Home ଜିଲ୍ଲା ପରିକ୍ରମା ଶୋଇବା ଘରୁ ବାହାରିଲା କାଳସର୍ପ! ଜନ୍ମଦିନର ଖୁସି ନପୁରୁଣୁ ଲିଭିଗଲା ଘରର ଦୀପ,ସାପ କାମୁଡ଼ାରେ ୧୩...

ଶୋଇବା ଘରୁ ବାହାରିଲା କାଳସର୍ପ! ଜନ୍ମଦିନର ଖୁସି ନପୁରୁଣୁ ଲିଭିଗଲା ଘରର ଦୀପ,ସାପ କାମୁଡ଼ାରେ ୧୩ ବର୍ଷୀୟା ଇତିଶ୍ରୀଙ୍କ ଅକାଳ ମୃତ୍ୟୁ

3

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାଲି କାଟିଥିଲା ବାର୍ଥଡେ କେକ୍‌, ଆଜି ଜଳିଲା ଶ୍ମଶାନ ନିଆଁ। ସାପ କାମୁଡ଼ାରେ ଛଟପଟ ହୋଇ ଚାଲିଗଲା ଷଷ୍ଠ ଶ୍ରେଣୀର ଇତିଶ୍ରୀର ଜୀବନ। ଯେଉଁ ଘରେ ଗତକାଲି ହସଖୁସି ଓ ଜନ୍ମଦିନର ଉତ୍ସବ ଫାଟିପଡ଼ୁଥିଲା, ଆଜି ସେଠି କେବଳ କାନ୍ଦବୋବାଳି ଓ ଶୋକସନ୍ତପ୍ତ ପରିବେଶ। ବିଧିର ବିଧାନ କେଡ଼େ ନିଷ୍ଠୁର। ନିୟତିର ଗୋଟିଏ ସାମାନ୍ୟ କ୍ରୂର ଆଘାତରେ ଉଜୁଡ଼ିଗଲା ଏକ ସୁନାର ସଂସାର। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ଗାଜିପୁର ଗାଁରେ। ଗାଜିପୁରର ଗଜେନ୍ଦ୍ର କଣ୍ଡାରଙ୍କ ୧୩ ବର୍ଷୀୟା ନିରୀହ ଝିଅ ଇତିଶ୍ରୀ କଣ୍ଡାରଙ୍କର ସାପ କାମୁଡ଼ାରେ ଅକାଳ ମୃତ୍ୟୁ ଘଟିଛି। ଇତିଶ୍ରୀ ଗାଜିପୁର ପାଟଣା ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ। ୧୩ ବର୍ଷରେ ପାଦ ଥାପିଥିବା ଇତିଶ୍ରୀଙ୍କ ଜନ୍ମଦିନକୁ ପରିବାର ଲୋକେ ବହୁ ଧୁମଧାମରେ ପାଳନ କରିଥିଲେ। ସବୁଦିନ ପରି ରାତିରେ ଖିଆପିଆ ସାରି ଇତିଶ୍ରୀ ଶୋଇବାକୁ ଯାଇଥିଲେ। ଶୋଇବାର କିଛି ଘଂଟା ପରେ ହଠାତ୍ ଇତିଶ୍ରୀଙ୍କ ଦେହରେ ଜଳାପୋଡ଼ା, ପେଟ ଯନ୍ତ୍ରଣା ଓ ତଂଟି ଶୁଖିଯିବା ଭଳି ଲକ୍ଷଣ ଦେଖାଦେଇଥିଲା। ଝିଅର ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ।ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଇତିଶ୍ରୀଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପଟେ ଝିଅର ମୃତ୍ୟୁର କାରଣ ସ୍ପଷ୍ଟ ଜାଣିବା ପାଇଁ ସାପଧରାଳି ମିର୍ଜା ଆରିଫ ବେଗ୍‌ଙ୍କୁ ଡକାଯାଇଥିଲା। ଇତିଶ୍ରୀ ଶୋଇଥିବା ଘରକୁ ଖୋଳାଖୋଳି କରିବା ପରେ ସେଠାରୁ ଏକ ବିଷଧର ସାପ ଉଦ୍ଧାର କରାଯାଇଥିଲା। ଏତେ କମ୍ ବୟସରେ ଇତିଶ୍ରୀଙ୍କର ଏପରି ଅକାଳ ମୃତ୍ୟୁ ଗ୍ରାମବାସୀ, ବିଦ୍ୟାଳୟର ସାଙ୍ଗସାଥୀ ଓ ଗୁରୁଜନଙ୍କୁ ଗଭୀର ମର୍ମାହତ କରିଛି। ଗୋଟିଏ ପଟେ ଇତିଶ୍ରୀଙ୍କ ଯୁଇର ନିଆଁ ଓ ଅନ୍ୟପଟେ ପରିବାରର କାନ୍ଦବୋବାଳି ସାରା ଅଂଚଳକୁ ସ୍ତବ୍ଧ କରିଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.