Home ଜିଲ୍ଲା ପରିକ୍ରମା ୫-ଟି, ନବୀନ ଓଡ଼ିଶା ଅଧ୍ୟକ୍ଷକଙ୍କ ଭଦ୍ରକ ଗସ୍ତ, ମୋଟର ସାଇକେଲ ଚଳାଇ ଦେଖିଲେ ନଦୀବନ୍ଧ

୫-ଟି, ନବୀନ ଓଡ଼ିଶା ଅଧ୍ୟକ୍ଷକଙ୍କ ଭଦ୍ରକ ଗସ୍ତ, ମୋଟର ସାଇକେଲ ଚଳାଇ ଦେଖିଲେ ନଦୀବନ୍ଧ

10

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ ସରକାରଙ୍କ ୫-ଟି, ଆମ ଓଡ଼ିଶା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ଙ୍କ ଭଦ୍ରକ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଏହି ଦିନିକିଆ ଗସ୍ତରେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ୍‌ର ଆଖୁଆପଦା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଥିଲେ । ସାଧାରଣ ସଭାରେ ଉପସ୍ଥିତ ହଜାର ହଜାର ସଂଖ୍ୟାର ଜନ ସାଧାରଣଙ୍କୁ ଉଦ୍‌ବୋଧନ ଦେବା ଅବସରରେ ୫-ଟି ରୂପାନ୍ତରଣ, ଆମ ଓଡ଼ିଶା ନବୀନ ଓଡ଼ିଶା ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଜରିଆରେ ଭଦ୍ରକ ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଥିବା ପ୍ରକାଶ କରିଥିଲେ । ବିରିଡ଼ି ରେଳଧାରଣା ଠାରୁ ତିନ୍ତର ଘାଟ ପର୍ଯ୍ୟନ୍ତ ବୈତରଣୀର ବାମପାଖ, କୋଚିଳାର ଉଭୟ ପାଖ ବନ୍ଧର ସୁଦୃଢ଼ି କରଣ ଏବଂ ପକ୍କାରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ସେ ଘୋଷଣା କରିଥିଲେ । ଆଖୁଆପଦା ଠାରୁ ତିନ୍ତର ଘାଟ ପର୍ଯ୍ୟନ୍ତ ଏହି ବନ୍ଧ ସଶକ୍ତ ହେଲେ ବନ୍ୟା ପ୍ରବଣ ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ର ବନ୍ୟା ନିୟନ୍ତ୍ରଣ କରାଯାଇ ପାରିବ । ବନ୍ଧ ରାସ୍ତା ସଶକ୍ତ ଓ ପ୍ରଶସ୍ତ ହେବା ଦ୍ୱାରା ଅଞ୍ଚଳବାସୀ ବିଶେଷ ଉପକୃତ ହେବେ । ବ୍ୟାରେଜ ଦ୍ୱାରା ସୃଷ୍ଟ ଜଳ ଭଣ୍ଡାର ଦ୍ୱାରା ଜଳସେଚନ ଓ ମତ୍ସ୍ୟ ସମ୍ପଦ ଉଭୟ ଦିଗରେ କୂଳବାସୀ ଲାଭାନ୍ୱିତ ହେବେ । ଏହି ପରିପ୍ରେକ୍ଷୀରେ ସେ ପ୍ରକାଶ କରିଥିଲେ କି ବିରିଡ଼ି ଠାରୁ ତିନ୍ତର ଘାଟ ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ ହେବାପାଇଁ ୯୬.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାଦ୍ୱାରା ୧୭ଟି ଗ୍ରାମପଞ୍ଚାୟତ ବାସୀ ଉପକୃତ ହେବେ ।

ଆନୁମାନିକ ଏକ ଲକ୍ଷ ୨୦ ହଜାର ଲୋକଙ୍କ ପାଇଁ ଏହା ଲାଭ ଦାୟକ ହେବ । ବର୍ତ୍ତମାନ ଆଖୁଆପଦାରୁ ତିନ୍ତର ଘାଟ ପର୍ଯ୍ୟନ୍ତ ସଡ଼କ ପଥରେ ଯାତ୍ରାପାଇଁ ୩ ଘଣ୍ଟାର ସମୟ ୨ ଘଣ୍ଟାକୁ ହ୍ରାସ ପାଇବ । ଯାଜପୁର ମେଡ଼ିକାଲ କଲେଜ ଓ ବଜାର ଅଞ୍ଚଳକୁ ଯିବା ପାଇଁ ସହଜ ଓ ସୁଗମ ହେବ । ଏହାଦ୍ୱାରା ନଦୀର ବାମପାଖ ବନ୍ଧ ସଶକ୍ତ ହେବ । ବିରିଡ଼ି ରେଳଧାରଣା ଠାରୁ ତିନ୍ତର ଘାଟ ପର୍ଯ୍ୟନ୍ତ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୫୩.୮୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ସେ ପ୍ରକାଶ କରି ଏହାଦ୍ୱାରା ବନ୍ୟା ନିୟନ୍ତ୍ରଣ ହେବା ସହିତ ବାମପାଖ ବନ୍ଧ ସଶକ୍ତ ହେବ ବୋଲି କହିଥିଲେ । ୪୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଆଖୁଆପାଦା ଅନ୍ତଃନଦୀ ଜଳସଂଗରକ୍ଷଣ ପ୍ରକଳ୍ପ ଦ୍ୱାରା ଉଭୟ ଭଦ୍ରକ ଓ ଯାଜପୁର ଜିଲ୍ଲାର ଲୋକେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ । ପାଖାପାଖି ୩୨,୦୦୦ ହେକ୍ଟର ଜମିପାଇଁ ଜଳ ସେଚନ ସୁବିଧା ଉପଲବ୍‌ଧ ହେବ । ଏହାଦ୍ୱାରା ମଧ୍ୟ ପାନୀୟ ଜଳ ଯୋଗାଣରେ ପାଖାପାଖି ୫ ଲକ୍ଷ ଲୋକ ଉପକୃତ ହେବେ । ଏହାଦ୍ୱାରା ସୃଷ୍ଟ ଜଳାଶୟରେ ୩୦୦ ହେକ୍ଟର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ବିକାଶ କରିହେବ । ଏହା ଦ୍ୱାରା ଜଳସେଚନ ସୁବିଧା ପାଇ ରବି ଓ ଖରିଫ୍ ଫସଲର ଉନ୍ନତି ହେବ । ପ୍ରାଣୀ ସମ୍ପଦ ପାଳନରେ ବିକାଶ ଘଟିବ । ଭଦ୍ରକ ଏବଂ ଯାଜପୁର ଜିଲ୍ଲା ମଧ୍ୟରେ ଲୋକଙ୍କ ପାଇଁ ଗମନାଗମନ ଓ ଯୋଗାଯୋଗ ସୁବିଧା ର ଉନ୍ନତିକରଣ ହୋଇପାରିବ । ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣରେ ଏହା ସାହାଯ୍ୟ କରିବ । ଏହାଦ୍ୱାରା ନୂତନ ଜଳ ସ୍ତର ବୃଦ୍ଧି ପାଇ ଗ୍ରୀଷ୍ମ ଋତୁରେ ଜଳର ସୁଲଭତାରେ ସହାୟକ ହେବ । ସେହିପରି ୨୦୧ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା କୋଚିଳା ଅନଃ ନଦୀ ଜଳସଂରକ୍ଷଣ ଯୋଗୁଁ ଉଭୟ ଭଦ୍ରକ ଓ ଯାଜପୁର ଜିଲ୍ଲାର ଲୋକେ ଉପକୃତ ହେବେ । ଏହାଦ୍ୱାରା ପ୍ରାୟ ୨ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ ।

ଜଳ ଭଣ୍ଡାର ମତ୍ସ୍ୟ ସମ୍ପଦ ବିକାଶରେ ବିନିଯୋଗ ହୋଇପାରିବ । ରବି ଜଳସେଚନ ପାଇଁ ଜଳ ଉପଲବ୍‌ଧ ହେବ । ପ୍ରାଣୀ ସମ୍ପଦ କୃଷିରେ ଉନ୍ନତି ହେବ । ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଲୋକଙ୍କ ପାଇଁ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଘଟିବ । ବୈତରଣୀ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ । ନୂତନ ଭୂତଳ ଜଳକୁ ରିଚାର୍ଜ କରି ଗ୍ରୀଷ୍ମ ଋତୁରେ ଜଳସ୍ତର ସଂରକ୍ଷଣରେ ସହାୟକ ହେବ । ସଡ଼କ ପଥରେ ଧାମନଗରର ପାଳ ସାହିକୁ ଗସ୍ତ ସମୟରେ ଆଖୁଆପଦା ବ୍ୟାରେଜ୍ ପରିଦର୍ଶନ କରି ଭଦ୍ରକର ଦୁଃଖ କଣ୍ଟିଘାଇ ଅଞ୍ଚଳକୁ ପାଦରେ ବୁଲି ବୁଲି ପରିଦର୍ଶନ କରି ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ନିଜେ ମଟର ସାଇକେଲ ଚଳାଇ ଅନ୍ୟମାନଙ୍କ ସହ ଧାମନଗର ନଦୀବନ୍ଧ, ମଲ୍ଲୀ ମାହାରା ଏସ୍‌କେପ୍‌, ଗୌରାଙ୍ଗ ଏସ୍‌,କେପ୍‌, କୋଚିଳା ବ୍ୟାରେଜ୍ ପରିଦର୍ଶନ କରି ଧାମନଗର ବ୍ଲକ୍‌ର ପାଳସାହିରେ ଅବସ୍ଥିତ ଇନ୍ଦିରାଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟିକ ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ବାବଦ ୫୦୦ ରୁ ୧ ହଜାର ଟଙ୍କାକୁ ଭତ୍ତା ବୃଦ୍ଧି,୧୨୦୦ ରୁ ୨୦୦୦ ହଜାର ଟଙ୍କାକୁ କଳାକାର ଭତ୍ତା ବୃଦ୍ଧି, +୩ ଓ ପି.ଜି. ଛାତ୍ର/ଛାତ୍ରୀଙ୍କୁ ଯଥାକ୍ରମେ ୯ ହଜାର ରୁ ୧୦ ହଜାର ଟଙ୍କାର ନୂଆ ଓ ଛାତ୍ର ବୃତ୍ତି, ମମତା ଯୋଜନାରେ ୫୦୦୦ ରୁ ୧୦୦୦୦ ଟଙ୍କାକୁ ବୃଦ୍ଧି ବିଷୟରେ ସୂଚନା ପ୍ରଦାନ କରିଥିଲେ । ଦୁଇ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ । ପୂର୍ବରୁ ଭଣ୍ଡାରିପୋଖରୀ ଏବଂ ଧାମନଗର ଆସିଥିବା ସମୟରେ ଗ୍ରହଣ କରିଥିବା ଦରଖାସ୍ତ ଗୁଡ଼ିକ ମଧ୍ୟରୁ ବହୁ ସଂଖ୍ୟାରେ ସମାଧାନ କରାଯାଇଥିବା ବିଷୟରେ ସୂଚନା ଦେଇଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତ କାର୍ଯ୍ୟକ୍ରମର ସମସ୍ତ ସାଧାରଣ ସଭା ଓ ପରିଦର୍ଶନ କାର୍ଯ୍ୟସୂଚୀ ପରିଚାଳିତ ହୋଇଥିଲା । ଏସ୍‌.ପି. ବରୁଣ ଗୁଣ୍ଟପାଲି ମଧ୍ୟ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜିବ୍ ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ସଂପୃକ୍ତ ଜନ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ରାମଦାସ ଟୁଡ଼ୁ, ସି.ଡ଼ି.ଓ. ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସଂପୃକ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.