Home ଜିଲ୍ଲା ପରିକ୍ରମା ‘ରେବତୀ’ପରିବାର ପକ୍ଷରୁ ସମୂହ ବିବାହ ଉତ୍ସବ: ବିବାହ ବନ୍ଧନରେ ବାନ୍ଧିହେଲେ ୮ଯୋଡ଼ା ବର-କନ୍ୟା

‘ରେବତୀ’ପରିବାର ପକ୍ଷରୁ ସମୂହ ବିବାହ ଉତ୍ସବ: ବିବାହ ବନ୍ଧନରେ ବାନ୍ଧିହେଲେ ୮ଯୋଡ଼ା ବର-କନ୍ୟା

47

ବାଲେଶ୍ୱର, ୧୫ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ନିୟମିତ ପ୍ରକାଶିତ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ‘ରେବତୀ’ ପକ୍ଷରୁ ସମୂହ ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ସହର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ହାଇଲ୍ୟାଣ୍ଡ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ଉତ୍ସବରେ ଆଠ ଯୋଡ଼ା ଗରିବ ବର-କନ୍ୟାଙ୍କର ବିବାହ ସମ୍ପନ୍ନ କରାଯାଇଥିଲା। ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ଏଥିରେ ଯୋଗଦେଇ ସଙ୍କଳ୍ପ ବ୍ରତ ଧାରଣ ପୂର୍ବକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପ୍ରତୀକ ଜେନା ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ହାଇଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନିଜ୍ ସହଯୋଗରେ ଏହି ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହିଳାଙ୍କ ସ୍ୱାଭିମାନର ପ୍ରତୀକ ଭାବେ ପରିଚିତି ପାଇବାରେ ସକ୍ଷମ ହୋଇଥିବା ‘ରେବତୀ’ ପତ୍ରିକାର ସମାଜିକ ଦାୟିତ୍ୱବୋଧତା ଓ ଗରିବ ଘରର ବର-କନ୍ୟାଙ୍କ ବିବାହ ଆୟୋଜନ ଭଳି ନିଷ୍ପତି ଅତ୍ୟନ୍ତ ଅତ୍ୟନ୍ତ ଉଚ୍ଚ ବିଚାରର ପ୍ରତିଫଳନ ବୋଲି ପୂର୍ବତନ ସାଂସଦ ଶ୍ରୀ ଜେନା ମତପ୍ରକାଶ କରିଥିଲେ। କେବଳ ବିବାହ ନୁହେଁ ବର କନ୍ୟାଙ୍କୁ ଆବଶ୍ୟକୀୟ ଉପଢୌକନ ପ୍ରଦାନ ସହ ନୂଆ ସଂସାର ଗଢିବାକୁ ଯେପରି ଭାବେ ପ୍ରୋତ୍ସାହନ ଦେବାକୁ ବ୍ୟବସ୍ଥା କରାଯାଇଛି ତାହା ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ। ପୂର୍ବରୁ ଗରିବ ଅସହାୟ ପରିବାରର ଝିଅଙ୍କ ବିବାହ ପାଇଁ ଯଥାସାଧ୍ୟ ସହଯୋଗ କରିଥିବା ବେଳେ ପ୍ରଥମ ଥର ପାଇଁ ଏହିଭଳି ସାମୂହିକ ବିବାହ ଉତ୍ସବ ଆୟୋଜନ କରାଯାଇଛି ବୋଲି ଶ୍ରୀମତି ଜେନା କହିଥିଲେ। କରୋନା ଯୋଗୁଁ ବହୁ ଲୋକଙ୍କ ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇପଡିଥିବା ବେଳେ ଏକ ଉତ୍ସବ ମାଧ୍ୟମରେ ବହୁ ସଂଖ୍ୟକ ପୁଅ ଝିଅଙ୍କ ବିବାହ ପାଇଁ ନିଷ୍ପତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୟନ ହୋଇଥିବା ଗରିବ ଘରର ବର-କନ୍ୟାଙ୍କର ସାମୂହିକ ବିବାହ ଉତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ବିଭିନ୍ନ ପଂଚାୟତର ସରପଂଚଙ୍କ ଜରିଆରେ ବିବାହ ଉପଯୋଗୀ ବରକନ୍ୟାଙ୍କ ଆର୍ôଥକ ଅସ୍ୱଚ୍ଛଳତା ଦୃଷ୍ଟିଦେଇ ଏଭଳି ସମୂହ ବିବାହ ପାଇଁ ସେମାନଙ୍କୁ ଚୟନ କରାଯାଇଥିବା ଜଣାପଡିଛି। ୪ ଗୋଟିି ବିବାହ ମଣ୍ଡପରେ ଆଠ ଯୋଡା ବରକନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ହିନ୍ଦୁ ଶାସ୍ତ୍ର ମତେ ତଥା ବୈଦିକ ରୀତିନୀତିରେ ସମସ୍ତ କର୍ମକାଣ୍ଡ ସମ୍ପନ୍ନ ହୋଇଥିଲା। ବେଦଜ୍ଞ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ୱନି ମଧ୍ୟରେ ଅଗ୍ନି ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ସେମାନେ ଇହକାଳ ଓ ପରକାଳ ପାଇଁ ସାଥୀ ହୋଇଥିଲେ। ରେବତୀ ପତ୍ରିକା, ପ୍ରତୀକ ଜେନା ଫାଉଣ୍ଡେସନ ଓ ହାଇଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜ୍ କର୍ତ୍ତୃପକ୍ଷ ସମସ୍ତ ବରକନ୍ୟାଙ୍କ ପାଇଁ ବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର, ଆସବାବପତ୍ର, ଶୀତବସ୍ତ୍ର, ପ୍ରସାଧନ ସାମଗ୍ରୀ, ଛତା, ଜୋତା, ଭେନିଟିବ୍ୟାଗ୍, ଷ୍ଟଲି ବ୍ୟାଗ୍, ନଣନ୍ଦପେଡ଼ି, ଗ୍ୟାସ ଚୁଲା ପ୍ରଭୃତି ପ୍ରଦାନ କରିଥିଲେ। ଗରିବ ପୁଅ ଝିଅଙ୍କ ବିବାହ ଭଳି ସାଧୁ ଉଦ୍ୟମ ପାଇଁ ସେମାନଙ୍କ ପରିବାରବର୍ଗ ଶ୍ରୀ ଜେନା ଓ ଶ୍ରୀମତି ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତ। ବିବାହ ଉତ୍ସବ ପାଇଁ ଅକ୍ଷମ ଥିବା ବେଳେ ଏକ ବଡ ଉତ୍ସବରେ ସେମାନଙ୍କ ପୁଅ ଝିଅଙ୍କ ବିବାହ କରାଇବା ତାହା ସହ ସମ୍ପର୍କୀୟଙ୍କୁ ବିବାହ ଭୋଜିରେ ଆପ୍ୟାୟିତ କରିବା ସେମାନଙ୍କୁ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରିଛି ବୋଲି ପୁଅ ଝିଅଙ୍କ ପରିବାରବର୍ଗ ପ୍ରକାଶ କରିଛନ୍ତି। ପୂର୍ବାଂଚଳ ଜୋନ ଡିଆଇଜି ଦୀପ୍ତେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ବାଲେଶ୍ୱର ପ୍ରାକ୍ତନ ବିଧାୟକ ଅରୁଣ ଦେ ଓ ସୁଦର୍ଶନ ଜେନା, ସନ୍ତୋଷ ଖଟୁଆ, ଶିବୁ ପୋଦାର ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ରେବତୀ ପତ୍ରିକାର ସମ୍ପାଦିକା ଶ୍ରୀମତୀ ଜେନା ଓ ପୂର୍ବତନ ସାଂସଦ ଶ୍ରୀଜେନାଙ୍କ ଏଭଳି ବଦାନ୍ୟତା କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ରାଉତ, ସାହିରୁଲ ହକ୍, ଶୈଲେନ୍ଦ୍ର ସିଂହ, ଇନ୍ତେଖ୍ୱାବ ଅଲ୍ଲି ଖାନ, ସଞ୍ଜିବ ଦାସ, ମନୋଜ ଆଚାର୍ଯ୍ୟ, ଜୟରାମ ଦାସ, ଅସୀତ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.