Home ଜିଲ୍ଲା ପରିକ୍ରମା ଶେଷ ହେଲା ନିଆରା ପରମ୍ପରାର ଐତିହାସିକ କାଳିମେଘା ମେଳନ

ଶେଷ ହେଲା ନିଆରା ପରମ୍ପରାର ଐତିହାସିକ କାଳିମେଘା ମେଳନ

10

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମୁକୁନ୍ଦପୁର ପଞ୍ଚାୟତର ନିଆରା ପରମ୍ପରାର ଐତିହାସିକ କାଳିମେଘା ମେଳନ ମଙ୍ଗଳବାର ସନ୍ଧ୍ୟାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଏହି ମେଳନ ସୋମବାର ରାତିରୁ ଆରମ୍ଭ ହୋଇଥିଲା । ୩୦୦ ବର୍ଷର ଐତିହାସିକ ଏହି କାଳିମେଘା ମେଳନ ଅବିର ଖେଳରୁ ଆରମ୍ଭ ହୋଇ କାଦୁଅ ଖେଳରେ ଶେଷ ହେବା ଏକ ନିଆରା ପରମ୍ପରା । ମେଳନ ଆରମ୍ଭରେ ରାଧାକୃଷ୍ଣଙ୍କ ବିମାନକୁ ଅବିର ଦେଇ ଦର୍ଶନ କରିବା ପରେ ଭକ୍ତମାନେ ଅବିର ଖେଳରେ ନିଜକୁ ହଜାଇ ଦେଇ ଭାବ ବିହ୍ୱଳ ହୋଇଯାଇଥାନ୍ତି । ପରେ ମେଳନ ଭାଙ୍ଗିବା ବେଳକୁ ଭକ୍ତମାନେ କାଦୁଅ ଖେଳି ଖେଳି ପରମ୍ପରାକୁ ଉଜ୍ଜୀବିତ ରଖିଥାନ୍ତି । ପୂର୍ଣ୍ଣମୀ ଦିନ ରାତିରେ ବତିମରା ପଦା ଠାରୁ ବିମାନ ବାହାରି ଥାନ୍ତି । ପ୍ରଥମେ ତୋପ ସଲାମି ମାଧ୍ୟମରେ ବିମାନ ଯାତ୍ରା ଆରମ୍ଭ ହୋଇଥାଏ । ଏହି ବିମାନ ୧ ନମ୍ବର ଠାରୁ ଆରମ୍ଭ ହୋଇ କ୍ରମାନ୍ୱୟରେ ୧୪ନମ୍ବର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥାନ୍ତି । ଶୋଭାଯାତ୍ରା ବେଳେ ଆକର୍ଷଣୀୟ ଆଲୋକ ସଜ୍ଜା ସହିତ ବିଭିନ୍ନ ପ୍ରକାର ବାଦ୍ୟ ମାଧ୍ୟମରେ ବିମାନମାନଙ୍କୁ ଐତିହାସିକ ମେଳନ ପଡ଼ିଆକୁ ନିଆଯାଇଥାଏ । ସେଠାରେ ଭକ୍ତମାନେ ବିମାନକୁ ଦର୍ଶନ କରି ଅବିର ଦେଇ ଭୋଗ ଲଗାଇଥାନ୍ତି । ଅପରାହ୍ନରେ ପରମ୍ପରା ଅନୁଯାଇ କାଳିମେଘା ଗ୍ରାମର ଦଧିବାମନ ଜୀଉଙ୍କୁ କାଦୁଅ ଖେଳି ଖେଳି ଭକ୍ତମାନେ ପଡ଼ିଆ ମଧ୍ୟକୁ ପ୍ରବେଶ କରାଇବା ପରେ ମେଳନ ଶେଷ ହୋଇଥାଏ । ଦଧିବାମନ ଜୀଉ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା ପରେ ବିମାନମାନେ ନିଜ ନିଜ ସ୍ଥାନକୁ ବାହୁଡ଼ି ଯାଇଥାନ୍ତି । ଏହତ ମେଳନକୁ ମେଳନ କମିଟି ସଭାପତି ବାଣିକଲ୍ୟାଣ ମହାପାତ୍ର, ସମ୍ପାଦକ ଗଣେଶ ପ୍ରସାଦ ନାୟକ, ସୁରେଶ ମହାପାତ୍ର, କୀର୍ତ୍ତନ ରାଉତ, ଅଜୟ ରାଉତ, ରତିକାନ୍ତ ଦାସ, ସୁଧାଂଶୁ ମହାଳିକ, ହେମନ୍ତ ମହାନ୍ତି ପ୍ରମୁଖଙ୍କ ସମେତ ମେଳନ କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ଠାକୁର ସେବକମାନେ ଶାନ୍ତି ଶୃଙ୍ଖଳରା ସହ ଶେଷ ହେବା ନେଇ ସହଯୋଗ କରିଥିଲେ । ପୁଲିସ ପ୍ରଶାସନ ପକ୍ଷରୁ ଆଇନ ସୃଙ୍ଖଳା ପରିସ୍ଥିକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସମାଜସେବୀ ତ୍ରିଲୋଚନ ଗୌତମଙ୍କ ପକ୍ଷରୁ ମେଳନରେ ଜଳଛତ୍ର ଶିବିର କରାଯାଇ ଭକ୍ତମାନଙ୍କୁ ଜଳ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.