Home କଳାହାଣ୍ଡି ଲାଣ୍ଡିମୁଣ୍ଡି ଡଙ୍ଗର ବେଆଇନ ପଥର ବ୍ଲାଷ୍ଟିଂ ଘଟଣା ; ଅଭିଯୁକ୍ତ ପକ୍ଷରୁ ଘଟଣାକୁ ଚପାଇ ଦେବା...

ଲାଣ୍ଡିମୁଣ୍ଡି ଡଙ୍ଗର ବେଆଇନ ପଥର ବ୍ଲାଷ୍ଟିଂ ଘଟଣା ; ଅଭିଯୁକ୍ତ ପକ୍ଷରୁ ଘଟଣାକୁ ଚପାଇ ଦେବା ଉଦ୍ୟମ

62

କଳାହାଣ୍ଡି – ତା.୦୫.୧୧.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲ ଅନ୍ତର୍ଗତ ଲାଣ୍ଡିମୁଣ୍ଡି ପାହାଡ ଉପରେ ବେଆଇନ ପଥର ବ୍ଲାଷ୍ଟିଂ ଘଟଣାକୁ ଚପାଇ ଦେଇ ରଫାଦଫା କରିବା ପାଇଁ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଜୋରସୋର ଉଦ୍ୟମ ଜାରି ରହିଥିବା ଅଭିଯୋଗ ହେଉଛି । ଘଟଣା ର ପରଦିନ ରବିବାର ସକାଳେ ସରଜମିନ ତଦନ୍ତ ପାଇଁ ଘଟଣା ସ୍ଥଳକୁ ଆସିଥିବା ଜୟପାଟଣା ତହସିଲଦାରଙ୍କୁ ସ୍ଥାନୀୟ ଲୋକେ ଘେରାଉ କରି ଅଭିଯୁକ୍ତ ବିରୁଦ୍ଧରେ ଦସ୍ତଙ୍ଘ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଥିଲେ । ଲାଣ୍ଡିମୁଣ୍ଡି ପାହାଡ ର ନିକଟରେ ଥିବା କୋକସରା ତହସିଲ ଅନ୍ତର୍ଗତ କାଶୀବାହାଲ ରାଜସ୍ୱ ଅଂଚଳର ଆମ୍ବଗଛପଡା ବସ୍ତିର ଲୋକେ ପ୍ରଚଣ୍ଡ ଶବ୍ଦ ହେବାଯୋଗୁ ଭୂମିକମ୍ପ ସଦୃଶ ହୋଇଥିବା ଏବଂ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଯାଇଥିବା ପ୍ରକାଶ କରିଛନ୍ତି । ବ୍ଲାଷ୍ଟିଂର ପ୍ରଚଣ୍ଡ ଶବ୍ଦରେ ଘର ଗୁଡିକ ଦୋହଲି ଯାଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ । ସେହି ଲାଣ୍ଡିମୁଣ୍ଡି ପାହାଡରେ ସ୍ୱଳ୍ପ ପରିମାଣର ପଥର ଉଠାଇବା ପାଇଁ ଅନୁମତି ନେଇ ଏଭଲି ଭାବେ ଜିଲୋଟିନ ଆଦି ବିସ୍ଫୋରଣ କରାଯାଇ ଏକାସଙ୍ଗେ ପାହାଡର ଅଧାଅଧି ପଥର ଫଟାଇ ଦିଆଯାଇଥିବା ସଂପୂର୍ଣ୍ଣ ବେଆଇନ ବୋଲି ଜୟପାଟଣା ତହସିଲଦାର ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଏସଂପର୍କରେ ଜୟପାଟଣା ପୋଲିସରେ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ହେବାପରେ ବେଆଇନ ଭାବେ ଜିଲୋଟିନ ଓ ରାସାୟନିକ ପଦାର୍ଥ ବ୍ୟବହାର କରି ପଥର ଖନନ କରିବା ଅଭିଯୋଗରେ ୩ ଓ ୪ ବିସ୍ଫୋରଣ ଆଇନ ଅନୁସାରେ ଜୟପାଟଣା ତାନା କେଶ ନଂ ୨୭୨/୨୦୧୯ ରେ ମୂଖ୍ୟ ଅଭିଯୁକ୍ତ ଶମ୍ଭୁ ପଣ୍ଡା ତଥା ଶିବଶକ୍ତି କ୍ରସର ମାଲିକ ମୁକେଶ ଅଗ୍ରୱାଲ ଙ୍କ ବିରୁଦ୍ଧରେ ଏକ କେଶ ରୁଜ୍ଜୁ କରାଯାଇ ବଡକୁଟ୍ରୁ ଏଏସଆଇଙ୍କୁ ତଦନ୍ତ ଭାର ଦିଆଯାଇଥିବା ଜଣାପଡିଛି । ସ୍ଥାନୀୟ ଆମ୍ବଗଛ ପଡାର ଲାବାଣ୍ୟ ଚଣ୍ଡି, ସାଦନୀ କେତକୀ,ଭଏରୋ ପୋଡ, ଡମ୍ବରୁ ଚଣ୍ଡି ତଥା ଅନ୍ୟମାନଙ୍କ କହିବା ଅନୁସାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲାଯେ ଗ୍ରାମବାସୀମାନଙ୍କ ମନରେ ଭୂମିକମ୍ପ କି ଆଉ କିଛି ପ୍ରାକୃତିକ ବିପର୍ଯ୍ୟୟ ହେବାଭଲି ମନେ ହୋଇଥିଲା । କୋକସରା ଏବଂ ଜୟପାଟଣା ଉଭୟ ତହସିଲ ର ସଙ୍ଗମ ସ୍ଥଳ ଏହି ଅଂଚଳରେ ଲାଣ୍ଡିମୁଣ୍ଡି ପାହାଡ ସମେତ ବେଲବନ ଡଙ୍ଗରୀ, ତଥା ବିରାଟ ଡୋକରୀ ଡଙ୍ଗର ଅବସ୍ଥିତ । ଏହା ସହିତ ଅନେକ ଛୋଟବଡ ପଥର ଚଟାଣ ସବୁ ରହିଥିବା ବେଳେ ଏହି ଅଂଚଲ ଉପରେ ପଥର ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ରହିଛି । ଏହାର ଆଖପାଖ ଅଂଚଳରେ ବଡ ବଡ ଚାରି ପାଂଚଟି ପଥର କ୍ରସର ରହିଥିବା ବେଳେ ପଥର ମାଫିଆମାନେ ବେଆଇନ ଭାବେ ପଥର ଖନନ କରି ଉକ୍ତ ପଥର କ୍ରସର ଗୁଡିକୁ ପଥର ଯୋଗାଉଥିବା ଅଭିଯୋଗ ହେଉଛି । ଏଭଲି ବେଆଇନ ଏବଂ ଅସୁରକ୍ଷିତ ଭାବେ ବିସ୍ଫୋରଣ କରାଯାଇ ପଥର ଫଟାଯିବା ନିଶ୍ଚିତ ଭାବେ ଜନଜୀବନ ପ୍ରତି ବିପଦ ଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେବା ସହ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ଏଭଲି ଏକ ବିରାଟ ଘଟଣା ହେବା ପରେ ଉଭୟ ତହସିଲ ପକ୍ଷରୁ ତନାଘନା ଚାଲିଥିବା ବେଳେ ପୋଲିସ ପକ୍ଷରୁ ଲାଣ୍ଡିମୁଣ୍ଡି ପାହାକୁ ନାଲିଫିତା ବାନ୍ଧି ସିଲ କରିଦେଇଥିବା ଜଣାପଡିଛି । ବିସ୍ଫୋରଣ ସ୍ଥଲରୁ ରାସାୟନିକ ପଦାର୍ଥ ପୋଲିସ ପକ୍ଷରୁ ସଂଗ୍ରହ କରାଯାଇ ଅଭିଯୋଗକାରୀ ମାନଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ପକ୍ଷରୁ କେଶକୁ ଦୁର୍ବଳ କରିଦେବା ପାଇଁ ଯୋଜନା କରୁଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ଅଭିଯୁକ୍ତ ମାନେ ପ୍ରତିପତିଶାଳୀ ହୋଇଥିବାରୁ ଅଭିଯୋଗକାରୀ ତଥା ଗ୍ରାମବାସୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଇ ସାଧା କାଗଜରେ ଦସ୍ତଖତ କରାଇନେଉଥିବା ଚର୍ଚ୍ଚା ହେଉଛି । ଏପରିକି ବିସ୍ଫୋରଣ ସ୍ଥଲରେ ଥିବା ପଥର ଗୁଡିକୁ ରାତିରେ ଅନ୍ୟତ୍ର ସ୍ଥାନାନ୍ତର କରିଦେଇ ପ୍ରମାଣ ନଷ୍ଟ କରିଦେବାର ଚକ୍ରାନ୍ତ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏରିକି ପୋଲିସ ତଦନ୍ତରେ ଶୀଥିଳତା ଥିବା ଏବଂ ଘଟଣା ଘଟିବାର ଦୀର୍ଘ ଦଶ ଦିନରୁ ଅଧିକ ହୋଇଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ପୋଲିସ ପକ୍ଷରୁ ଜେରା କରାଯାଇନଥିବା ମଧ୍ୟ ଅଭିଯୁକ୍ତକୁ ପରୋକ୍ଷରେ ସୁହାଉଥିବା ଆଲୋଚନା ହେଉଛି । ସ୍ଥାନୀୟ ପୋଲିସକୁ ଚକମା ଦେଖାଇବା ପାଇଁ ଅଭିଯୁକ୍ତ ପକ୍ଷରୁ ଆଗୁଆ ଜାମିନ ପାଇଁ ବ୍ୟବସ୍ଥା କରାଯାଉଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ ସଂପୃକ୍ତ ଅଭିଯୁକ୍ତ ସମଗ୍ର ଲାଣ୍ଡି ମୁଣ୍ଡି ପହାଡରେ କେତେ ପରିମାଣରେ ପଥର ଖନନ କରିଛି ଏବଂ କେତେ ପରିମାଣରେ ପଥର ଚାଲାଣ କରିଛି ଏପରିକି ଅଭିଯୁକ୍ତ ର ମାଲିକାନାରେ ଥିବା ଶିବଶକ୍ତି କ୍ରସର ଦ୍ୱାରା କେତେ ପରିମାଣର ପଥର କାରବାର ହୋଇଛି ଏବଂ କେତେ ପରିମାଣର ପଥର ପାଇଁ କେତେ ଟଙ୍କାର ରୟାଲଟି ଦାଖଲ କରାଯାଇଛି ସେସବୁର ଏକ ସରଜମିନ ତଦନ୍ତ କରାଗଲେ ସତ୍ୟା ସତ୍ୟ ପଦାକୁ ଆସିବା ସହିତ ସରକାରୀ ରାଜସ୍ୱ ଠିକ ଭାବେ ଆଦାୟ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ଏପରିକି ସେହି ଅଂଚଳର ସମସ୍ତ ପଥର ଚଟାଣ ତଥା ଡୋକରୀ ଡଙ୍ଗର, ପୋଲକା ଡଙ୍ଗର ଭଲି ଅନ୍ୟାନ୍ୟ ଛୋଟବଡ ସମସ୍ତ ପଥର ଚଟାଣ ଗୁଡିକରୁ କେତେ ପରିମାଣର ପଥର ଚାଲାଣ କରାଯାଇଛି ଏବଂ କେତେ ପରିମାଣରେ ରୟାଲଟି ଦାଖଲ କରାଯାଇଛି ସେସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି ଦାବୀ ହେଉଛି । ଅନ୍ୟପକ୍ଷରେ ପାହାଡକୁ ଫଟାଇ ଜାତୀୟ ସଂପତିକୁ ହରିଲୁଟ କରୁଥିବା ଏହି ସମ୍ବେଦନଶୀଳ ଘଟଣା ର ମୂଖ୍ୟ ଆସାମୀ କୁହାଯାଉଥିବା ଶିବଶକ୍ତି କ୍ରସର ମାଲିକ ମୁକେଶ ଅଗ୍ରୱାଲ ନିଜ ପ୍ରତିପତିର ପ୍ରଭାବ ପକାଇ ସାକ୍ଷ୍ୟ ମାନଙ୍କୁ ନିଜ ସପକ୍ଷକୁ ନେବାର ଯୋଜନା କରୁଥିବା ବିରୁଦ୍ଧରେ ମାନ୍ୟବର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯିବା ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.