Home ଜିଲ୍ଲା ପରିକ୍ରମା ସମବାୟ ସମିତି ସଭାପତିଙ୍କ ବେଆଇନ ନିଲମ୍ବନ ଆଦେଶକୁ ନେଇ ତୀବ୍ର ଅସନ୍ତୋଷ, ପ୍ରତିବାଦରେ ସମ୍ପାଦକ ଓ...

ସମବାୟ ସମିତି ସଭାପତିଙ୍କ ବେଆଇନ ନିଲମ୍ବନ ଆଦେଶକୁ ନେଇ ତୀବ୍ର ଅସନ୍ତୋଷ, ପ୍ରତିବାଦରେ ସମ୍ପାଦକ ଓ କର୍ମଚାରୀମାନେ କରିବେ କାର୍ଯ୍ୟବନ୍ଦ ଆନ୍ଦୋଳନ

41

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ନିଶ୍ଚନ୍ତପୁର ସେବା ସମବାୟ ସମିତିର ସମ୍ପାଦିକା ଗୀତାଞ୍ଜଳି ଦାସଙ୍କୁ ସଭାପତି ବେଆଇନ ଭାବେ ନିଲମ୍ବନ କରିବା ନେଇ ସମ୍ପାଦିକା ଶ୍ରୀମତୀ ଦାସ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ମାନ୍ୟବର ହାଇକୋର୍ଟ ଆବେଦନକୁ ଗ୍ରହଣ କରି ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସଭାପତିଙ୍କ ଆଦେଶ ଫଳପ୍ରଦ ହେବନାହିଁ ବୋଲି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପାଦିକା ଶ୍ରୀମତୀ ଦାସ ସଭାପତିଙ୍କ ନିଲମ୍ବନ ଆଦେଶ ବିରୋଧରେ ହାଇକୋର୍ଟରେ ଦ୍ୱାରସ୍ଥ ହେବା ପରେ ଡବ୍ଲୁପି(ସି) ନଂ ୧୧୫୯୮/୨୩ରେ ଓଡ଼ିଶା ସମବାୟ ସମିତି ବିଭାଗର ସେକ୍ରେଟାରୀ, ସମବାୟ ସମିତି ରେଜିଷ୍ଟ୍ରାର, ସମବାୟ ସମିତି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଭଦ୍ରକ ଓ ନିଶ୍ଚନ୍ତପୁର ସମବାୟ ସମିତିର ସଭାପତିଙ୍କୁ ପକ୍ଷଭୁକ୍ତ କରି ମକଦ୍ଦମା ରୁଜୁ କରିଥିଲେ । ସମବାୟ ସମିତି ସଭାପତି ବେଆଇନ ଭାବେ ୫.୪.୨୦୨୩ରେ ନିୟମ ବିହିର୍ବୁତ ଭାବେ ନିଲମ୍ବିନ କରିଥିଲେ । ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ୧ ରୁ ୩ ପକ୍ଷଙ୍କୁ ନୋଟିସ୍ କରିବା ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ନିର୍ଦ୍ଦେଶ ଦେଇଥିବା ବେଳେ ୪ନଂ ପକ୍ଷଙ୍କୁ ରେଜେଷ୍ଟ୍ର ସହ ଏଡି ସହିତ ଗୋଟିଏ ସପ୍ତାହ ମଧ୍ୟରେ ନୋଟିସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହି ୬ସପ୍ତାହ ମଧ୍ୟରେ କାଉଣ୍ଟର ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହକୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି । ଏହିମାମଲାରେ ଆଇ.ଏ. ନଂ ୫୩୫୬/୨୦୨୩ରେ ହାଇକୋର୍ଟ ଶୁଣାଣି କରି ସମବାୟ ସମିତି ସଭାପତିଙ୍କ ୫.୪.୨୦୨୩ ରିଜୁଲେସନକୁ ଆଗାମୀ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ସଭାପତିଙ୍କର ଏହିଆଦେଶକୁ ହାଇକୋର୍ଟରେ ଦାଖଲ କରିଥିବା ଜଣାପଡ଼ିଛି । ସେହିପରି ଶ୍ୟାମସୁନ୍ଦରପୁର ସମବାୟ ସମିତିର ସମ୍ପାଦକଙ୍କୁ ମଧ୍ୟ କିଛିଦିନ ପୂର୍ବରୁ ସଭାପତି ନିଲମ୍ବନ କରିଥିଲେ । ଏହି ନିଲମ୍ବନ ଆଦେଶ ବିରୋଧରେ ହାଇକୋର୍ଟ ମଧ୍ୟ ସ୍ଥିତାବସ୍ଥା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହିପରି ୨ଟି ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିବା ପରେ ବାଲେଶ୍ୱର-ଭଦ୍ରକ ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକୁ ନେଇ ଶନିବାର ପୂର୍ବାହ୍ନରେ ମଙ୍ଗଳପୁର ସେବା ସମବାୟ ସମିତି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା । ଏଥିରେ ସଂଘର ସଭାପତି ନିରଂଜନ ସାହୁ ଯୋଗ ଦେଇ ସଭାପତିମାନେ ସମ୍ପାଦକଙ୍କୁ କିଛି ବେଆଇନ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଛନ୍ତି । ଏଥିରେ ସମ୍ପାଦକମାନେ ଅରାଜି ହେବାରୁ ସେମାନଙ୍କୁ ଆକ୍ରେଶ ମୂଳକ ମନୋଭାବ ନେଇ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବେ ରିଜୋଲିସନ କରି ନିଲମ୍ବନ କରୁଛନ୍ତି । ଏହି କ୍ଷେତ୍ରରେ ସମବାୟ ସମିତି ଉଚ୍ଚ ପଦସ୍ଥ ଅଧିକାରୀମାନେ ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ପରି ନ୍ୟାୟ ପ୍ରଦାନ କରିବାକୁ ସମ୍ପାଦକମାନେ ଅସହାୟ ଅନୁଭବ କରି ହାଇକୋର୍ଟରେ ଦ୍ୱାରସ୍ଥ ହେଉଛନ୍ତି । ତେବେ ଏହାର ପୁନରାବୃତ୍ତି ନହେବା ପାଇଁ ସଂଘ ପକ୍ଷରୁ ୧୫.୫.୨୦୩ ତାରିଖରେ ସମସ୍ତ ସମବାୟ ସମିତି କର୍ମଚାରୀ କଳାବ୍ୟାଜ ପରିଧାନ କରିବେ ।

ମଇ ୨୨ ତାରିଖ ସୁଦ୍ଧା ଯଦି ଏହାର କୌଣସି ସମାଧାନ ନହୁଏ ତେବେ ୨୩ ତାରିଖ ଠାରୁ ସମବାୟ ସମିତି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ତିହିଡ଼ି ଶାଖା ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବେ । ଏଥିପାଇଁ ଋଣୀ, ଚାଷୀ, ଜମାକାରୀ ଓ ଜନସାଧାରଣଙ୍କର ଯାହା କ୍ଷତି ହେବ ସେଥିପାଇଁ ସମବାୟ ବିଭାଗର ସ୍ଥାନୀୟ ପଦାଧିକାରୀଙ୍କ ସମେତ ଉଚ୍ଚ ପଦାଧିକାରୀମାନେ ସମ୍ପୂର୍ଣ୍ଣ ଦାୟୀ ରହିବେ । ଏଥିସହିତ ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯାଇ ୨ଟି ଜିଲାର ୨୫୧ଟି ସମବାୟ ସମିତିରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଶ୍ୟାମସୁନ୍ଦର ସମବାୟ ସମିତିର ସମ୍ପାଦକଙ୍କ ନିଲମ୍ବନ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ କରିଥିଲେ । ମାତ୍ର ଏହି ରହିତାଦେଶ ପରେ ସମବାୟ ସମିତି ଉଚ୍ଚ କର୍ତ୍ତୃପକ୍ଷ ଅନ୍ୟ ଜଣେ କର୍ମଚାରୀଙ୍କୁ ସମ୍ପାଦକ ଦାୟିତ୍ୱ ନେବାକୁ ଚିଠି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ମଳ ଚନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ କାମିନୀକାନ୍ତ ପଣ୍ଡା, ବାଲେଶ୍ୱର ଶାଖା ସମ୍ପାଦକ ଦୀପକ କୁମାର ଜେନା, ଜିଲା ସଂଗଠନ ସମ୍ପାଦକ ମାୟାଧର ବେହେରା, ତିହିଡ଼ି ଶାଖା ସମ୍ପାଦକ ସଂଜୟ କୁମାର ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ମନୋରଂଜନ ବଳଙ୍କ ସମେତ ସମ୍ପାଦକ କୃପାସିନ୍ଧୁ ଦାସ, ରାଜେନ୍ଦ୍ର ବେହେରା, ଶଙ୍କର୍ଷଣ ଜେନା, ସତ୍ୟଭାମା ବିଶ୍ୱାଳ, କାଳନ୍ଦୀ ଚରଣ ଦାସ, ଅଚ୍ୟୁତାନନ୍ଦ ମହାନ୍ତି, ଅମରେନ୍ଦ୍ର ନାୟକ, କର୍ମଚାରୀ ଲକ୍ଷ୍ମଣ କୁମାର ଦାସ, ସୁଭାଶିଷ ଦାସ, ରାଜୀବ କୁମାର ରାଉତ, ମୂରଲୀଧର ମଳିକ, ସୁରଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.