Home Top News ୧୮ତମ ହିଙ୍ଗୁଳା ଲୋକ ମହୋତ୍ସବ ଉଦ୍‌ଘାଟିତ

୧୮ତମ ହିଙ୍ଗୁଳା ଲୋକ ମହୋତ୍ସବ ଉଦ୍‌ଘାଟିତ

24

ତାଳଚେର, ୧୬/୪ (ଓଡ଼ିଆ ପୁଅ/ଅଜିତ ବେହେରା): ଅଗ୍ନିରୂପାଙ୍କ ବାର୍ଷିକ ଯାତ୍ରା ଅବସରରେ ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠରେ ଚାଲିଥିବା ୧୮ତମ ଲୋକମହୋତ୍ସବର ଉଦ୍‌ଘାଟନୀ ସମାରୋହ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନପୂର୍ବକ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ତାଳଚେର ରାଜକୁମାର ବିଜୟେନ୍ଦ୍ର ଦେବ ଓ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡୀ ଯୋଗ ଦେଇଥିଲେ। ଏହି ଅବସରରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ସ୍ମରଣିକା ଅଗ୍ନିସ୍ନାତା ଓ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ପକ୍ଷରୁ ପ୍ରକାଶିତ ବାର୍ଷିକ ପତ୍ରିକା ‘ମା ହିଙ୍ଗୁଳା’ ଙ୍କର ରୌପ୍ୟ ଜୟନ୍ତୀ ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହାସହିତ ତାଳଚେର ପ୍ରଜାମଣ୍ଡଳ କଂଗ୍ରେସ ଇତିହାସର ନୂତନ ସଂସ୍କରଣ ପୁସ୍ତକ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଏହାପରେ ସ୍ୱପ୍ନାରାଣୀ ସିଂହ ଓ ତାଙ୍କ ଦଳର କଳାକାରମାନଙ୍କ ଦ୍ୱାରା ଚମତ୍କାର ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଜୟ ଜଗନ୍ନାଥ କଳା ପରିଷଦ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ବୋର୍ଡ ସଦସ୍ୟ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଜଗନ ମୋହନ ଗଡନାୟକ, ମୂରଲୀଧର ସାହୁ, ରାଜେନ୍ଦ୍ର ସିଂହ, ସଞ୍ଜୟ କୁମାର ସାହୁ, ଅରୁଣ କୁମାର ପ୍ରଧାନ, ଗଗନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ସମସ୍ତ କଳାକାରମାନଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.