Home କଟକ ସ୍ୱଛ, ସବୁଜ ଓ ସରସ ସୁନ୍ଦର କଟକ ବାଲିଯାତ୍ରା ଉତ୍ସବ ଆୟୋଜନ ନିମନ୍ତେ ଅଭିଯାନ ଆରମ୍ଭ

ସ୍ୱଛ, ସବୁଜ ଓ ସରସ ସୁନ୍ଦର କଟକ ବାଲିଯାତ୍ରା ଉତ୍ସବ ଆୟୋଜନ ନିମନ୍ତେ ଅଭିଯାନ ଆରମ୍ଭ

105

କଟକ, ୧୬/୧୦(ଓଡ଼ିଆ ପୁଅ /ଅଭୟ ଜେନା ) ଚଳିତ ବର୍ଷ କଟକ ବାଲିଯାତ୍ରା ଉତ୍ସବକୁ ସ୍ୱଚ୍ଛ, ସରସ ଓ ସୁନ୍ଦର କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତା୧୬ରିଖ ଠାରୁ ଆସନ୍ତା ତା ୩୧ ରିଖ ପର୍ଯ୍ୟନ୍ତ ଭବ୍ୟ ଆୟୋଜନ ସହ ଏକ ଅଭିଯାନ ଆରମ୍ଭ କରାଯାଇଛି।

ପାରମ୍ପାରିକ ରୀତିରେ କଟକର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦେଇ ସ୍ଵଚ୍ଛତା ଅବଲମ୍ବୋନ ନିମନ୍ତେ କଟକବାସୀଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୪.୩୦ମି. ଠାରୁ ୫.୩୦ମି.ମଧ୍ୟରେ ମହାନଦୀ ଆରତୀ କରାଯିବ ଏବଂ ବାଲିଯାତ୍ରା ଆୟୋଜନ ନିମନ୍ତେ କାର୍ଯ୍ୟାରତ ଥିବା ବିଭିନ୍ନ ବିଭାଗର କର୍ମଚାରୀ ଓ ଶ୍ରମିକ ମାନଙ୍କର ମନୋବଳ ସହ ସହଯୋଗର ହାତ ବଢ଼ାଇବା ପାଇଁ ଜିଲ୍ଲାପାଳ ଡ଼ଃ ଚୟନୀ ପଦକ୍ଷେପ ସ୍ୱରୂପ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି।

ଆଜର ଏହି ଶୁଭାରମ୍ଭ ଅବସରରେ ବିଶିଷ୍ଟ ଅତିଥି, ପ୍ରଶାସନିକ ଅଧିକାରୀ, କର୍ମଚାରୀ, ସାଂସ୍କୃତିକ ଅନୁଷ୍ଠାନ, ବାଲିଯାତ୍ରା ଆୟୋଜନରେ ନିୟୋଜିତଥିବା କାର୍ଯ୍ୟାରତ ଶ୍ରମିକ ମାନଙ୍କ ଦ୍ୱାରା ବାଲିଯାତ୍ରା ବୋଇତ ପ୍ରବେଶଦ୍ୱାର ଠାରୁ ଗଡଗଡ଼ିଆ ଘାଟ ପର୍ଯ୍ୟନ୍ତ କୀର୍ତ୍ତନ, ଲୋକନୃତ୍ୟ, ମାଦଳ ବାଜା ଓ ଶଙ୍ଖଧ୍ୱନି ସହ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ମହାନଦୀ ଆରତୀ ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

ଓଡ଼ିଶାର ଐତିହ୍ୟ, ନୌବାଣିଜ୍ୟ ଓ ପରମ୍ପରା ସହ ଜଡିତ କଟକ ବାଲିଯାତ୍ରାକୁ ଜାତୀୟ ତଥା ବିଶ୍ୱସ୍ତରରେ ସ୍ୱତନ୍ତ୍ର ମାନ୍ୟତା ଲାଭ ନିମନ୍ତେ ପ୍ରଶାସନିକ ତଥା ସରକାରୀ ସ୍ତରରେ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରଖାଯାଇଥିବାବେଳେ ଚଳିତବର୍ଷ ବାଲିଯାତ୍ରାର ସ୍ୱତନ୍ତ୍ରତା ବଜାୟ ରହିବ ତଥା ଉନ୍ନତ ଢଙ୍ଗରେ ଆୟୋଜନ କରାଯିବ ବୋଲି ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଉପସ୍ଥିତ ଜନସାଧାରଣଙ୍କୁ କଟକବାସୀଙ୍କ ଉଦ୍ଧେଶ୍ୟରେ କହିଥିଲେ ଏବଂ ବିଶେଷ କରି ସ୍ଵଚ୍ଛତା ବଜାୟ ରଖିବା ପାଇଁ ଚଳିତ ବର୍ଷ ପୋଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯିବା ନେଇ ମଧ୍ୟ ସୂଚନା ଦେଇଥିଲେ।

ଏହି ଅବସରରେ ଚୌଦ୍ୱାର- କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ମଧ୍ୟ ଉପସ୍ଥିତ ରହି ପାରମ୍ପରିକ ରୀତିରେ କଟକର ଲୋକନୃତ୍ୟ, ଲୋକକଳା ଆଦି ମାଧ୍ୟମରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବାରୁ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇ ଆସନ୍ତା ଦିନରେ ଜାତୀୟ ତଥା ବିଶ୍ୱ ସ୍ତରରେ ବାଲିଯାତ୍ରା ନିଶ୍ଚିତ ମାନ୍ୟତା ପାଇବ ବୋଲି କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ ଆୟୁକ୍ତ ଶ୍ରୀ ନିଖିଲ ପବନ କଲ୍ୟାଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପ୍ପୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନିକାନ୍ତ ସାହୁ, ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡା ସତ୍ୟବ୍ରତ ମହାପାତ୍ର, ରୁଚି କମ୍ପାନୀ ଅଧ୍ୟକ୍ଷ, ଡ଼ଃ ସରୋଜ କୁମାର ସାହୁ, କୋଏର ଉଦ୍ୟୋଗୀ ଶ୍ରୀମତୀ କବିତା ସାହୁଙ୍କ ସମେତ ବହୁ ପ୍ରଶାସନିକ ତଥା ବିଭାଗୀୟ ଅଧିକାରୀ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଆଦି ଯୋଗ ଦେଇଥିଲେ।

ମିଶନ ଜ଼ୀରୋ-ଏଫ ର ସେଣ୍ଟର ମୁଖ୍ୟ ରଶ୍ମିତା ମିଶ୍ର, ଲୋପମୁଦ୍ରା ମିଶ୍ର, ଗୀତାଞ୍ଜଳି ବେହୁରିଆଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.