Home ଓଡ଼ିଶା ଭିଡ଼ ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଜାରି କରାଯାଇଛି :...

ଭିଡ଼ ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଜାରି କରାଯାଇଛି : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

237

– ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ଅଧୀନ
ନୂଆ ଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ଭିଡ଼ ହିଂସା ମାମଲାରେ ଆଜି ଲୋକସଭାରେ ବିସ୍ତୃତ ଉତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ। ସେ ଏକ ଲିଖିତ ଉତରରେ କହିଛନ୍ତି ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଭିଡ଼ ହିଂସା ମାମଲାର ତଥ୍ୟ ରଖିନାହିଁ। ତେବେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଆଇନ ହାତକୁ ନେଉଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୨୩.୦୭.୨୦୧୮ ଏବଂ ୨୫.୦୯.୨୦୧୮ରେ ଏପରି ପରାମର୍ଶ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସରକାରଙ୍କୁ ଜାରି କରାଯାଇଥିଲା। ଦେଶରେ ଦେଖାଦେଇଥିବା ଭିଡ଼ ହିଂସା ମାମଲାର ମୁକାବିଲା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏଥିରେ କୁହାଯାଇଥିଲା। ଏହାବ୍ୟତୀତ ଭିଡ଼ ହିଂସା ଭଳି ଅପରାଧର ମୁକାବିଲା ଲାଗି ସରକାର ଶବ୍ଦ ଓ ଦୃଶ୍ୟ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିଛନ୍ତି। ମିଥ୍ୟା ଖବର ଏବଂ ଗୁଜବ କାରଣରୁ ଭିଡ଼ ହିଂସା ଓ ଆକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହାର ପ୍ରଚାରପ୍ରସାର ଉପରେ କଟକଣା ଜାରି କରିବା ଲାଗି ସେବା ପ୍ରଦାନକାରୀଙ୍କୁ ସରକାର ସତର୍କ କରାଇଛନ୍ତି।

ଶ୍ରୀ ରାୟ କହିଥିଲେ ଯେ ୦୪.୦୭.୨୦୧୮ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଥ୍ୟା ଖବର ଓ ଗୁଜବ ପ୍ରସାର ଉପରେ ଅଙ୍କୁଶ ଲଗାଇବା ତଥା ଆଇନ ହାତକୁ ନେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏଥିପୂର୍ବରୁ ୦୯.୦୮.୨୦୧୬ରେ ଗୋ-ସୁରକ୍ଷା ନାମରେ ଆଇନ ହାତକୁ ନେଉଥିବା ଦୁର୍ବୃତଙ୍କ ବିରୋଧରେ ତ୍ୱରିତ ଏବଂ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ କୁହାଯାଇଥିଲା।

ସମ୍ବିଧାନର ସପ୍ତମ ଅନୁସୂଚୀରେ ‘ପୁଲିସ’ ଓ ‘ଅପରାଧ ନିୟନ୍ତ୍ରଣ’କୁ ରାଜ୍ୟ ଅଧୀନରେ ରଖାଯାଇଛି। ଅପରାଧ ନିୟନ୍ତ୍ରଣ, ନିରାକରଣ, ପଞ୍ଜିକରଣ, ତଦନ୍ତ ଏବଂ ଅପରାଧୀଙ୍କ ଦଣ୍ଡବିଧାନ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀ ରାୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.