ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରତିଭା ଆଗରେ ହାର ମାନିଛି ସୀମା। ନିଜର ଅସାଧାରଣ ବକ୍ତୃତା କଳା, ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସମଗ୍ର ଓଡ଼ିଶାରେ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜଣେ କୁନି ପ୍ରତିଭା। ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୩୦ଟି ଜିଲ୍ଲାର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଭଦ୍ରକର ଛାତ୍ରୀ କୁମାରୀ ସୋନାଲି ସେଠୀ। ଭଦ୍ରକ ବ୍ଲକ ଅନ୍ତର୍ଗତ ଆର.ଏନ୍ ବେତର଼ା କ୍ଲଷ୍ଟରର କଳାହାଣ୍ଡିଆ ୟୁ.ଜି.ଏମ୍.ଇ. ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଉଛନ୍ତି ସୋନାଲି। ଶିଶୁ ଦିବସ ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର, ସିନିୟର ବର୍ଗରେ ସେ ନିଜର ଅଦ୍ଭୁତପୂର୍ବ ପ୍ରତିଭା ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛନ୍ତି। ସୋନାଲିଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ଭଦ୍ରକ ଜିଲ୍ଲା ତଥା ସମଗ୍ର ଶିକ୍ଷା ଜଗତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗ୍ରାମାଂଚଳର ଏକ ବିଦ୍ୟାଳୟରେ ଅଧ୍ୟୟନ କରି ରାଜ୍ୟର ସର୍ବୋଚ୍ଚ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେବା ନିଶ୍ଚିତ ଭାବେ, ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟକ। ଏହି ସଫଳତା ପଛରେ ସୋନାଲିଙ୍କ ନିରନ୍ତର ପରିଶ୍ରମ, ଅଧ୍ୟବସାୟ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ରହିଛି। ଏକ ଛୋଟିଆ ଗାଁରୁ ରାଜ୍ୟସ୍ତରୀୟ ମଂଚ ପର୍ଯ୍ୟନ୍ତ ସୋନାଲିଙ୍କ ଏହି ସଫଳତା ପ୍ରମାଣ କରିଛି ଯେ ପ୍ରତିଭା କେବଳ ବଡ଼ ସହରରେ ସୀମିତ ନୁହେଁ। ସୁଯୋଗ ଓ ସଠିକ୍ ମାର୍ଗଦର୍ଶନ ମିଳିଲେ ଗ୍ରାମାଂଚଳର ପିଲାମାନେ ମଧ୍ୟ ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ସୋନାଲିଙ୍କ ଏହି ସଫଳତା ଭଦ୍ରକ ଜିଲ୍ଲା ପାଇଁ ଏକ ଗର୍ବର ଅଧ୍ୟାୟ। ତାଙ୍କର ଏହି ଉଲ୍ଲେଖନୀୟ କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଅଂଚଳବାସୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ଏକ ଭବ୍ୟ ଶୋଭାଯାତ୍ରାରେ ସମଗ୍ର ଅଂଚଳ ପରିକ୍ରମା କରାଯାଇଥିଲା।








