Home ଜିଲ୍ଲା ପରିକ୍ରମା ରାସନ୍ ସାମଗ୍ରୀ ଜାଲିଆତିର ପର୍ଦ୍ଦାଫାସ୍ କରି କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଗ୍ରାମରୁ ବିତାଡିତ ହେଲା ଶୁକଦେବ,...

ରାସନ୍ ସାମଗ୍ରୀ ଜାଲିଆତିର ପର୍ଦ୍ଦାଫାସ୍ କରି କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଗ୍ରାମରୁ ବିତାଡିତ ହେଲା ଶୁକଦେବ, ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଧାରଣା

53

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ତଳକାଁପଡା ଗ୍ରାମନିବାସୀ ଶୁକଦେବ ମଳିକ ନାମକ ଜଣେ ସମାଜସେବୀ ଦିବ୍ୟାଙ୍ଗ ଗରିବ ଲୋକଙ୍କ ପାଇଁ ଆସୁଥିବା ରାସନ୍ ସାମଗ୍ରୀର କଳାବଜାରୀ ନେଇ ଗଣମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିବାରୁ ସଂପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଏକଘରିଆ କରି ଜରିମାନା ଆଦାୟ ସହ ତାଙ୍କ ପରିବାର ଉପରେ ଆକ୍ରମଣ କରିବାରୁ ସେ ଜୀବନ ଭୟରେ ସପରିବାର ଗ୍ରାମଛାଡି ଆଜି ନିଜର ସୁରକ୍ଷା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏ ସଂପର୍କରେ ସେ ଜିଲାପାଳଙ୍କୁ ପୂର୍ବରୁ ଦେଇଥିବା ପତ୍ର ମୂଳେ ଶୁକଦେବ ନିଜ ଅଂଚଳର ବିଭିନ୍ନ ସମସ୍ୟା ଓ ସାମାଜିକ ଦିଗରେ କାର୍ଯ୍ୟ କରନ୍ତି । ତାଙ୍କ ଗ୍ରାମର ରିଟେଲରଙ୍କ ଠାରୁ ଟେକ୍‌ଅପ୍ ନେଇ ଠିକାରେ ବଣ୍ଟନ କରୁଥିବା ରାସନ୍ ସାମଗ୍ରୀକୁ ଗରିବ ଓ ଦିବ୍ୟାଙ୍ଗ ମାନଙ୍କୁ ନଦେଇ କେତେକ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କ ସହ ମିଶି ହଡପ କରୁଥିବା ବିଷୟ ସେ ଗତ ମଇ ମାସରେ ବିଭିନ୍ନ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦୁର୍ନୀତି ସଂପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତାଙ୍କ ଗ୍ରାମର ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଫଳରେ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉପଆରକ୍ଷୀ ଅଧୀକ୍ଷକ, ଚାନ୍ଦବାଲି ଏସ୍‌ଡିପିଓ, ତିହିଡି ଥାନାଧିକାରୀଙ୍କ ଉପସ୍ଥିତିରେ ଥାନାରେ ଆପୋଷ ଆଲୋଚନା କରାଯାଇ ସମାଧାନ ହୋଇଥିଲା ।

କିନ୍ତୁ ଏହି ଗ୍ରାମର ଅନାଦି ମଳିକ, ଶ୍ରୀକୃଷ୍ଣ ଦାସ, ଦାମୋଦର ଦାସ, ବଳରାମ ଦାସ, ଇନ୍ଦ୍ରମଣି ଦାସ, ରବିନ୍ଦ୍ର ଦାସ, ଗୋପବନ୍ଧୁ ଦାସ, ବିକାଶ ଦାସ, ଅରୁଣ ଦାସ, ଅକ୍ଷୟ ଦାସ ଓ ରମେଶ ଦାସ ପ୍ରମୁଖ ଏକତ୍ରିତ ହୋଇ ପୂର୍ବ ଘଟଣାକୁ କେନ୍ଦ୍ର କରି ତାଙ୍କ ପରିବାର ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ଚଳିତବର୍ଷ ଖରିଫ ଧାନ ଚାଷ କରିବା ସମୟରେ ସଂପୃକ୍ତ ବ୍ୟକ୍ତିମାନେ ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରି ସେଥିରୁ ବଂଚିତ କରିଛନ୍ତି । ଯେଉଁଥିପାଇଁ ଏବର୍ଷ ତାଙ୍କର ଚାଷଜମି ପଡିଆ ପଡିଥିବାବେଳେ ଉକ୍ତ ବ୍ୟକ୍ତିମାନେ ତାଙ୍କୁ ଏକଘରିକିଆ କରି ୫୦ ହଜାର ଟଙ୍କା ଜରିମାନା ଦେବାକୁ ଧମକ ଦେଉଛନ୍ତି । ଏଣୁ ତାଙ୍କଭଳି ଜଣେ ଗରିବ ଚାଷୀ ନିଜର ପରିବାରର ପ୍ରତିପୋଷଣ ଓ ପିଲାଙ୍କୁ ପାଠପଢାରୁ ବଂଚିତ ରଖି ୩ ମାସ ବାହାରେ ବୁଲୁଛନ୍ତି । ଏ ସଂପର୍କରେ ସେ ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେ କୌଣସି ସମାଧାନ ନକରିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଜାଣି ଗତ ୧୬ ତାରିଖରେ ଜିଲାପାଳ , ଜିଲା ଆରକ୍ଷୀ ଅଧୀକ୍ଷକ, ଧାମନଗର ବିଧାୟକ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ କୌଣସି ସୁଫଳ ନପାଇବାରୁ ଆଜି ପୂର୍ବ ଘୋଷଣା ମତେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର ଓ ନିଜ ପରିବାରର ସୁରକ୍ଷା ସହ ଉଚିତ୍ ନ୍ୟାୟ ଦାବିରେ ସପରିବାର ଧାରଣାରେ ବସିଛନ୍ତି । ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେ ତାଙ୍କ ଧାରଣା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.