Home ଓଡ଼ିଶା ରଣପୁର ପୋଲିସ ଗାଡି ଦେଖି ଅମାନିଆ ଯୁବକ ପୋଖରୀରେ ବୁଡି ମୃତ୍ୟୁ

ରଣପୁର ପୋଲିସ ଗାଡି ଦେଖି ଅମାନିଆ ଯୁବକ ପୋଖରୀରେ ବୁଡି ମୃତ୍ୟୁ

78

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲାପାଳଙ୍କ ରଣପୁର ବ୍ଲକ୍ କରୋନା ସମୀକ୍ଷା ପରେ ରଣପୁର ପୋଲିସ୍ ଅମାନିଆ ଙ୍କୁ ସାବାଡ୍ କରିବା ପାଇଁ ପେଟ୍ରୋଲିଙ୍ଗ୍ କୁ ବ୍ୟାପକ କରିଥିବା ଜଣାପଡିଛି । ପୋଲିସ୍ ପେଟ୍ରୋଲିଙ୍ଗ୍ ଗାଡିକୁ ଦେଖି ଜଣେ ଅମାନିଆ ଯୁବକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ  ଗତ ୧୬ ତାରିଖ ରବିବାର ସପ୍ତାହାନ୍ତ ସର୍ଟଡାଉନ୍ ଥିଲା ବେଳେ ବଳଭଦ୍ରପୁର ଗ୍ରାମ ପଂଚାୟତ ଜଗନ୍ନାଥପୁର ଓ ଶ୍ରୀହରି ପୁର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା  । ଯାହା ଫଳରେ ରଣପୁର ଥାନା ନିରୀକ୍ଷକ ଜ୍ୟୋତିପ୍ରକାଶ ପଣ୍ଡା ଓ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପେଟ୍ରୋଲିଙ୍ଗ୍ କରିବାକୁ ଯାଇଥିଲେ । ବିଳମ୍ବିତ ରାତ୍ରରେ ପେଟ୍ରୋଲିଙ୍ଗ୍ ଗାଡି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ତଳସଡକ ବାଇପାସ୍ ଦେଇ ଫେରୁଥିଲା । ୬ନଂ ୱାର୍ଡ ର ନେଳିଆ ପ୍ରାଥମିକ ବିଦ୍ୟାଳୟ  ନିକଟରେ କିଛି ଅମାନିଆ ଯୁବକ ଜମା ହୋଇଥିଲେ । ପୋଲିସ୍ ପେଟ୍ରୋଲିଙ୍ଗ୍ ଗାଡି ସେହିଠାରେ ପହଂଚିବା ପରେ ଯୁବକ ମାନେ ଗାଡି ଦେଖି ଦଉଡିଥିଲେ । କିନ୍ତୁ ଜଣେ ଯୁବକ ଦଉଡିବା ସମୟରେ ନେଳିଆ ପୁଷ୍କରଣୀ ମଧ୍ୟରେ ପଡିଯାଇଥିଲା ।

ପୋଖରିରେ ବୁଡିଯିବା ପରେ ପୋଖରୀ ଖୋଜା ଖୋଜି କରିବା ସମୟରେ ଯୁବକକୁ ମୃତ ଉଦ୍ଧାର କରାଯାଇଥିଲା । ଯୁବକ ଜଣକ ହେଉଛନ୍ତି ୬ନଂ ୱାର୍ଡ ର ସ୍ୱର୍ଗତ ବ୍ରଜ ପ୍ରଧାନଙ୍କ ପୁଅ ସନ୍ତୋଷ କୁମାର ପ୍ରଧାନ ।  ଉକ୍ତ ସମୟରେ ପୋଲିସ୍ ଓ ସ୍ଥାନୀୟ କିଛି ଲୋକଙ୍କ ମଧ୍ୟରେ ଯୁବକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଲାଗି ରହିଥିଲା । ଫଳରେ ୬ନଂ ୱାର୍ଡ ର କିଛି ମହିଳା ଓ ପୁରୁଷ ମୃତ ଯୁବକଙ୍କ ଶବ କୁ ଆଣି ରଣପୁର ଥାନା ପରିସର ରେ ରାତିସାରା ରଖି କ୍ଷତି ପୂରଣ ଦାବି କରିଥିଲେ । ମୃତ ସନ୍ତୋଷ ଜଣେ ଭୂମିହୀନ ଉଠା ଦୋକାନୀ । ଘରେ ତାଙ୍କ ବିଧବା ମାଆ ,ସ୍ତ୍ରୀ ଓ ଦୁଇ ବର୍ଷର ଛୋଟ ଝିଅ ।  ଏହି ସମସ୍ୟାର ସମାଧାନ  ପାଇଁ ଚାନ୍ଦପୁର ଥାନା ନିରିକ୍ଷକ ରଶ୍ମି ରଂଜନ ଦାସ୍ ଓ ଶରଣକୂଳ ଥାନା ଉପଖଣ୍ଡ ଅଧିକାରୀ ଏସ୍ ଟପ୍ପୋ ଥାନାରେ ପହଂଚି ମୃତ ଯୁବକଙ୍କ ପରିବାର ଓ ବନ୍ଧୁ ବାନ୍ଧବ ଙ୍କୁ ବୁଝା ଶୁଝା କରି ସରକାରୀ ନିୟମ ଅନୁସାରେ ତାଙ୍କ ପରିବାର କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଫଳରେ ତାଙ୍କ ପରିବାର ଲୋକ ଶାନ୍ତ ହେବା ପରେ ମୃତ ସନ୍ତୋଷ ର ଶବକୁ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇ ଥିଲେ । ବ୍ୟବଛେଦ ପରେ ମୃତ ସନ୍ତୋଷ ଙ୍କର ଶବ କୁ ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ତାଙ୍କ ଶବକୁ ଶୋକାକୂଳ ପରିବେଶରେ ସଂସ୍କାର କରାଯାଇଥିବା ଜଣା ପଡିଛି । ରଣପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.