱ ନିରୀକ୍ଷକ, ଚରମ୍ପାଙ୍କୁ ପ୍ରେରଣ କରାଯାଇଥିଲା। ତତ୍ ସଙ୍ଗେସଙ୍ଗେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏବଂ ତହସିଲଦାର ଶ୍ରୀ ଖୁଂଟିଆଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ଓ ସମସ୍ୟାଗୁଡ଼ିକର ଶୁଣାଣି କରାଯାଇଥିଲା। ଅନେକ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ସମସ୍ୟାଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ତହସିଲଦାର ଶ୍ରୀ ଖୁଂଟିଆ କହିଥିଲେ ଯେ, ରାଜସ୍ୱ ସେବାକୁ ଗ୍ରାମାଂଚଳର ଲୋକଙ୍କ ଦ୍ୱାରପ୍ରାନ୍ତରେ ପହଂଚାଇବା ଏବଂ ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ କରିବା ଉଦ୍ଦେଶ୍ୟରେ ଭଦ୍ରକ ତହସିଲ ଅଧୀନସ୍ଥ ବିଭିନ୍ନ ଗ୍ରାମ ପଂଚାୟତରେ “ଆମ ଗାଁରେ ଆମ ତହସିଲ” କାର୍ଯ୍ୟକ୍ରମ କ୍ରମାଗତ ଭାବେ ଅନୁଷ୍ଠିତ ହେବ। ପଂଚାୟତ ସ୍ତରରେ ଏଭଳି ଜନମୁଖୀ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଜନସାଧାରଣଙ୍କ ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହେବା ସହ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଅଧିକ ସୁଦୃଢ଼ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମଟି ଜନସାଧାରଣଙ୍କ ଉତ୍ସାହପୂର୍ଣ୍ଣ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ମଧ୍ୟରେ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।








