Home କନ୍ଧମାଳ ସ୍କୁଲ୍ ବନ୍ଦ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ: ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ...

ସ୍କୁଲ୍ ବନ୍ଦ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ: ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ ଅଭିଭାବକ ଓ ଗ୍ରାମବାସୀ

40

ବାଲିଗୁଡ଼ା, ୨୬/୦୨(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ। ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣଶି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଯାହାଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ବୋଲି କହିଛନ୍ତି ଅଭିଭାବକ। ଏଣୁ ଆଜି ପୁଣି ଛାତ୍ରଛାତ୍ରୀଙ୍କୁ ସାଥିରେ ନେଇ ଅଭିଭାବକ ଓ ଗ୍ରାମବାସୀ ବାଲିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ପିଲାମାନଙ୍କର ଭବିଷ୍ୟତ ପାଇଁ ଅଞ୍ଚଳବାସୀ ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସୂଚନା ପ୍ରକାରେ ସେନାପଡ଼ି ସ୍କୁଲରେ ପୂର୍ବରୁ ୧୩ ଜଣ ଛାତ୍ରଛାତ୍ରୀ ଥିଲେ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟକୁ ବନ୍ଦ କରିବାପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା ଏବଂ ବର୍ତ୍ତମାନ ସମୟରେ ସେନାପଡ଼ି ସ୍କୁଲ ବନ୍ଦ ରହିଛି। ଏଥିସହିତ ସେନାପଡ଼ି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ମିଡ଼ିଆକିଆ ପଞ୍ଚାୟତର ନୂଆସାହି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଚଳିତ ବର୍ଷ ସେହି ଗ୍ରାମର ଆଉ ଦଶଜଣ ଛାତ୍ରଛାତ୍ରୀ ସ୍କୁଲରେ ନାମ ଲେଖାଇବାର ଥିବାବେଳେ ସ୍କୁଲ ବନ୍ଦ ହେବା ଯୋଗୁଁ ନାମ ଲେଖାଇପାରିନାହାନ୍ତି ଅଭିଭାବକ। ଅନ୍ୟପଟେ ସେନାପଡ଼ି ସ୍କୁଲକୁ ନିକଟସ୍ଥ ଯେଉଁ ସ୍କୁଲ ସହ ମିଶାଯାଇଛି ସେନାପଡ଼ିରୁ ସେହି ସ୍କୁଲର ଦୂରତା ପାଞ୍ଚ କିଲୋମିଟର ହେଉଛି। ଏଣୁ କୋମଳମତି ଛାତ୍ରଛାତ୍ରୀ ସେଠାକୁ ଚାଲିଚାଲି ଯିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସଭାପତି ସରୋଜ ମଳିକ। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ସେପଟେ ଘଟଣାର ଅନୁଧ୍ୟାନ କରାଯିବ ଏବଂ ଏହାର ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଲିଗୁଡ଼ା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.