Home ଜିଲ୍ଲା ପରିକ୍ରମା ପଳିକିରିରେ ଶିଳ୍ପ ପାର୍କ ପାଇଁ ତତ୍ପରତା,୧୯.୯୪ ଏକର ଜମିରେ ସର୍ଭେ ଓ ସୀମା ନିର୍ଦ୍ଧାରଣ; ୫୦...

ପଳିକିରିରେ ଶିଳ୍ପ ପାର୍କ ପାଇଁ ତତ୍ପରତା,୧୯.୯୪ ଏକର ଜମିରେ ସର୍ଭେ ଓ ସୀମା ନିର୍ଦ୍ଧାରଣ; ୫୦ କୋଟି ବ୍ୟୟର ଲକ୍ଷ୍ୟ

1

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରରେ ଶିଳ୍ପ ବିକାଶର ନୂଆ ସମ୍ଭାବନା। ଭଗବାନପୁର ପଂଚାୟତ ଅନ୍ତର୍ଗତ ପଳିକିରି ମୌଜାରେ ପ୍ରସ୍ତାବିତ ଶିଳ୍ପ ପାର୍କ ପାଇଁ ଜମି ସର୍ଭେ ଓ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଏବେ ଜୋରଦାର ହୋଇଛି। ପଳିକିରି ଛକ ସମ୍ମୁଖରେ ଥିବା ପ୍ରାୟ ୧୯ ଏକର ୯୪ ଡିସିମିଲ ସରକାରୀ ପତିତ ଜମିକୁ ନେଇ ଇଡ଼କୋ ପକ୍ଷରୁ ପ୍ରକ୍ରିୟା ଆଗେଇ ଚାଲିଛି।ଜମିର ମାପଚୁପ ସହ ସୀମା ଚିହ୍ନଟ ପାଇଁ ଖୁଂଟ ପୋତାଯାଉଛି। ଇଡ଼କୋ ଯାଜପୁର ଶାଖାର ତତ୍ୱାବଧାନରେ ଏକ ବେସରକାରୀ ସଂସ୍ଥା ସର୍ଭେ କରୁଥିବାବେଳେ ଯାଜପୁର ଇଡ଼କୋ ଶାଖାର ସହକାରୀ ଯନ୍ତ୍ରୀ ଇଂ. ନିହାର ରଞ୍ଜନ ସିଅଳ କାର୍ଯ୍ୟର ତଦାରଖ କରୁଛନ୍ତି। ଗତ ଜୁନ୍‌ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ବର୍ଷା ଯୋଗୁଁ କାର୍ଯ୍ୟ କିଛିଟା ମନ୍ଥର ହୋଇଥିଲା। ଏବେ ପୁଣି ଏହାକୁ ଗତି ଦିଆଯାଇଛି।ପ୍ରସ୍ତାବିତ ଶିଳ୍ପ ପାର୍କ ପାଇଁ ସର୍ବନିମ୍ନ ୫୦ କୋଟି ଟଙ୍କା ବ୍ୟୟର ଲକ୍ଷ୍ୟ ରହିଥିବା ସୂଚନା ମିଳିଛି। ଜମି ସମ୍ପର୍କିତ ପ୍ରକ୍ରିୟା ଶେଷ ପରେ ପର୍ଯ୍ୟାୟକ୍ରମେ ପାଚେରି ନିର୍ମାଣ, ରାସ୍ତା, ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ଭିତିଭୂମି ବିକାଶ କରାଯିବାର ଯୋଜନା ରହିଛି।ଅଂଚଳରେ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଏହି ପ୍ରକଳ୍ପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ତେବେ ଶିଳ୍ପ ପାର୍କରେ କେଉଁ ପ୍ରକାର ଶିଳ୍ପ ପ୍ରତିଷ୍ଠା ହେବ, କେତେ ସଂସ୍ଥାକୁ ସୁଯୋଗ ମିଳିବ ଏବଂ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ସେନେଇ ବିଭାଗୀୟ ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.