Home ଓଡ଼ିଶା ସ୍କୁଲ୍ ଫି ସମ୍ବନ୍ଧରେ ଖୋଲାଖୋଲି ଆଲୋଚନା ପାଇଁ କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ କିଛି ପକ୍ଷଙ୍କ ଭିତିରି...

ସ୍କୁଲ୍ ଫି ସମ୍ବନ୍ଧରେ ଖୋଲାଖୋଲି ଆଲୋଚନା ପାଇଁ କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ କିଛି ପକ୍ଷଙ୍କ ଭିତିରି ବୁଝାମଣା ବିରୁଦ୍ଧରେ ଓପାଫର ବିରୋଧ

112

ଭୁବନେଶ୍ୱର, ୨୩ା୯ (ଓଡ଼ିଆ ପୁଅ) : କରୋନା ମହାମାରୀ ସମୟରେ ସବୁ ଶ୍ରେଣୀର ଅଭିଭାବକମାନଙ୍କ୍ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ସମୟରେ ଏବଂ ପିଲାମାନେ ସ୍କୁଲ୍ ଯାଉ ନଥିଲେ ମଧ୍ୟ ବେସରକାରୀ ସ୍କୁଲ୍ ଗୁଡ଼ିକ ମନମାନୀ କରି ସମ୍ପୂର୍ଣ୍ଣ ଫି ଦାଖଲ କରିବା ପାଇଁ ଅଭିଭାବକମାନଙ୍କ ଉପରେ ଚାପ ପକାଇ ଆସୁଛନ୍ତି। ଏହାକୁ ବିରୋଧ କରି ଓପାଫ୍‌ର ପ୍ରତ୍ୟକ୍ଷ ସହାୟତାରେ ସମ୍ବଲପୁରର ଆଡ୍‌ଭୋକେଟ୍ ମହମ୍ମଦ ମୁସ୍ତାକ ଅନସାରୀ ହାଇକୋର୍ଟରେ ଡବ୍ଲ୍ୟୁ-ପି (ସି) ୧୧୨୯୯/୨୦୨୦ କେଶ୍ ଦାଖଲ କରିଥିଲେ। ପରେ ଏଥିରେ ଓଡ଼ିଶା ଅଭିଭାବକ ମହାସଂଘ, କନ୍‌ଫେଡେରେସନ୍ ଅଫ୍ ପ୍ରାଇଭେଟ୍ ସ୍କୁଲ୍‌ସ୍‌, ଅଲ୍ ଓଡ଼ିଶା ଟିଚର୍ସ ଆସୋସିଏସନ୍ ଇତ୍ୟାଦି ଗୋଟିଏ ଗୋଟିଏ ପକ୍ଷ ହୋଇ ନିଜ ନିଜର ମତାମତ ରଖିଥିଲେ। ସେଥିପାଇଁ ମାନ୍ୟବର ହାଇକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଥିଲେ ଯେ ସ୍କୁଲ୍ ଫି ନଦେଲେ ମଧ୍ୟ କୌଣସି ପିଲାକୁ ଅନ୍‌ଲାଇନ୍ କ୍ଲାସ୍ ବା ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ। ପରବର୍ତ୍ତୀ ସମୟରେ ହାଇକୋର୍ଟ ଆଦେଶ ଦେଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମଧ୍ୟସ୍ଥତାରେ ସବୁପକ୍ଷଙ୍କୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସ୍କୁଲ୍ ଫି ନିର୍ଦ୍ଧାରଣ କରାଯାଉ। ସେଥିପାଇଁ ମୁଖ୍ୟ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଦୁଇଟି ମିଟିଂ ଆୟୋଜନ କରାଗଲା। ପ୍ରଥମ ମିଟିଂରେ ସବୁ ପକ୍ଷ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ମୁଖ୍ୟ ଶିକ୍ଷା ସଚିବ ପ୍ରସ୍ତାବ ଦେଇଥିଲେ ଯେ ସବୁପକ୍ଷ ନିଜ ନିଜ ମଧ୍ୟରେ ଆଲୋଚନା କରି ନିଜର ଲିଖିତ ମତାମତ ଦିଅନ୍ତୁ ଏବଂ ତାହା ବିସ୍ତୃତ ଭାବରେ ଦ୍ୱିତୀୟ ମିଟିଂରେ ଆଲୋଚନା କରାଯିବ।

କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଯେ କିଛି ପକ୍ଷ ନିଜ ଭିତରେ ଏକ ଭିତିରି ବୁଝାମଣା କରି ଦ୍ୱିତୀୟ ମିଟିଂରେ ସେମାନଙ୍କ ପ୍ରସ୍ତାବ ଉପରେ ଆଉ ଆଲୋଚନା କଲେନାହିଁ। ଆଡ୍‌ଭୋକେଟ୍ ଅନସାରୀଙ୍କୁ ପ୍ରତିନିଧିତ୍ୱ କରୁଥିବା ଓପାଫ୍‌ର ସଭ୍ୟ ବାରମ୍ବାର ନିବେଦନ କରିବା ସତ୍ତ୍ୱେ ମଧ୍ୟ ପ୍ରସ୍ତାବଗୁଡ଼ିକୁ ଆଲୋଚନା ପରିସରଭୁକ୍ତ କରାଗଲା ନାହିଁ ଏବଂ ଏହା କନ୍‌ଫିଡେନ୍ସିଆଲ୍ ବା ସୁରକ୍ଷିତ ମତାମତ ବୋଲି କୁହାଗଲା। କିନ୍ତୁ ଚଞ୍ଚକତା କରି ମିଟିଂ ସରିବା ପରେ ସମସ୍ତ ଗଣମାଧ୍ୟମକୁ ଏହି ପ୍ରସ୍ତାବ ବିଷୟରେ ଜଣାଇ ଦିଆଗଲା ଯାହା ସମ୍ପୂର୍ଣ୍ଣ ଅନୈତିକ ଏବଂ ନୀତିବିରୋଧୀ।

ଓପାଫ୍ ଏହି ଭିତିରି ବୁଝାମଣାକୁ ବିରୋଧ କରୁଛି ଏବଂ ସ୍ୱଚ୍ଛତାର ସହ ଆଲୋଚନା ଭିତ୍ତିକ ବୁଝାମଣା ପାଇଁ ଦାବି କରୁଛି ନଚେତ୍ ଏହି ବୁଝାମଣା ସମସ୍ତ ଅଭିଭାବକ ମାନଙ୍କ ମତାମତ ନୁହେଁ ବୋଲି ମାନ୍ୟବର ହାଇକୋର୍ଟ ବିଚାର କରିବାକୁ ଅନୁରୋଧ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.