Home ଓଡ଼ିଶା ଲଗାଣ ବର୍ଷା ହେଲା କାଳ, ଭାଙ୍ଗିଲା ମସ୍ତିଷ୍କ ବିକୃତଙ୍କ ବାସଗୃହ, ସରକାରୀ ଯୋଜନାରେ ସାମିଲ କରାଇବାକୁ...

ଲଗାଣ ବର୍ଷା ହେଲା କାଳ, ଭାଙ୍ଗିଲା ମସ୍ତିଷ୍କ ବିକୃତଙ୍କ ବାସଗୃହ, ସରକାରୀ ଯୋଜନାରେ ସାମିଲ କରାଇବାକୁ ଦାବି

140

ହରିଚନ୍ଦନପୁର,ତା ୨୯ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଅନେକ ଗରିବ ଶ୍ରେଣୀର ଲୋକଙ୍କ ବାସଗୃହ ଭାଙ୍ଗିଯାଇଥିବା ଜଣାପଡିଛି । ଅତି ଦୁଃଖର ବିଷୟ, ଏହି ଲଘୁଚାପ ବର୍ଷାରେ ଠାକୁରପଡା ଗ୍ରାମ ପଞ୍ଚାୟତ ପିଟାଟାଙ୍ଗର ଗ୍ରାମର ବାପାମାଆ ଛେଉଣ୍ଡ ମସ୍ତିଷ୍କ ବିକୃତ ସୁବଳ ମହାରଣାଙ୍କ ବାସଗୃହ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ସୁବଳ ଦିନେ କଂସା ବାସନ ସାମଗ୍ରୀ ବିକ୍ରି କରି ନିଜର ପରିବାର ପୋଷଣ କରୁଥିଲେ । ହେଲେ ଆଜକୁ ୯ବର୍ଷ ପୂର୍ବେ ଏକ ଭଡ଼ା ଗାଡ଼ିରେ କିଛି ଲୋକଙ୍କ ସହ ବେପାର କରିବା ପାଇଁ ଯାଇଥିଲେ, ସେଠାରୁ ଫେରୁଥିବା ବେଳେ କୁଆଝରଣ ଘାଟିରେ ଗାଡ଼ିଟି କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ଥିବା ଲୋକମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ସହ ଜଣଙ୍କର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସୁବଳଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ସଠିକ୍ ସ୍ବାସ୍ଥ୍ୟ ପରିକ୍ଷା କରାନଯାଇ କିଛି ଔଷଧ ଦେଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ସେଠାରୁ ଆସିବା ପରେ କିଛି ଦିନ ସୁବଳ ଠିକ୍ ଭାବରେ କଥାବାର୍ତ୍ତା ସହ ଘରର କାମକାର୍ଯ୍ୟ କରିପାରିଥିଲେ । ହେଲେ କିଛି ଦିନ ପରେ ହଠାତ୍ ତାଙ୍କ ମୁଣ୍ଡ କାମ ନକରିବା ସହ କଥାବାର୍ତ୍ତା ବନ୍ଦ ଓ କାନକୁ ଶୁଭିବା ବନ୍ଦ ହୋଇଯାଇଥିଲା । ରୋଜଗାରିଆ ପୁଅ ସୁବଳଙ୍କ ଏହି ଭଳି ଅବସ୍ଥାକୁ ନେଇ ଚିନ୍ତାରେ ବାପା √କାର୍ତ୍ତିକା ମହାରଣା ରୋଗାକ୍ରାନ୍ତ ହୋଇ ଗତ ୨ବର୍ଷ ହେବ ମୃତ୍ୟୁ ବରଣ କରିଥିବା ବେଳେ ମାଆ √ବିମଳା ମହାରଣାଙ୍କ ୧ବର୍ଷ ପୂର୍ବେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହେଲେ ଅର୍ଥ ଅଭାବ କାରଣରୁ ସୁବଳଙ୍କ ଚିକିତ୍ସା ଓ ଭଉଣୀର ବିବାହ ବାପା ମାଆଙ୍କ ଅନ୍ତେ ହୋଇପାରିଲା ନାହିଁ । ବାପା ମାଆଙ୍କ ମୃତ୍ୟୁ ପରେ ଗ୍ରାମର କିଛି ସୁହୃଦୟ ବ୍ୟକ୍ତି ଓ ବଡବାପା ପରିବାର ଲୋକଙ୍କ ସାହାର୍ଯ୍ୟରେ ଗତ କିଛି ଦିନ ପୂର୍ବେ ବାପାମାଆ ଛେଉଣ୍ଡ ଭଉଣୀର ବାହାଘର ହୋଇଛି । ହେଲେ ଅର୍ଥ ଅଭାବ କାରଣରୁ ଆଜି ପର୍ଯ୍ୟନ୍ତ ସୁବଳଙ୍କ ଚିକିତ୍ସା ହୋଇପାରିନାହିଁ, ଯଦି ତାଙ୍କ ମସ୍ତିଷ୍କର ସଠିକ୍ ପରିକ୍ଷା କରାଯାଇ ଚିକିତ୍ସା କରାଯାଇପାରନ୍ତା ତେବେ ସେ ପୂର୍ବ ଭଳି ଅବସ୍ଥାକୁ ଫେରିପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ । ସୁବଳ ମସ୍ତିଷ୍କ ବିକୃତର ସାର୍ଟିଫିକେଟ୍ ହାସଲ କରିବା ପରେ ସରକାରଙ୍କ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିଛନ୍ତି । ବର୍ତ୍ତମାନ ବଡ଼ ବାପାଙ୍କ ପରିବାର ସୁବଳ ଖାଇବା ପିଇବା କଥା ବୁଝୁଛନ୍ତି, ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ତାଙ୍କ ପାଇଁ ସାଜିଲା କାଳ । ସେ ରହୁଥିବା ବାସଗୃହଟି ଲଗାଣ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ବାସଗୃହଟି ଭାଙ୍ଗିଯିବା ଫଳରେ ଆଶ୍ରୟ ନେବା ତାଙ୍କ ପାଇଁ ବହୁତ୍ କଷ୍ଟକର ହୋଇପଡ଼ିଥିବା ସହ ବେସାହାରା ହୋଇପଡ଼ିଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ତାଙ୍କୁ ସରକାରୀ ଆବାସ ଯୋଜନାରୁ ଘର ଖଣ୍ଡିଏ ଯୋଗାଇ ଦେବା ସହ ତାଙ୍କ ଚିକିତ୍ସା ନିମନ୍ତେ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.